ରାୱଲପିଣ୍ଡି ଟେଷ୍ଟ୍‌ : ନର୍ଖିୟାଙ୍କ ୫ ୱିକେଟ୍‌ ସତ୍ତ୍ବେ ପାକିସ୍ତାନର ପ୍ରତ୍ୟାବର୍ତନ

ରାୱଲପିଣ୍ଡି : ଅଧିନାୟକ ବାବର ଆଜମ୍‌ (୭୭) ଓ ଫୱାଦ୍‌ ଆଲାମ୍‌ (୪୫)ଙ୍କ ଶତକୀୟ ଭାଗୀଦାରି ପରେ ଫହିମ୍‌ ଅସ୍ରଫ୍‌ (୭୮*)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପାକିସ୍ତାନ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ୨୭୨ ରନ୍‌ କରିଛି। ତେବେ ଏକ ସମୟରେ ୨୨୧ ରନ୍‌ରେ ୬ ୱିକେଟ୍‌ ହରାଇ ଭଲ ସ୍ଥିତିରେ ରହିଥିବା ଘରୋଇ ଦଳ ପରବର୍ତୀ ୫୧ ରନ୍‌ରେ ୪ ଏବଂ କୌଣସି ରନ୍‌ ନଯୋଡ଼ି ଶେଷ ୨ ୱିକେଟ୍‌ ହରାଇବାରୁ ବଡ଼ ସ୍କୋର୍‌ ସୁଯୋଗ ହାତଛଡ଼ା କରିଥିଲା। ଗୁରୁବାର ପ୍ରଥମ ଦିବସ ସ୍କୋର୍‌ ୧୪୫/୩ରୁ ଖେଳିଥିବା ପାକିସ୍ତାନ ଶୁକ୍ରବାର ଦ୍ବିତୀୟ ଦିବସରେ ଆଉ ୧୩୭ ରନ୍‌ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍‌ ହରାଇଥିଲା। ବାବର ଆଜମ୍‌ ପୂର୍ବ ସ୍କୋର୍‌ରେ ହିଁ ଆଉଟ୍‌ ହୋଇଯାଇଥିଲେ। ବିଶେଷକରି ଦ୍ରୁତ ବୋଲର ଅନ୍‌ରିକ୍‌ ନର୍ଖିୟାଙ୍କ (୫/୫୬) ଓ କେଶବ ମହାରାଜ (୩/୯୦) ପାକିସ୍ତାନର ନିମ୍ନକ୍ରମ ବିପର୍ଯ୍ୟୟ ଘଟାଇଥିଲେ। ତେବେ ନିମ୍ନକ୍ରମ ବିପର୍ଯ୍ୟୟ ସତ୍ତ୍ବେ ବୋଲରଙ୍କ ବଳରେ ପାକିସ୍ତାନ ଭଲ ପ୍ରତ୍ୟାବର୍ତନ କରିଛି। ଦ୍ବିତୀୟ ଦିବସରେ ଘରୋଇ ଦଳ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାର ୪ ୱିକେଟ୍‌ ୧୦୬ ରନ୍‌ରେ ଝଡ଼ାଇ ଦେଇଛି। ଡିନ୍‌ ଏଲ୍‌ଗାର (୧୫), ଏଦେନ୍‌ ମର୍କରାମ (୩୨), ରାସି ଭାନ୍‌ ଡେର୍‌ ଦୁସାନ (୦) ଏବଂ ଫାଫ୍‌ ଡୁ’ପ୍ଲେସିସ୍‌ (୧୭) ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ତେମ୍ବା ବଭୂମା (୧୫) ଓ କ୍ବିଣ୍ଟନ ଡି’କକ୍‌ (୨୪) କ୍ରିଜ୍‌ରେ ରହିଛନ୍ତି। ହାସନ୍‌ ଅଲ୍ଲୀ (୨), ଫହିମ୍‌ ଅସ୍ରଫ୍‌ (୧) ଓ ନୌମନ ଅଲ୍ଲୀ (୧) ୱିକେଟ୍‌ ବାଣ୍ଟି ନେଇଛନ୍ତି। ଏଥି ସହିତ ହାତରେ ୬ ୱିକେଟ୍‌ ଥାଇ ଦକ୍ଷିଣ ଆଫ୍ରିକା ୧୬୬ ରନ୍‌ ପଛରେ ରହିଛି।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି ୧୧୪.୩ ଓଭରରେ ୨୭୨ (ବାବର ଆଜମ୍‌-୭୭, ଫହିମ୍‌ ଅସ୍ରଫ୍‌-୭୮*, ଫୱାଦ୍‌ ଆଲାମ-୪୫, ଅନ୍‌ରିକ୍‌ ନର୍ଖିୟା-୫/୫୬, କେଶବ ମହାରାଜ-୩/୯୦)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୨୮ ଓଭରରେ ୧୦୬/୪ (ଏଦେନ୍‌ ମର୍କରାମ-୩୨, କ୍ବିଣ୍ଟନ ଡି’କକ୍‌-୨୪*, ତେମ୍ବା ବଭୂମା-୧୫*, ଡିନ୍‌ ଏଲ୍‌ଗାର-୧୫, ହାସନ୍‌ ଅଲ୍ଲୀ-୨/୨୯)।

ସମ୍ବନ୍ଧିତ ଖବର