ଚାଲେଞ୍ଜର୍ସ ଚମକରେ ରୟାଲ୍ସ ଚିତ୍

ଦୁବାଇ: ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଚଳିତ ଆଇପିଏଲ୍‌ରେ ବୁଧବାର ଚମକପ୍ରଦ ବିଜୟ ହାସଲ କରିଛି। ପୂର୍ବବିଜେତା ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିବା ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି ବିରାଟ କୋହଲିଙ୍କ ଦଳ। ବଡ଼ ବିଜୟ ହାସଲ କରି ନିଜ ରନ୍‌ ରେଟ୍‌ରେ ମଧ୍ୟ ଯଥେଷ୍ଟ ଉନ୍ନତି ଆଣିଛି। ଆର୍‌ସିବି ଏବେ ଏକାଦଶ ମ୍ୟାଚ୍‌ରୁ ସପ୍ତମ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ସେହି ଏକାଦଶ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରିବା ପରେ ରାଜସ୍ଥାନ ରୟାଲ୍ସର ପ୍ଲେ ଅଫ୍ ‌ଯିବା ଆଶଙ୍କା ବଢ଼ି ଯାଇଛି।

ବୁଧବାରର ଏହି ଏକତରଫା ମ୍ୟାଚ୍‌ରେ ଆର୍‌ସିବି ଉଭୟ ବଲ୍ ଓ ବ୍ୟାଟ୍‌ରେ ରାଜସ୍ଥାନ ରୟାଲ୍ସଠାରୁ ଭଲ ଖେଳିଥିଲା। ପ୍ରଥମ ୧୦ ଓଭର ସୁଦ୍ଧା ଦୃଢ଼ ସ୍ଥିତିରେ ଥିବା ରାଜସ୍ଥାନ ରୟାଲ୍ସକୁ ଏହି ଦଳର ବୋଲରମାନେ ୧୪୯/୯ରେ ଅଟକାଇ ଦେଇଥିଲେ। ଏହା ପରେ ବ୍ୟାଟର୍‌ ୧୭.୧ ଓଭରରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲେ। ଏଥିରେ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ପ୍ରମୁଖ ଭୂମିକା ତୁଲାଇଥିଲେ। ମାତ୍ର ୩୦ ବଲ୍‌ରୁ ୫୦* ରନ୍ କରି ସେ ହିଁ ଆର୍‌ସିବିକୁ ସହଜ ବିଜୟ ଉପହାର ଦେଇଥିଲେ। ସେ ୧୭ତମ ଓଭରରେ ୧୬ ରନ୍‌ ଆଦାୟ କରିଥିଲା ବେଳେ ଅଷ୍ଟ୍ରେଲୀୟ ଭାବେ ଟି-୨୦‌େର ୭୦୦୦ ରନ୍‌ ପୂରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ୨୫, ଦେବଦତ୍ତ ପଡ଼ିକଲ ୨୨ ଏବଂ ଶ୍ରୀକର ଭରତ ୪୪ ରନ୍ କରିଥିଲେ। ରିୟାନ ପରାଗଙ୍କୁ ଚୌକା ମାରି ଏବି ଡି’ଭିଲିୟର୍ସ ୧୭ ବଲ୍ ପୂର୍ବରୁ ଆର୍‌ସିବି ବିଜୟରେ ମୁଣ୍ଡି ମାରିଥିଲେ। ମିତ୍ତବ୍ୟୟୀ ବୋଲିଂ ପାଇଁ ୟୁଝ୍‌ବେନ୍ଦ୍ର ଚହଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ପ୍ଲେ ଅଫ୍ ପ୍ରବେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ଏହି ମ୍ୟାଚ୍‌ରେ ଆର୍‌ସିବି ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ଆର୍‌ସିବି ଆକଳନକୁ ଭୁଲ ପ୍ରମାଣିତ କରି ଓପନର ଇଭିନ ଲୁଇସ୍ ଓ ଯଶସ୍ବୀ ଜୟସ୍ବାଲ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ଦ୍ରୁତ ୭୭ ରନ୍ ଯୋଡ଼ିଥିଲେ। ନବମ ଓଭରରେ ଜୟସ୍ବାଲଙ୍କୁ ଆଉଟ୍ କରି ଡାନ୍ କ୍ରିଷ୍ଟିଆନ୍ ରାଜସ୍ଥାନକୁ ପ୍ରଥମ ଝଟ୍‌କା ଦେଇଥିଲେ। ତେବେ ଠିକଣା ସମୟରେ ଲୁଇସଙ୍କୁ ହରାଇବା ରୟାଲ୍ସ ପାଇଁ ସବୁଠାରୁ ବଡ଼ ଧକ୍କା ହୋଇଥିଲା। ଆଇପିଏଲ୍ ପଦାର୍ପଣ କରିଥିବା ଇଂଲଣ୍ଡର ବାମହାତୀ ଯୁବ ଦ୍ରୁତ ବୋଲର ଜର୍ଜ ଗାର୍ଟନ ଦ୍ବାଦଶ ଓଭରରେ ଲୁଇସଙ୍କୁ ନିଜ ପ୍ରଥମ ଶିକାର କରିଥିଲେ। ଏହା କରି ସେ ମଧ୍ୟ ଆର୍‌ସିବିକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଲୁଇସ୍ ଆଉଟ୍ ହେବା ପରେ ରାଜସ୍ଥାନ ରୟାଲ୍ସ ଅଚାନକ ଘୋର ବିପର୍ଯ୍ୟାୟର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୪୯ ରନ୍ କରିଥିଲା। ପ୍ରଥମ ୧୦ ଓଭରରେ ୯୧ ରନ୍ କରିଥିବା ରାଜସ୍ଥାନ ରୟାଲ୍ସ ତା ପାଳି ଶେଷ ହେବା ବେଳକୁ ୨୦୦ ଛୁଇଁବ ବୋଲି ଆଶା କରାଯାଉଥିଲା।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଦ୍ରୁତ ବୋଲର ହର୍ଷଲ ପଟେଲ ଏବଂ ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରୁ ବାଦ ପଡ଼ିଥିବା ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ମାପଚୁପ ବୋଲିଂ ପାଇଁ ଆର୍‌ସିବି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ତା ସହ ରାଜସ୍ଥାନ ରୟାଲ୍ସ ନିଜ ପାଳିର ଦ୍ବିତୀୟାର୍ଦ୍ଧରେ ଅର୍ଥାତ୍ ଶେଷ ୧୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୪୯ ରନ୍ ଯୋଡ଼ି ପାରିଥିଲା। ରାଜସ୍ଥାନ ରୟାଲ୍ସ ପାଳିର ଶେଷ ଓଭରରେ ହର୍ଷଲ ବ୍ୟକ୍ତିଗତ ଭାବେ ଚଳିତ ଆଇପିଏଲ୍‌ରେ ଦ୍ବିତୀୟ ହ୍ୟାଟ୍ରିକ୍ ହାସଲ କରିବାର ଦ୍ବାର ଦେଶରେ ଥିଲେ। ବିଂଶ ଓଭରର ପ୍ରଥମ ଦୁଇ ବଲ୍‌ରେ ରିୟାନ ପରାଗ ଓ କ୍ରିସ୍ ମୋରିସଙ୍କୁ ପ୍ୟାଭିଲିୟନ ପେରାଇ ଦେଇଥିଲେ ସେ। ତେବେ ତୃତୀୟ ବଲ୍‌କୁ ଚେତନ ସାକାରିଆ ରକ୍ଷଣାତ୍ମକ ଢଙ୍ଗରେ ଖେଳି ହର୍ଷଲଙ୍କୁ ଏକ ଅନନ୍ୟ କୀର୍ତ୍ତିମାନ କରିବାରୁ ରୋକିଥିଲେ। ତଥାପି ଷଷ୍ଠ ବଲ୍‌ରେ ସେହି ସାକାରିଆଙ୍କୁ ଆଉଟ୍ କରି ହର୍ଷଲ ଏହି ଓଭରରୁ ୩ଟି ୱିକେଟ୍ ଅମଳ କରିଥିଲେ। ବାମହାତୀ ସ୍ପିନର ଶାହବାଜ ଅହମ୍ମଦ ମଧ୍ୟ ଚମତ୍କାର ବୋଲିଂ କରି କେବଳ ୧୦ ରନ୍‌ରେ ରାଜସ୍ଥାନର ଦୁଇ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ।

ସମ୍ବନ୍ଧିତ ଖବର