ରାଠୋର ନୂଆ ବ୍ୟାଟିଂ ପ୍ରଶିକ୍ଷକ, ବାଙ୍ଗର, ସୁବ୍ରମଣ୍ୟୁମ ବିଦାହେଲେ

ଅରୁଣ, ଶ୍ରୀଧର ରହିଲେ, ଗିରିଶ ଡୋଙ୍ଗ୍ରେ ନୂଆ ପ୍ରବନ୍ଧକ

ମୁମ୍ବାଇ: ଏମ୍‌ଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ ବରିଷ୍ଠ ଚୟନ ସମିତି ଗୁରୁବାର ରାତିରେ ଭାରତୀୟ କ୍ରିକେଟ୍ ଦଳର ନୂଆ ସହକାରୀ ପ୍ରଶିକ୍ଷକ ମଣ୍ଡଳି ଘୋଷଣା କରିଛି। ବିଶ୍ବକପ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସାତ ନମ୍ବରରେ ଖେଳାଇ ବିବାଦୀୟ ହୋଇଥିବା‌ ବ୍ୟାଟିଂ ପ୍ରଶିକ୍ଷକ ତଥା ପୂର୍ବତନ ଟେଷ୍ଟ ତାରକା ସଞ୍ଜୟ ବାଙ୍ଗରଙ୍କ ଛୁଟି ହୋଇଛି। ତାଙ୍କ ସ୍ଥାନରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ବିକ୍ରମ ରାଠୋର ନୂଆ ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସମର୍ଥନ ପାଇଁ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର ଶ୍ରୀଧର ନିଜ ନିଜ ପଦ ବଜାୟ ରଖିଛନ୍ତି। ପୂବର୍ତନ ଅନ୍ତର୍ଜାତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଏବଂ ଦକ୍ଷିଣ ଆଫ୍ରିକାର ମହାନ କ୍ଷେତ୍ରରକ୍ଷକ ଜଣ୍ଟି ରୋଡ୍‌ସଙ୍କ ଆବେଦନକୁ ‌‌ଯୋଗ୍ୟ ବିବେଚନା ନକରି ଚୟନସମିତି ପୁଣି ଥରେ ଅରୁଣ ଏବଂ ଶ୍ରୀଧରଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ବିଭିନ୍ନ ପଦ ଲାଗି ଚୟନ ସମିତି ତିନି ଜଣ ଲେଖାଏଁ ପ୍ରର୍ଥୀଙ୍କ ନାଁ ସୁପାରିସ କରିଛି। ଦ୍ବୈତ ସ୍ବାର୍ଥ ଘୋଷଣାନାମାର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ତିନି ଯୋଗ୍ୟ ସହକାରୀ ପ୍ରଶିକ୍ଷକଙ୍କ ନାଁ ବିସିସିଆଇ ଆନୁଷ୍ଠାନିକ ଭାବେ ଘୋଷଣା କରିବ।

୫୦ ବର୍ଷୀୟ ରାଠୋର ୧୯୯୬ରେ ଭାରତ ପାଇଁ ୬ ଟେଷ୍ଟ୍‌ ଏବଂ ୭ ଦିନିକିଆ ଖେଳିଥିଲେ। ହେଲେ ଆଶାଜନକ ସଫଳତା ପାଇ ନଥିଲେ। ୨୦୧୬ରେ ସେ ଭାରତୀୟ ଦଳର ଚୟନକର୍ତା ଥିଲେ। ଏହା ପୂର୍ବରୁ ରାଠୋର ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମିର ବ୍ୟାଟିଂ ପରାମର୍ଶଦାତା ଏବଂ ୧୯ ବର୍ଷରୁ କମ୍ ଦଳର ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଥିଲେ। ହେଲେ ଭିଣୋଇ ଆଶିଷ କାପୁର ଭାରତୀୟ ୧୯ ବର୍ଷରୁ କମ୍ ଦଳର ମୁଖ୍ୟ ଚୟନକର୍ତା ଥିବାରୁ ତାଙ୍କ ଆବେଦନକୁ ସ୍ଥଗିତ ରଖାଯାଇଥିଲା। ରାଠୋରଙ୍କ ପାଖରେ ଅଭିଜ୍ଞତା ଅଛି। ତାଙ୍କ ପ୍ରଶିକ୍ଷଣ କଳା କୌଶଳ ଆମକୁ ପ୍ରଭାବିତ କରିଛି। ତାଙ୍କୁ ଏବେ ଦ୍ବୈତ ସ୍ବାର୍ଥ ଘୋଷଣାନାମା ଦେବାକୁ ପଡ଼ିବ ବୋଲି ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ରା‌ଠୋରଙ୍କ ନିଯୁକ୍ତି ନେଇ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦଳର ପୂର୍ବତନ ଫିଜିଓ ନିତିନ ପଟେଲ ପୁଣି ଥରେ ଭାରତୀୟ ଦଳର ଫିଜିଓ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ୨୦୧୧ରେ ଭାରତୀୟ ଦଳ ସହ କାମ କରିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡର ଲ୍ୟୁକ୍ ଉଡହାଉସ୍ ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ ପ୍ରଶିକ୍ଷକରେ ଅବସ୍ଥାପିତ ହୋଇଛନ୍ତି। ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଅପମାନ ଦେଇ ବିବାଦ ଘେରକୁ ଆସିଥିବା ପ୍ରଶାସନିକ ପ୍ରବନ୍ଧକ ସୁନୀଲ ସୁବ୍ରମଣ୍ୟମଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଗିରିଶ ଡୋଙ୍ଗ୍ରେ ନୂଆ ପ୍ରବନ୍ଧକ ହୋଇଛନ୍ତି। ଡୋ‌ଙ୍ଗ୍ରେଙ୍କର ଅଷ୍ଟ୍ରେଲିଆ ଦଳ ସହ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର