ଏସିଆ କପ୍ ପରେ ଟି୨୦ ବିଶ୍ବ କପରୁ ବାଦ୍ ପଡ଼ିଲେ ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା

ନୂଆଦିଲ୍ଲୀ: ଆଣ୍ଠୁ ସର୍ଜରୀ ପରେ ଟି୨୦ ବିଶ୍ବ କପରୁ ବାଦ୍ ପଡ଼ିଲେ ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା। ଟି୨୦ ବିଶ୍ବ କପ ଆରମ୍ଭ ହେବା ବେଳକୁ ଜାଦେଜା ଫିଟ ହୋଇପାରିବେ ନାହିଁ ବୋଲି ଜଣାପଡ଼ିବା ପରେ ତାଙ୍କୁ ଏଥିରୁ ବାଦ ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ପୂର୍ବରୁ ଆହତ ହୋଇଥିବା ଜସପ୍ରୀତ ବୁମରାହ ଏବଂ ହର୍ଷଲ ପଟେଲ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ଦୁହିଁଙ୍କୁ ଆଗାମୀ ବିଶ୍ୱକପ ପାଇଁ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ଜାଦେଜା ବିଶ୍ବ କପ ପୂର୍ବରୁ ନିଜ ଆଣ୍ଠୁରେ ଲାଗିଥିବା ଆଘାତ ପାଇଁ ଏସିଆ କପ୍ ୨୦୨୨ରୁ ବାଦ ପଡିଥିଲେ। ଟୁର୍ନାମେଣ୍ଟରୁ ବାହାରିବାର କିଛି ଦିନ ପରେ ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଥିଲା। ଷ୍ଟାର ଅଲରାଉଣ୍ଡର ଗତ ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମରେ ଆଣ୍ଠୁରେ ଆଘାତ ସମ୍ପର୍କିତ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଏକ ଫଟୋ ସେୟାର କରି କହିଥିଲେ ଯେ ତାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ଶୀଘ୍ର ସୁସ୍ଥ ହେବେ।

ପୋଷ୍ଟ ସେୟାର କରି ଜାଦେଜା ଲେଖିଥିଲେ, ଅସ୍ତ୍ରୋପଚାର ସଫଳ ହୋଇଛି। ବିସିସିଆଇ, ମୋର ସାଥୀଗଣ, ସହଯୋଗୀ ଷ୍ଟାଫ୍, ଫିଜିଓ, ଡାକ୍ତର ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ। ମୁଁ ଶୀଘ୍ର ସୁସ୍ଥ ହେବି ଏବଂ ଯଥାଶୀଘ୍ର କ୍ରିକେଟକୁ ଫେରିବାକୁ ଚେଷ୍ଟା କରିବି। ଆପଣଙ୍କ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ।

ତେବେ ରବିନ୍ଦ୍ର ଜାଦେଜାଙ୍କ ଆଣ୍ଠୁରେ ଆଘାତ ଯୋଗୁଁ ଏସିଆ କପ୍ ପାଇଁ ଭାରତକୁ ପ୍ଲେଇଙ୍ଗ ଇଲେଭେନରେ ଅନେକ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା। ଜାଦେଜା ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳ ପାଇଁ ଏକ ପ୍ରମୁଖ ଖେଳାଳି ଭାବରେ ଉଭା ହୋଇଛନ୍ତି। ବ୍ୟାଟିଂ ଏବଂ ବୋଲିଂ ସହିତ ଅନେକ ମ୍ୟାଚ୍ ଜିତିବା ପାଇଁ ସେ ଦଳକୁ ସାହାଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର