ଦ୍ରୁତତମ ୩୫୦ ୱିକେଟ୍‌ରେ ମୁରଲୀଙ୍କ କୀର୍ତ୍ତିମାନ ସମକକ୍ଷ ହେଲେ ଅଶ୍ବିନ୍‌

ବିଶାଖାପାଟଣା : ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ ଅବସରରେ ଦ୍ରୁତତମ ୩୫୦ ୱିକେଟ୍‌ ଦଖଲ କରିଛନ୍ତି। ଏହି ଟେଷ୍ଟ୍‌ର ପ୍ରଥମ ପାଳିରେ ୭ ୱିକେଟ୍‌ ଅକ୍ତିଆର କରିଥିବା ଅଶ୍ବିନ୍‌ ୩୫୦ରୁ ଗୋଟିଏ ଦୂରରେ ରହିଥିଲେ। ତେବେ ରବିବାର ଦ୍ବିତୀୟ ପାଳିରେ ଡି ବ୍ରୁନ୍‌ଙ୍କୁ ବୋଲ୍‌ଡ କରିବା ପରେ ସେ ୩୫୦ତମ ୱିକେଟ୍‌ ଦଖଲ କରିଥିଲେ। ଏହା ଥିଲା ଅଶ୍ବିନ୍‌ଙ୍କ ୬୬ତମ ଟେ‌ଷ୍ଟ୍‌। ଫଳରେ ଅଶ୍ବିନ୍‌ କିମ୍ବଦନ୍ତୀ ସିଂହଳୀ ସ୍ପିନର ମୁଥେୟା ମୁରଲୀଧରନ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ମୁରଲୀଧରନ୍‌ ମଧ୍ୟ ସମାନ ୬୬ ଟେଷ୍ଟ୍‌ରୁ ୩୫୦ ୱିକେଟ୍‌ ଦଖଲ କରି ନିଜ ନାମରେ ଦ୍ରୁତତମ ବିଶ୍ବ କୀର୍ତ୍ତିମାନ ରଖିଥିଲେ। ତେବେ ମୁରଲୀଧରନ୍‌ ୧୦୬ ପାଳିରୁ ୩୫୦ ୱିକେଟ୍‌ ପୂରଣ କରିଥିଲା ବେଳେ ଅଶ୍ବିନ୍‌ ଏହି କୀର୍ତ୍ତିମାନ ପାଇଁ ୧୨୪ ପାଳି ଖେଳିଲେ। ଏହି କୀର୍ତ୍ତିମାନ ମଧ୍ୟରେ ମୁରଲୀ ୨୧,୬୩୨ ବଲ୍‌ ବୋଲିଂ କରିଥିଲା ବେଳେ ଅଶ୍ବିନ୍‌ ୧୮,୬୮୫ ବଲ୍‌ ବୋଲିଂ କରିଛନ୍ତି। ପୁଣି ୩୫୦ ୱିକେଟ୍‌ ଦଖଲ କରିବା ମଧ୍ୟରେ ମୁରଲୀ ୨୮ ଥର ୫ ଓ ୭ ଥର ୧୦ ୱିକେଟ୍‌ ସଫଳତା ହାତେଇଥିଲା ବେଳେ ଅଶ୍ବିନ୍‌ ୨୭ ଥର ୫ ଓ ୭ ଥର ୧୦ ୱିକେଟ୍‌ ସଫଳତା ପାଇଛନ୍ତି। ଅନ୍ୟପକ୍ଷରେ ପଦାର୍ପଣର ୭ ବର୍ଷ ୩୩୨ ଦିନରେ ଅଶ୍ବିନ୍‌ ଦ୍ରୁତତମ କୀର୍ତ୍ତିମାନ ପାଇଥିଲା ବେଳେ ମୁରଲୀଙ୍କୁ ଏହି ସଫଳତା ପଦାର୍ପଣର ୯ ବର୍ଷ ୯ ଦିନରେ ମିଳିଥିଲା। ଏବେ ୪୭ ବର୍ଷରେ ପହଞ୍ଚିଥିବା ମୁରଲୀଧରନ୍‌ ୮୦୦ ଟେଷ୍ଟ୍‌ ୱିକେଟ୍‌ ଅକ୍ତିଆର କରି ୨୦୧୦ରେ ଅବସର ନେଇଥିଲେ। ବିଶାଖାପାଟଣା ଟେଷ୍ଟ୍‌ରେ ମଧ୍ୟ ୩୩ ବର୍ଷ ବୟସ୍କ ଅଶ୍ବିନ୍‌ ନିଜ ଟେଷ୍ଟ୍‌ ଜୀବନର ୨୭ତମ ୫ ୱିକେଟ୍‌ ସଫଳତା ସାଉଁଟିଥିଲେ। ଅଶ୍ବିନ୍‌ ମଧ୍ୟ ୨୦୧୭ରେ ଦ୍ରୁତତମ ୩୦୦ ୱିକେଟ୍‌ ନେବାର କୀର୍ତ୍ତିମାନ ପାଇଥିଲେ। ମାତ୍ର ୫୪ ଟେଷ୍ଟ୍‌ରୁ ୩୦୦ ୱିକେଟ୍‌ ଦଖଲ କରି ସେତେବେଳେ ଅଶ୍ବିନ୍‌ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଡେନିସ୍‌ ଲିଲିଙ୍କ କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର