ନୂଆଦିଲ୍ଲୀ: ବିଶ୍ବକପ୍ ଦଳରେ ସୁଯୋଗ ନ ପାଇବା ପରେ ଅମ୍ବାତି ରାୟୁଡୁ କରିଥିବା ଟ୍ବିଟ୍କୁ ନେଇ ଏବେ ଚାରି ଆଡେ ଚର୍ଚା ହେଉଛି। ବିଶ୍ବକପ୍ ଦେଖିବାକୁ ମୁଁ ଏବେ ଏକ ‘ଥ୍ରୀ-ଡି ଚଷମା’ ଅର୍ଡର ଦେଇଛି ବୋଲି ଉଲ୍ଲେଖ କରି ଅମ୍ବାତି ରାୟୁଡୁ ପରୋକ୍ଷରେ ଚୟନକର୍ତାଙ୍କୁ କଟାକ୍ଷ କରିଥିଲେ। ରାୟୁଡୁଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଥିଲେ ମଧ୍ୟ ଏହି ଟ୍ବିଟ୍ ପ୍ରଶଂସକଙ୍କ ଗହଣରେ ଚର୍ଚାର ଖୋରାକ ଯୋଗାଇଛି। ୩୩ ବର୍ଷୀୟ ରାୟୁଡୁଙ୍କ ବଦଳରେ ଅଲରାଉଣ୍ଡର୍ ବିଜୟ ଶଙ୍କରଙ୍କୁ ଦଳରେ ନିଆଯାଇଥିଲା। ଶଙ୍କରଙ୍କ ଚୟନକୁ ନେଇ ମୁଖ୍ୟ ଚୟନକର୍ତା ଏମଏସ୍କେ ପ୍ରସାଦ କହିଥିଲେ, ତାଙ୍କ ‘ଥ୍ରୀ-ଡି’ ଦକ୍ଷତା ପାଇଁ ସେ ସୁଯୋଗ ପାଇଲେ। ବ୍ୟାଟିଂ, ବୋଲିଂ ଏବଂ କ୍ଷେତ୍ରରକ୍ଷଣକୁ ସେ ଏହି ୩ ଶ୍ରେଣୀଭୁକ୍ତ କରିଥିଲେ। ଏହାକୁ ପରୋକ୍ଷରେ ସମାଲୋଚନା କରିବାକୁ ଯାଇ ରାୟୁଡୁ ଉପରୋକ୍ତ କଟାକ୍ଷ କରିଥିଲେ। ଏପରିକି ଶଙ୍କରଙ୍କ ଚୟନକୁ ମଧ୍ୟ କିମ୍ବଦନ୍ତୀ କ୍ରିକେଟର୍ ସୁନିଲ ଗାଭାସ୍କର ସମର୍ଥନ କରିଥିଲେ। ତେବେ ରାୟୁଡୁଙ୍କ ଟ୍ବିଟ୍ ଏବେ ବିସିସିଆଇ ସହ ଚୁକ୍ତିବଦ୍ଧ ଥିବା ଖେଳାଳିଙ୍କ ସ୍ବର ଉତ୍ତୋଳନକୁ ପଦାରେ ପକାଇଛି। ପୂର୍ବରୁ କରୁଣ ନାୟର ଦଳରୁ ବାଦ୍ ପଡ଼ିବା ପରେ ମଧ୍ୟ ପରୋକ୍ଷରେ ସ୍ବର ଉତ୍ତୋଳନ କରିଥିଲେ। କେବଳ ରାୟୁଡୁଙ୍କ ବାଦ୍ ନୁହେଁ ଋଷବ ପନ୍ତ୍ଙ୍କୁ ବିଶ୍ବକପ୍ ଦଳରେ ସୁଯୋଗ ନ ମିଳିବାକୁ ନେଇ ମଧ୍ୟ ଅନେକ ସମାଲୋଚନାର ଶିକାର ହୋଇଛି ବିସିସିଆଇ ଚୟନ ସମିତି। ପୂର୍ବତନ ଖେଳାଳି ଗୌତମ ଗମ୍ଭୀର କିନ୍ତୁ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି, ‘ଋଷବ ପନ୍ତ୍ଙ୍କୁ ବାଦ୍ ଦିଆଯିବାକୁ ନେଇ ଏତେ ବିତର୍କ ହେବା ଉଚିତ୍ ନୁହେଁ। ବରଂ ଅମ୍ବାତି ରାୟୁଡୁଙ୍କୁ ବାଦ୍ ଦିଆଯିବାର ନ ଥିଲା। ଜଣେ ଖେଳାଳି ଧଳା ବଲ୍ରେ ୪୮ ହାରରେ ଖେଳୁଛି ଏବଂ ବୟସ ମାତ୍ର ୩୩ ଥିଲେ ମଧ୍ୟ ବିଶ୍ବକପ୍ ଦଳରେ ସ୍ଥାନ ନ ପାଇବା ଦୁର୍ଭାଗ୍ୟଜନକ ବୋଲି ଗମ୍ଭୀର କହିଛନ୍ତି। ରାୟୁଡୁଙ୍କୁ ମଧ୍ୟ ପୂର୍ବତନ ସ୍ପିନର୍ ମୁରଲୀ କାର୍ତିକ ସମର୍ଥନ କରିଥିଲେ। ଅନ୍ୟତମ କ୍ରିକେଟର୍ ଦୀପ ଦାସଗୁପ୍ତା କିନ୍ତୁ ରାୟୁଡୁଙ୍କୁ ନ ନିଆଯିବା ପ୍ରସଙ୍ଗରେ ଚକିତ ହୋଇନାହାନ୍ତି।
ରାୟୁଡୁଙ୍କ ‘ଥ୍ରୀ-ଡି’ ଚଷମା ଚର୍ଚା
/sambad/media/post_attachments/wp-content/uploads/2019/04/ambati-rayudu_bccl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)