ସନ୍ଦେହରେ ବ୍ରାଥ୍‌ୱେଟ୍‌ଙ୍କ ବୋଲିଂ

ଜାମାଇକା : ୱେଷ୍ଟଇଣ୍ଡିଜ୍‌ର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ କ୍ରେଗ୍‌ ବ୍ରାଥ୍‌ୱେଟ୍‌ ସାମୟିକ ଅଫ୍‌ ସ୍ପିନ୍ ବୋଲିଂ କରିଥାନ୍ତି। ଏବେ ତାଙ୍କ ବୋଲିଂ ଢଙ୍ଗ ଆଇସିସି ସନ୍ଦେହ ଘେରକୁ ଚାଲି ଆସିଛି। ଜାମାଇକାରେ ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ବେଳେ ତାଙ୍କ ବୋଲିଂ ଢଙ୍ଗକୁ ନେଇ ଆପତ୍ତି ଉଠିଛି। ଦ୍ବିତୀୟ ଥର ପାଇଁ ଏଭଳି ବିବାଦ ଘେରକୁ ଆସିଛନ୍ତି ବ୍ରାଥ୍‌ୱେଟ୍‌। ୨୦୧୭ରେ ୱେଷ୍ଟଇଣ୍ଡିଜ୍‌ର ଇଂଲଣ୍ଡ ଗସ୍ତ ବେଳେ ସନ୍ଦେହ ଘେରକୁ ଆସିଥିଲେ ମଧ୍ୟ ମାସକ ପରେ ବୋଲିଂ କରିବାକୁ ଅନୁମତି ପାଇଥିଲେ। ଏବେ ସେପ୍ଟେମ୍ବର ୧୪ ତାରିଖ ମଧ୍ୟରେ ବ୍ରାଥ୍‌ୱେଟଙ୍କୁ ପୁଣି ଏକ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ଭାରତ ବିପକ୍ଷ ଶୃଙ୍ଖଳାରେ ସେ ମୋଟ ୯ ଓଭର ବୋଲିଂ କରିଥିଲେ। ଜାମାଇକାରେ ସେ ୨ ଓଭର ବୋଲିଂ କରି ଈଶାନ୍ତ ଶର୍ମାଙ୍କ ୱିକେଟ୍‌ ନେଇଥିଲେ। ନିଜ ଖେଳ ଜୀବନରେ ୩୭ ପାଳିରେ ୧୮ ୱିକେଟ୍ ନେଇଥିବା ବ୍ରାଥ୍‌ୱେଟ୍‌ ମଧ୍ୟ ଥରେ ୬ ୱିକେଟ୍‌ ସଫଳତା ପାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ଦଳର ପରବର୍ତୀ ଅନ୍ତର୍ଜାତୀୟ ସୂଚୀ ଡିସେମ୍ବରରେ ରହିଛି। ଯେତେବେଳେ ଦଳ ଭାରତ ଗସ୍ତ କରିବ। ‌ସେହି ଗସ୍ତରେ ଭାରତ ଏବଂ ଆଫଗାନିସ୍ତାନ ସହିତ ଶୃଙ୍ଖଳା ଖେଳିବ।

ସମ୍ବନ୍ଧିତ ଖବର