ରାୟୁଡୁ ବୋଲିଂରୁ ନିଲମ୍ବିତ

ଦୁବାଇ,: ଭାରତୀୟ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରିବାରୁ ନିଲମ୍ବିତ ହୋଇଛନ୍ତି। ନିର୍ଧାରିତ ୧୪ ଦିନର ସମୟ ସୀମା ମଧ୍ୟରେ ନିଜ ସନ୍ଦେହାତ୍ମକ ବୋଲିଂ ଶୈଳୀର ପରୀକ୍ଷା ଦେଇ ନଥିବାରୁ ଆଇସିସି ନିୟମ ଅନୁସାରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ବୋଲିଂ କରି ପାରିବେ ନାହିଁ ବୋଲି ଜଣାପଡ଼ିଛି। ଚଳିତ ମାସ ୧୩ ତାରିଖରେ ସିଡ୍‌ନିରେ ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଅବସରରେ ଅମ୍ପାୟାର ତାଙ୍କ ବୋଲିଂ ଶୈଳୀକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ଆଇସିସି ତାଙ୍କୁ ଏଥିଲାଗି ତତ୍‌କ୍ଷଣାତ୍‌ ବୋଲିଂରୁ ନିଲମ୍ବନ କରିବା ସହ ୧୪ ଦିନ ଭିତରେ ପରୀକ୍ଷା ଦେବାକୁ କହିଥିଲା। ହେଲେ ରାୟୁଡୁ ଆଇସିସି ନୋଟିସର କୌଣସି ଉତ୍ତର ଦେଇ ନଥିଲେ। ପରୀକ୍ଷା ମଧ୍ୟ ‌ଦେଇ ନଥିଲେ। ସୂଚନାଯୋଗ୍ୟ ଯେ ରାୟୁଡୁ ୫୦ ଦିନିକିଆରୁ ମାତ୍ର ୯ଟିରେ ବୋଲିଂ କରିଛନ୍ତି। ନିଜ ୬ ଟ୍ବେଣ୍ଟି-୨୦ ପଦାର୍ପଣରେ ସେ କେବେ ବି ବୋଲିଂ କରି ନାହାନ୍ତି। ଅନ୍ତର୍ଜାତୀୟ ବୋଲିଂରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଘରୋଇ କ୍ରିକେଟ୍‌ରେ ରାୟୁଡୁ ବୋଲିଂ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଆଇସିସି କହିଛି।

ସମ୍ବନ୍ଧିତ ଖବର