ରାଞ୍ଚିରେ ମ୍ୟାଚ ଚାଲିଥିବା ବେଳେ ଶୋଇପଡ଼ିଲେ ଶାସ୍ତ୍ରୀ; ସୋସିଆଲ୍ ମିଡିଆରେ ମଜା ଉଡ଼ାଇଲେ କ୍ରିକେଟ୍ ପ୍ରେମୀ

ରାଞ୍ଚି:  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୩-୦ରେ ସିରିଜ ପୋଛି ନେଇଛି । ଏହି ବିଜୟକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ସୋସିଆଲ୍ ମିଡିଆରେ କିନ୍ତୁ ଟ୍ରୋଲ୍ ହୋଇଛନ୍ତି ଦଳର ମୁଖ୍ୟକୋଚ୍ ରବି ଶାସ୍ତ୍ରୀ।

ରାଞ୍ଚି ଟେଷ୍ଟ୍ ମ୍ୟାଚର ତୃତୀୟ ଦିନରେ କୋଚ୍ ରବି ଶାସ୍ତ୍ରୀ ଡ୍ରେସିଙ୍ଗ୍ ରୁମରେ ଶୋଇଥିବା ନଜର ଆସିଥିଲେ । ପୁଣି ଖେଳ ଚାଲିଥିବା ବେଳେ ଶୋଇ ପଡ଼ିଥିଲେ ଶାସ୍ତ୍ରୀ। ଏହି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ ହେବା ପରେ  ବେଶ୍ ଭାଇରାଲ୍ ହେଉଛି। ଉଭୟ ଟୁଇଟର ଓ ଫେସବୁକରେ ଲୋକେ ତାଙ୍କର ମଜା ଉଡାଉଛନ୍ତି। ତାଙ୍କର ଏହି ଫଟୋକୁ ନେଇ କୌତୁକିଆ ମିମ୍ସ ମଧ୍ୟ ପ୍ରସ୍ତୁତ ହୋଇଛି । କ୍ରିକେଟ୍ ପ୍ରେମୀ ତାଙ୍କର ଏହି ନିଦକୁ ୧୦ କୋଟିର ନିଦ ବୋଲି କହିବାକୁ ପଛାଇ ନାହାନ୍ତି । କାରଣ ମୁଖ୍ୟକୋଚ୍ ରବି ଶାସ୍ତ୍ରୀଙ୍କ ବାର୍ଷିକ ଦରମା ୮ କୋଟି ଓ ଏଥିସହ ଅନ୍ୟାନ୍ୟ ଭତ୍ତା ରହିଛି। ଏକ  ଦାୟିତ୍ୱପୂର୍ଣ୍ଣ ପଦବିରେ ଥାଇ ଖେଳ ମଧ୍ୟରେ ଶୋଇପଡିଥିବାରୁ କ୍ରିକେଟ୍ ପ୍ରେମୀ ଶାସ୍ତ୍ରୀଙ୍କ ପ୍ରତି ଟିକ୍କାଟିପ୍ପଣୀ କରିଛନ୍ତି ।

ରାଞ୍ଚିରେ ବିଜୟ ସହ ୩-୦ରେ ଶୃଙ୍ଖଳା ମୂଳପୋଛ କରିଛି ଭାରତ। ଗତକାଲି ବିଜୟଠାରୁ ମାତ୍ର ୨ ୱିକେଟ୍ ଦୂରରେ ଥିବା ଭାରତୀୟ ଦଳ ସକାଳେ ପଡ଼ିଆକୁ ଓହ୍ଲାଇ ଥିଲା, ଏହାପରେ ମାତ୍ର ୧୦ ମିନିଟରେ ଖେଳ ଶେ‌ଷ ହୋଇଯାଇଥିଲା। ମାତ୍ର ୧୨ଟି ବଲରେ ଦକ୍ଷିଣ ଆଫ୍ରିକାର ଦୁଇ ବ୍ୟଟସମ୍ୟାନ୍ ୱିକେଟ ହରାଇ ପାଭଲିଅନକୁ ଫେରି ଯାଇଥିଲେ। ନାଇଟ୍ ୱାଚମ୍ୟାନ୍  ଥିଉରନ୍ ଡି’ ବ୍ରୁଇନ ପ୍ରଥମେ ଆଉଟ୍ ହେବା ପରେ ନିଗିଡି ମଧ୍ୟ ପ୍ରଥମ ବଲରେ ଶହାବାଜ ନଦିମଙ୍କ ଦ୍ବାରା କଟ୍ ଆଣ୍ଡ ବୋଲ୍ଡ ହୋଇଯାଇଥିଲେ। ଫଳରେ ୧୩୩ ରନରେ ଦକ୍ଷିଣ ଆଫ୍ରିକାର ପାରି ସମାପ୍ତ ହୋଇ ଯାଇଥିଲା। ପୁନେ ଟେଷ୍ଟ୍‌କୁ ଚାରି ଦିନ ଭିତରେ ଜିତିଥିବା କୋହଲି ବାହିନୀ ରାଞ୍ଚିରେ ମଧ୍ୟ ସେହି ସଫଳତା ଦୋହରାଇଛି।

ସମ୍ବନ୍ଧିତ ଖବର