ବିରାଟ-ଗମ୍ଭୀରଙ୍କ କଳି ତୁଟାଇବେ ଶାସ୍ତ୍ରୀ? ମଧ୍ୟସ୍ଥତା ପାଇଁ ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ: ବିରାଟ କୋହଲି ଓ ଗୌତମ ଗମ୍ଭୀର କ୍ରିକେଟ ଜଗତର ଦୁଇଟି ବଡ଼ ନାଁ ହୋଇଥିଲେ ବି ପଡ଼ିଆ ଭିତରେ ଦୁହେଁ ଅନେକ ଥର ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିବା ଦେଖାଯାଇଥିଲା।

ଲକ୍ଷ୍ନୌ-ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ‌ତେବେ ଘଟଣାସ୍ଥଳରେ ଥିବା ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍  ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା।

ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ ଏବେ ଭାରତର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟସ୍ତି ହୋଇ କଥାର ସମାଧାନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ଭାବୁଛି ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ସେମାନେ ନିଜ ଭୁଲ ବୁଝିପାରିବେ। ଏବଂ ସେମାନେ ଅନୁଭବ କରିବେ ଯେ ବଚସା ନକରି ବହୁତ ଭଲ ଭାବରେ ଏହାର ସମାଧାନ କରାଯାଇପାରିଥାନ୍ତା। ଉଭୟ ସମାନ ରାଜ୍ୟ ପାଇଁ ଖେଳିଛନ୍ତି ଏବଂ ସେମାନେ ଯଥେଷ୍ଟ କ୍ରିକେଟ୍ ଖେଳିଛନ୍ତି। ଗୌତମ ଏକ ବିଶ୍ୱକପ ବିଜେତା, ବିରାଟ ଅନେକଙ୍କ ପାଇଁ ଆଦର୍ଶ। ଉଭୟ ଦିଲ୍ଲୀରୁ ଆସିଛନ୍ତି। ମୁଁ ଭାବୁଛି ଦୁହେଁ ବସି ଏବିଷୟରେ ଆଲୋଚନା କରିବା ପରେ ହିଁ ସବୁକିଛି ଠିକ୍ ହୋଇପାରିବ। ନହେଲେ ମନରେ ଥିବା କ୍ରୋଧ ସମୟ ସହ ବଢ଼ିଚାଲିବ। ତେଣୁ କେହି ଜଣେ ଏହାର ଦାୟିତ୍ବ ନେଇ ଦୁହିଁଙ୍କୁ ବସାଇ ଏହାର ସମାଧାନ କରିବା ଉଚିତ୍। ମୋତେ କରିବାକୁ କୁହାଗ‌ଲେ ମୁଁ ତୁରନ୍ତ ମଧ୍ୟସ୍ତି ହୋଇ ସମାଧାନ କରିବାକୁ ଚାହିବି।

ସମ୍ବନ୍ଧିତ ଖବର