ଏକବିଂଶ ଶତାବ୍ଦୀରେ ଜାଦେଜା ଭାରତର ସବୁଠୁ ମୂଲ୍ୟବାନ ଟେଷ୍ଟ୍‌ କ୍ରିକେଟର୍‌

୩ ଦିନରେ ଶ୍ରୀଲଙ୍କା ସଫା, କପିଳଙ୍କୁ ଟପିଲେ ଅଶ୍ବିନ

The Indian Express

ଦୁବାଇ : ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଏକବିଂଶ ଶତାବ୍ଦୀରେ ଭାରତର ସବୁଠୁ ମୂଲ୍ୟବାନ ଟେ‌ଷ୍ଟ୍‌ କ୍ରିକେଟର୍‌ ଭାବେ ମନୋନୀତ ହୋଇଛନ୍ତି। ନିଜ ନିଜ ଦଳ ପାଇଁ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣରେ ପ୍ରତି ଖେଳାଳିଙ୍କ ଅବଦାନକୁ ନେଇ ଏକ ପୂର୍ଣ୍ଣାଙ୍ଗ ବିଶ୍ଲେଷଣ କରି ସଂଯୁକ୍ତ ରାଷ୍ଟ୍ର (ୟୁକେ)ର ସର୍ବାଧିକ ଲୋକପ୍ରିୟ ମାଗାଜିନ୍‌ ‘ୱିଜ୍‌ଡେନ୍‌’ ଏହି ସୂଚନା ଦେଇଛି। ଏହି ୩୧ ବର୍ଷ ବୟସ୍କ ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡରଙ୍କୁ ସବୁଠୁ ମୂଲ୍ୟବାନ ଖେଳାଳି ଭାବେ ୯୭.୩ ରେଟିଂ ମିଳିଛି। ଫଳରେ ସେ ଭାରତର ସବୁଠୁ ମୂଲ୍ୟବାନ ସାବ୍ୟସ୍ତ ହୋଇଥିଲା ବେଳେ ବିଶ୍ବର ଦ୍ବିତୀୟ ଖେଳାଳି ରହିଛନ୍ତି। ସାରା ବିଶ୍ବରେ ଟେ‌ଷ୍ଟ କ୍ରିକେଟର୍‌ଙ୍କ ମଧ୍ୟରେ ଶ୍ରୀଲଙ୍କାର କିଂବଦନ୍ତି ସ୍ପିନର ମୁଥେୟା ମୁରଲୀଧରନ୍‌ ୱିଜ୍‌ଡେନ୍‌ ଦ୍ବାରା ପ୍ରଥମ ସ୍ଥାନ ପାଇଛନ୍ତି। ଭାରତ ପାଇଁ ଖେଳିବା ଏକ ସ୍ବପ୍ନ ଥାଏ। ଆଉ ତୁମେ ଯଦି ସବୁଠୁ ମୂଲ୍ୟବାନ ଖେଳାଳିର ପୁରସ୍କାର ପାଅ ତାହାଲେ ତୁମ ପାଇଁ ଏହା ଅଧିକ ଆଶୀର୍ବାଦ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜାଦେଜା। ତେ‌ବେ ଏଭଳି ସମ୍ମାନ ପାଇଁ ମୋର ସମସ୍ତ ପ୍ରଶଂସକ, ଦଳୀୟ ସାଥୀ, ପ୍ରଶିକ୍ଷକ ଏବଂ ସହକାରୀ ଷ୍ଟାଫ୍‌ଙ୍କୁ ସେମାନଙ୍କ ନିସ୍ବାର୍ଥପର ଭଲପାଇବା ଓ ସମର୍ଥନ ପାଇଁ ଧନବାଦ ବୋଲି ଜାଦେଜା କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଜାଦେଜା ୨୦୦୯ରେ ପଦାର୍ପଣପରଠାରୁ ଭାରତ ପାଇଁ ୧୬୫ ଦିନିକିଆ ଓ ୪୯ ଟ୍ବେଣ୍ଟି-୨୦ ବ୍ୟତୀତ ୪୯ ଟେଷ୍ଟ୍‌ ମଧ୍ୟ ଖେଳିଛନ୍ତି। ଟେ‌ଷ୍ଟ୍‌ରେ ଗୋଟିଏ ଶତକ ଓ ୧୪ ଅର୍ଧଶତକ ସହାୟତାରେ ୧୮୬୯ ରନ୍‌ ନିଜ ନାମରେ ରଖିଛନ୍ତି। ବ୍ୟାଟିଂ ପରେ ବୋଲିଂରେ ବି ତାଙ୍କ କମାଲ କିଛି କମ୍‌ ନାହିଁ। ସେ ୨୧୩ ଟେଷ୍ଟ୍‌ ୱିକେଟ୍‌ ମଧ୍ୟ ଅକ୍ତିଆର କରିଛନ୍ତି। ଜାଦେଜା ପ୍ରାୟତଃ ଭାରତୀୟ ଦଳରେ ନିୟମିତ ସଦସ୍ୟ ହୋଇପାରୁନାହାନ୍ତି। କିନ୍ତୁ ଯେତେବେଳେ ବି ସୁଯୋଗ ପାଆନ୍ତି ସେ ଜଣେ ଆଗଧାଡ଼ିର ବୋଲର ରହିଥାନ୍ତି ଏବଂ ୬ ନମ୍ବରରେ ବ୍ୟାଟିଂ କରି ବହୁମୂଲ୍ୟ ଅବଦାନ ରଖିଥା’ନ୍ତି ବୋଲି କହିଛନ୍ତି କ୍ରିକ୍‌ବିଜ୍‌ର‌ ଫ୍ରେଡି ୱିଲ୍‌ଡେ। ଜାଦେଜାଙ୍କ ବୋଲିଂ ହାରାହାରି ୨୪.୬୨। ଯାହାକି ଅଷ୍ଟ୍ରେଲୀୟ ସ୍ପିନ୍‌ କିଂବଦନ୍ତି ସେନ୍‌ ୱାର୍ନଙ୍କଠୁ ଉନ୍ନତ। ସେହିପରି ତାଙ୍କ ବ୍ୟାଟିଂ ହାରାହାରି ୩୫.୨୬ ରହିଛି। ଯାହାକି ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ସେନ୍‌ ୱାଟ୍‌ସନ୍‌ଙ୍କଠୁ ଉନ୍ନତ। ଏକବିଂଶ ଶତାବ୍ଦୀରେ ୧୦୦୦ ରନ୍‌ ଏବଂ ୧୫୦ ୱିକେଟ୍‌ ଅକ୍ତିଆର କରିଥିବା ଜଣେ ଅଲ୍‌ରାଉଣ୍ଡର ଭାବେ ଜାଦେଜାଙ୍କ ବ୍ୟାଟିଂ ଓ ବୋଲିଂ ହାରର ଫରକ୍‌ ୧୦.୬୨। ଯାହାକି ଚଳିତ ଶତାବ୍ଦୀରେ କୌଣସି ଖେଳାଳିଙ୍କ ମଧ୍ୟ ଦ୍ବିତୀୟ ଶ୍ରେଷ୍ଠ। ଫଳରେ ଜାଦେଜା ଭାରତର ଜଣେ ଦକ୍ଷତା ସଂପନ୍ନ ଅଲ୍‌ରାଉଣ୍ଡର ଭାବେ ଉଭା ହୋଇଛନ୍ତି। ଗତ ସପ୍ତାହରେ ସଚିନ୍‌ଙ୍କୁ ପଛରେ ପକାଇ ୱିଜ୍‌ଡେନ୍‌ ଭାରତର ମହାନ୍‌ ଟେ‌ଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ ଭାବେ ରାହୁଲ ଦ୍ରାବିଡ୍‌ଙ୍କୁ ମନୋନୀତ କରିଥିଲା ବେଳେ ଏବେ ଜାଦେଜାଙ୍କୁ ସବୁଠୁ ମୂଲ୍ୟବାନ ଟେଷ୍ଟ୍‌ କ୍ରିକେଟର୍‌ ବାଛିବା ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଆଉ ଏକ ବିତର୍କ ଖୋଲା କରିଦେଇଛି। କପିଳ ଦେବଙ୍କ ଭଳି ସୁଦକ୍ଷ ଅଲ୍‌ରାଉଣ୍ଡରଙ୍କୁ ପଛରେ ପକାଇ ପୁଣି ମରଲୀଧରନ୍‌ଙ୍କୁ ଶୀର୍ଷରେ ରଖିବା ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe