ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଲାଗ ଲାଗ ଦୁଇଟି ମ୍ୟାଚ୍‌ ହାରି ତଳମୁହାଁ ହୋଇଛି। ତେବେ ଏହାର ଦୁଇ ତାରକା ଅମ୍ବାତି ରାୟୁଡୁ ଏବଂ ଡ୍ବେନ୍‌ ବ୍ରାଭୋ ଆହତରୁ ମୁ୍କୁଳି ସାରିଲେଣି। ଦୁହେଁ ଫିଟ୍‌ ହୋଇସାରିଛନ୍ତି ଏବଂ ସିଏସ୍‌କେର ପରର୍ବତୀ ମ୍ୟାଚ୍‌ ଖେଳିବା ନିଶ୍ଚିତ ହୋଇଛି। ସିଏସ୍‌କେ ଶୁକ୍ରବାର ତା’ର ପରବର୍ତୀ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ସହ ଖେଳିବ। ଚଳିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଉଦ୍‌ଘାଟନୀ ମୁକାବିଲାରେ ରାୟୁଡୁଙ୍କ ପାଳି ହିଁ ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ସିଏସ୍‌କେକୁ ବିଜୟୀ କରାଇଥିଲା। ଏହାପରଠୁ ସେ ଆଉ ଖେଳିନାହାନ୍ତି।

Advertisment

ମାଂସପେଶୀ ଟାଣି ହୋଇଥିବାରୁ ରାୟୁଡୁ ଖେଳିବାରୁ ବଞ୍ଚିତ ହୋଇଥିଲେ। ଏବେ କିନ୍ତୁ ସେ ଟ୍ରେନିଂ ବେଳେ ଭଲ ଦୌଡ଼ି ପାରୁଛନ୍ତି ଏବଂ ନେଟ୍‌ସରେ କୌଣସି ଅସୁବିଧା ନଭୋଗି ବ୍ୟାଟିଂ ମଧ୍ୟ କରୁଛନ୍ତି। ସେ ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ ନିଶ୍ଚିତ ଖେଳିବେ ବୋଲି ସୂଚନା ଦେଇଛନ୍ତି ସିଏସ୍‌କେ ସିଇଓ କାଶି ବିଶ୍ବନାଥନ୍‌। ଅନ୍ୟପକ୍ଷରେ ଅଣ୍ଟାରେ ଆଘାତ ଯୋଗୁଁ ଚଳିତ ସଂସ୍କରଣରେ ଆଦୌ ଖେଳିପାରିନଥିବା ବ୍ରାଭୋ ମଧ୍ୟ ପୂରା ଫିଟ୍‌ ହୋଇଯାଇଛନ୍ତି। ସେ ନେଟ୍‌ସରେ ଭଲ ବୋଲିଂ କରିଛନ୍ତି ଏବଂ ପ୍ରତ୍ୟାବର୍ତନ ପାଇଁ ବିଶ୍ବାସ ରଖିଛନ୍ତି। ତାଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ସିଏସ୍‌କେର ଶକ୍ତି ବୃଦ୍ଧି କରିବ ବୋଲି ବିଶ୍ବନାଥନ୍‌ କହିଛନ୍ତି।