ଅହମ୍ମଦାବାଦ୍: ଗତକାଲି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ଅନ୍ତିମ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏଥର ବି ବାଜିମାତ୍ କରିଛି ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଚେନ୍ନାଇ ୫ ୱିକେଟ୍ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ କରି ଟ୍ରଫି ହାସଲ କରିଛି।
ଶେଷ ଦୁଇ ବଲ୍ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ତେବେ ରବୀନ୍ଦ୍ରଙ୍କ ଏହି ଚମତ୍କାର ଖେଳ ଦେଖି ଭାବପ୍ରବଣ ହୋଇ ପଡ଼ିଛନ୍ତି ତାଙ୍କ ବିଧାୟିକା ପତ୍ନୀ ରିବାବା ଜାଡେଜା। ତେବେ ଜାଡେଜା ଶେଷ ୨ ବଲ୍ରେ ଛକା ଓ ଚୌକା ମାରିବା ପରେ ପତ୍ନୀ ରିବାବା ଗ୍ୟାଲେରିରେ ବସି ଖୁସି ହେଉଥିବା ବେଳେ ପଡ଼ିଆକୁ ଆସି ସ୍ବାମୀଙ୍କୁ ଆଲିଙ୍ଗନ କରିଥିବା ବି ଦେଖିବାକୁ ମିଳିଛି। ରିବାବା ଏବେ ଗୁଜୁରାଟର ଜାମନଗରର ବିଧାୟିକା ଅଛନ୍ତି।
ସେ ଯେଉଁଭଳି ଭାବେ ଦୌଡ଼ି ଦୌଡ଼ି ପଡ଼ିଆକୁ ଆସିଥିଲେ ସେ ଭିଡିଓ ଦେଖିବା ପରେ ତାଙ୍କ ଖୁସି ସ୍ପଷ୍ଟ ନଜର ଆସିଛି। ତେବେ ଜାଡେଜାଙ୍କ ପ୍ରଦର୍ଶନରେ ଧୋନି ବି ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ଖୁସିରେ ରବୀନ୍ଦ୍ର ଜାଡ଼େଜାଙ୍କୁ କାଖେଇ ପକାଇଥିଲେ।
ସେହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆଇପିଏଲ୍ର ଏହି ବିଶେଷ ମୂହୂର୍ତ୍ତକୁ ଦେଖି ପ୍ରଶଂସକଙ୍କ ଆଖିରେ ଲୁହ ଆସିଯାଉଛି। ଏହି ସମୟର ଭିଡିଓଟିକୁ ଆଇପିଏଲ୍ର ଟ୍ବିଟର୍ ପେଜ୍ରେ ସେୟାର୍ କରାଯାଇଛି।