ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଦ୍ୱାରା କରାଯାଇଥିବା ବାଧ୍ୟତାମୂଳକ ଖେଳାଳିଙ୍କ ଶାରୀରିକ ପରୀକ୍ଷା (ୟୋ-ୟୋ ଟେଷ୍ଟ)ରେ ଅଧିନାୟକ ବିରାଟ କୋହଲି ପାସ୍ କରିଥିଲା ବେଳେ ଅମ୍ବାତି ରାୟୁଡୁ ଫେଲ୍ ହୋଇଛନ୍ତି। ଫଳରେ କୋହଲି ଆୟର୍ଲାଣ୍ଡ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବା ନିଶ୍ଚିତ ହୋଇଯାଇଥିଲା ବେଳେ ରାୟୁଡୁ ଇଂଲଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୁରେଶ ରାଇନାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ଫଳରେ ପାଖାପାଖି ତିନି ବର୍ଷ ପରେ ରାଇନା ଦିନିକିଆ ଦଳକୁ ଫେରିଲେ। ଇଂଲଣ୍ଡ ଗସ୍ତ ପାଇଁ ଘୋଷିତ ଦଳର ପ୍ରାୟ ସମସ୍ତ ଖେଳାଳି ଏହି ପରୀକ୍ଷାରେ ସଫଳ ହୋଇଥିଲା ବେଳେ ଏକା ରାୟୁଡୁଙ୍କ ପାଇଁ ଖରାପ ଖବର ମିଳିଥିଲା। ଚଳିତ ବର୍ଷର ଆଇପିଏଲ୍ରେ ଦମ୍ଦାର ପ୍ରଦର୍ଶନକୁ ଭିତ୍ତିି କରି ପ୍ରାୟ ଦେଢ଼ବର୍ଷ ପରେ ଦିନିକିଆ ଦଳକୁ ଫେରିଥିଲେ ମଧ୍ୟ ରାୟୁଡୁଙ୍କ ବେଳା ଭଲ ନଥିଲା। ଶୁକ୍ରବାର ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ହୋଇଥିବା ଶାରୀରିକ ପରୀକ୍ଷାରେ ବିଫଳତା ଯୋଗୁଁ ସେ ହିଁ ଦଳରୁ ବାଦ୍ ପଡ଼ିଲେ। ତେବେ ତାଙ୍କ ବଦଳ ଖେଳାଳି ଚୟନ ନେଇ ମନୋନୟନ ସମିତି ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା। ଶେଷରେ ରାଇନାଙ୍କୁ ହିଁ ସୁଯୋଗ ମିଳିଲା। ଶେଷଥର ପାଇଁ ରାଇନା ୨୦୧୫ ଅକ୍ଟୋବରରେ ଦିନିକିଆ ଖେଳିଥିଲେ। ରାୟୁଡୁଙ୍କ ବ୍ୟତୀତ ସଞ୍ଜୁ ସାମ୍ସନ୍ ଏବଂ ମହମ୍ମଦ ସାମି ମଧ୍ୟ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି। ଉଭୟେ ସାମ୍ସନ୍ ଏବଂ ସାମି ମଧ୍ୟ ଦଳରୁ ନିଜ ନିଜ ସ୍ଥାନ ହରାଇଛନ୍ତି। ତେବେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଭୁବନେଶ୍ୱର କୁମାର, କେଦାର ଯାଦବଙ୍କ ପାଇଁ ଏହି ପରୀକ୍ଷା ବିଶେଷ ଅସୁବିଧା କରିନଥିଲା। ସେହିପରି ଜସ୍ପ୍ରୀତ୍ ବୁମ୍ରା, ସିଦ୍ଧାର୍ଥ କୌଲ, ଓ୍ଵାସିଂଟନ୍ ସୁନ୍ଦର, ୟୁଜ୍ବେନ୍ଦ୍ର ଚହଲ୍ ଓ ମନୀଷ ପାଣ୍ଡେ ମଧ୍ୟ ଏହି ପରୀକ୍ଷା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ୧୫ ତାରିଖ ପରୀକ୍ଷାରେ ଉପସ୍ଥିତ ରହିପାରିବେନି ବୋଲି ବିସିସିଆଇଠୁ ଅନୁମତି ପାଇଥିବା ରୋହିତ ଶର୍ମା ଆସନ୍ତାକାଲି ପରୀକ୍ଷା ଦେବେ। ସୂଚନାଯୋଗ୍ୟ, ଭାରତ ଚଳିତ ମାସ ଶେଷ ସପ୍ତାହରେ ଇଂଲଣ୍ଡ ଗସ୍ତ କରି ଜୁନ୍ ୨୭ ଓ ୨୯ ତାରିଖରେ ଆୟର୍ଲାଣ୍ଡ ସହ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବା ପରେ ଜୁଲାଇ ୩ରୁ ଇଂଲଣ୍ଡ ସହ ୩ ଟେ୍ଵଣ୍ଟି-୨୦, ୩ ଦିନିକିଆ ଏବଂ ୫ ଟେଷ୍ଟ୍ ଖେଳିବ।
ରାୟୁଡୁ ଫେଲ୍, ଦିନିକିଆ ଦଳରେ ରାଇନା
ଶାରୀରିକ ପରୀକ୍ଷାରେ କୋହଲି ପାସ୍
/sambad/media/post_attachments/wp-content/uploads/2018/02/4-Ambati-Rayudu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)