ପାକିସ୍ତାନକୁ ବାସନ୍ଦ ଦାବି ଦୋହରାଇଲେ ରାଏ

ମୁମ୍ବାଇ: ପାକିସ୍ତାନ କ୍ରିକେଟ୍ ଦଳକୁ ବିଶ୍ବକପ୍‌ରୁ ବାସନ୍ଦ କରିବା ଦାବିକୁ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ ପୁଣି ଥରେ ଦୋହରାଇଛନ୍ତି। ଆଇସିସି ବିସିସିଆଇର ଏହି ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ ମଧ୍ୟ ଆତଙ୍କବାଦକୁ ସମର୍ଥନ ଦେଉଥିବା ‌ଦେଶକୁ ବାସନ୍ଦ କରିବା ଦାବିରୁ ଆମେ ଓହରିବୁ ନାହିଁ ବୋଲି ଗୁରୁବାର ସିଓଏର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ରାଏ କହିଛନ୍ତି। ତେବେ ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ବର୍ଜନ କରିବା ନେଇ ସେ କୌଣସି ସ୍ପଷ୍ଟ ମତ ରଖି ନାହାନ୍ତି। ଏହି ବିତର୍କିତ ମାମଲା ଉପରେ ପୁଣି ଥରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ‌ଯେ ଆମ ପତ୍ର ଆଇସିସି ବୈଠକରେ ଉପସ୍ଥାପିତ ହୋଇଥିଲା। ଏଥିରେ ଆମେ ସ୍ପଷ୍ଟ ଭାବେ ପାକିସ୍ତାନ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଥିଲୁ। ଆମେ ଆମ ଚିନ୍ତାକୁ ଜାହିର କରିଥିଲୁ। ଆଇସିସି ମଧ୍ୟ ଏଥିରେ ଏକମତ ହୋଇଥିଲା। କୌଣସି ଦେଶକୁ ବାସନ୍ଦ କରିବା ଏକ ମନ୍ଥର ପ୍ରକ୍ରିୟା। ଆମେ ପ୍ରଥମ ପଦକ୍ଷେପ ନେଇଛୁ। ଆଗକୁ ମଧ୍ୟ ଏହାକୁ ଜାରି ରଖିବୁ। ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍‌କୁ ନେଇ ରାଏ କହିଥିଲେ ଯେ ସମୟ ଆସିଲେ ଆମେ ଏହି ବିଷୟରେ ନିଷ୍ପତ୍ତି ନେବୁ। ଏଥିଲାଗି ଆହୁରି ୪ ମାସ ବାକି ଅଛି। ବିଶ୍ବକପ୍ ବେଳେ ସୁରକ୍ଷା ବ୍ୟବସ୍ଥା ପୂରା କଡ଼ା କଡ଼ି କରାଯିବ ବୋଲି ଆଇସିସି ପ୍ରତିଶ୍ରୁତି ଦେଇଛି। ଅନ୍ୟ ସମସ୍ତ ବିଷୟରେ ମଧ୍ୟ ଆଇସିସି ଆମକୁ ସହଯୋଗ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର