ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍‌ର ଏକ ଷ୍ଟାଣ୍ଡ୍‌ ପୂର୍ବତନ କ୍ରିକେଟର୍‌ ତଥା ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ନାମରେ ନାମିତ ହେବ। ଏହି ଲେବଲ୍‌-୧ ଷ୍ଟାଣ୍ଡ୍‌ଟି ଷ୍ଟାଡିୟମ୍‌ରେ ଥିବା ପ୍ରେସ୍‌ବକ୍ସ ତଳେ ଅବସ୍ଥିତ। ଏ ନେଇ ଶୁକ୍ରବାର ବସିଥିବା ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ (ଏମସିଏ) ସର୍ବୋଚ୍ଚ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଷ୍ଟାଡିୟମ୍‌ର ତିନୋଟି ଫାଟକକୁ ପୂର୍ବତନ କ୍ରିକେଟର୍‌ ଦିଲ୍ଲୀପ ସରଦେଶାଇ, ଏକନାଥ ସୋଲ୍‌କର ଓ ଡାଏନା ଏଦୁଲଜୀଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ପରେ ଏମସିଏ ସଭାପତି ଆଜିଙ୍କ୍ୟ ନାୟକ କହିଛନ୍ତି ଯେ ଆମ ଦେଶ ଓ ସହର ପାଇଁ ଗୌରବ ଆଣିଦେଇଥିବା ବ୍ୟକ୍ତିତ୍ବମାନଙ୍କୁ ସମ୍ମାନିତ କରିବା ଆମର କର୍ତ୍ତବ୍ୟ।

Advertisment

 ଆମର ମହାନ ବ୍ୟକ୍ତିତ୍ବମାନଙ୍କ ଦ୍ବାରା ତିଆରି ଭିତ୍ତିଭୂମି ଉପରେ ମୁମ୍ବାଇ କ୍ରିକେଟ୍‌ ତିଆରି ହୋଇଛି। ରବି ଶାସ୍ତ୍ରୀଙ୍କ ନାମରେ ଏକ ଷ୍ଟାଣ୍ଡ୍‌ ନାମିତ କରିବା ଜଣେ ଖେଳାଳି, ଅଧିନାୟକ ଓ ପ୍ରଶିକ୍ଷକଭାବେ ତାଙ୍କର ଅବଦାନକୁ ପ୍ରତି ଏକ ସମ୍ମାନ। ରବି ଶାସ୍ତ୍ରୀ ଭାରତ ପାଇଁ ୮୦ଟି ଟେଷ୍ଟ ଓ ୧୫୦ଟି ଦିନିକିଆ ଖେଳିଛନ୍ତି। ସେ ମଧ୍ୟ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ।