ପାକିସ୍ତାନ ବିରୋଧରେ ସୁପର-୪ ମୁକାବିଲାରେ ନୂଆ ଅବତାର ନେବେ ଜାଦେଜା, ହେୟାର ଷ୍ଟାଇଲ ବଦଳାଇବାକୁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ଏସିଆ କପ୍‌ର ସୁପର-୪ ମୁକାବିଲାର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଚମକପ୍ରଦ ପ୍ରଦର୍ଶନ କରିବା ପରେ ରବୀନ୍ଦ୍ର ଜାଦେଜାଙ୍କ ମନୋବଳ ବଢ଼ି ଯାଇଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶର ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ଜାଦେଜା ଆଉଟ୍‌ କରିଥିଲେ। ସୁପର-୪ର ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯିବ। ରବୀନ୍ଦ୍ର ଜାଦେଜା ଏକ ନୂଆ ଅବତାର ନେଇ ପାକିସ୍ତାନ ବିରୋଧରେ ବୋଲିଂ କରିବେ। ଗ୍ରୁପ ମ୍ୟାଚ୍‌ରେ ଭାରତ ଗୁରୁବାର ୮ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇଛି।

୨୯ ବର୍ଷିଅ ଜାଦେଜା ଦିନିକିଆକୁ ୧୪ ମାସ ପରେ ଫେରିଛନ୍ତି। ଏହାରି ଭିତରେ ସେ ୨୭ଟି ଦିନିକିଆରେ ଭାରତୀୟ ଟିମର ଅଂଶବିଶେଷ ହୋଇ ନାହାନ୍ତି। ଜାଦେଜା ବାଂଲାଦେଶ ବିପକ୍ଷରେ ୪ଟି ଓ୍ଵିକେଟ୍‌ ନେଇ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ଗ୍ରହଣ କରିଥିଲେ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ପାକିସ୍ତାନ ବିରୋଧରେ ସେ ଯାଦୁ ଦେଖାଇବେ।

ପ୍ରଦର୍ଶନକୁ ନେଇ ଜାଦେଜା ଯେତିକି ଚର୍ଚ୍ଚାକୁ ଆସନ୍ତି ତା’ଠାରୁ ନିଜର ହେୟାର ଷ୍ଟାଇଲ ଓ ଦାଢ଼ିକୁ ନେଇ ଦର୍ଶକ ଓ ପ୍ରଶଂସକ ଅଧିକ ଆଲୋଚନା କରିଥାନ୍ତି। ଜାଦେଜା କହିଛନ୍ତି, ଆଗାମୀ ୨ଟି ମ୍ୟାଚରେ ତାଙ୍କୁ ଦର୍ଶକମାନେ ଏକ ଭିନ୍ନ ଅବତାରରେ ଦେଖିବେ।

ବିସିସିଆଇ ଡଟ ଟିଭିରେ ଭାରତର ଫିଲ୍ଡିଙ୍ଗ କୋଚ ଆର.ଶ୍ରୀଧରଙ୍କୁ ଜାଦେଜା କହିଛନ୍ତି, ତାଙ୍କର ହେୟାର ଷ୍ଟାଇଲ ୨ ମାସ ପୁରୁଣା ହୋଇଛି। ଏହାକୁ ବଦଳାଇବାର ସମୟ ଆସିଛି।

ସମ୍ବନ୍ଧିତ ଖବର