ବେଙ୍ଗାଲୁରୁ: ବିରାଟ କୋହଲି ଏବଂ ଦେବଦତ୍ତ ପଡ଼ିକଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଜୋସ୍ ହାଜେଲଉଡ୍ଙ୍କ ନିର୍ଣ୍ଣାୟକ ୧୯ତମ ଓଭର (୧ ରନ୍, ୨ ୱିକେଟ୍) ବଳରେ ଆର୍ସିବି ଘରୋଇ ଗ୍ରାଉଣ୍ଡ୍ର ପରାଜୟ ଧାରାକୁ ଭାଙ୍ଗିଛି। ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଚଳିତ ବର୍ଷ ୩ରୁ ୩ ପରାଜୟ ବରଣ କରିଥିବା ଆର୍ସିବି ଗୁରୁବାର ରାଜସ୍ଥାନ ରୟାଲ୍ସକୁ ୧୧ ରନ୍ରେ ହରାଇ ଦେଇଛି। ଆର୍ସିବି ନବମ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ତୃତୀୟକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ନବମ ମ୍ୟାଚ୍ରୁ ସପ୍ତମ ପରାଜୟ ସହ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିବା ଆଶଙ୍କାରେ ପଡ଼ିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଆର୍ସିବିର ପ୍ରାରମ୍ଭିକ ଯୋଡ଼ି ଫିଲ୍ ସଲ୍ଟ ଓ ବିରାଟ କୋହଲି ପାୱାର ପ୍ଲେ’ରେ କୌଣସି କ୍ଷତି ନ ଘଟାଇ ୫୯ ରନ୍ ସଂଗ୍ରହ କରି ନେଇଥିଲେ। କିନ୍ତୁ ଏହି ପର୍ଯ୍ୟାୟ ଶେଷରେ ନିଆଯାଇଥିବା ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍ ପରେ ଫିଲ୍ ସଲ୍ଟ (୨୩ ବଲ୍ରୁ ୨୬ ରନ୍)ଙ୍କୁ ୱାନିନ୍ଦୁ ହସରଙ୍ଗା ଆଉଟ୍ କରି ଦେଇଥିଲେ। ଏତିକି ବେଳେ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ମଝିରେ ଏକାଠି ହୋଇଥିବା ବିରାଟ କୋହଲି ଓ ଦେବଦତ୍ତ ପଡ଼ିକଲ ୮.୩ ଓଭରରେ ୯୫ ରନ୍ର ମହତ୍ତ୍ବପୂର୍ଣ୍ଣ ଭାଗୀଦାରି ଗଢ଼ି ଘରୋଇ ଦଳକୁ ୪ ଓଭର ପୂର୍ବରୁ ୧୬୦ ପାର୍ କରାଇଥିଲେ। କୋହଲିଙ୍କୁ (୪୨ ବଲ୍ରୁ ୭୦ ରନ୍, ୮ ଚୌକା, ୨ ଛକା)ଙ୍କୁ ଜୋଫ୍ରା ଆର୍ଚର ଓ ପଡ଼ିକଲ୍ (୨୭ ବଲ୍ରୁ ୫୦ ରନ୍, ୪ ଚୌକା, ୩ ଛକା)ଙ୍କୁ ସନ୍ଦୀପ ଶର୍ମା ଆଉଟ୍ କରି ଏଥିରେ ରୋକ୍ ଲଗାଇଥିଲେ। ଅଧିନାୟକ ରଜତ ପଟିଦାର (୧)ଙ୍କୁ ସନ୍ଦୀପ ଶର୍ମା ଦ୍ବିତୀୟ ଶିକାର କରିଥିଲେ। ଶେଷ ୩ ଓଭରରୁ ୩୮ ରନ୍ ଆଦାୟ କରିଥିଲେ ଟିମ୍ ଡେଭିଡ୍ (୧୫ ବଲ୍ରୁ ୨୩ ରନ୍) ଓ ଜିତେଶ ଶର୍ମା (୧୦ ବଲ୍ରୁ ୨୦* ରନ୍)। ଫଳରେ ଆର୍ସିବି ୨୦୫ ରନ୍ରେ ପହଞ୍ଚିଯାଇଥିଲା।
ସଂକ୍ଷିପ୍ତ ସ୍କୋର: ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୨୦୫/୫ (ବିରାଟ କୋହଲି-୭୦, ଦେବଦତ୍ତ ପଡ଼ିକଲ-୫୦, ଫିଲ ସଲ୍ଟ-୨୬, ଟିମ୍ ଡେଭିଡ୍-୨୩, ଜିତେଶ ଶର୍ମା-୨୦*, ସନ୍ଦୀପ ଶର୍ମା-୨/୪୫, ୱାନିନ୍ଦୁ ହସରଙ୍ଗା-୧/୩୦, ଜୋଫ୍ରା ଆର୍ଚର-୧/୩୩)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୯୪/୯ (ଯଶସ୍ବୀ ଜୟସ୍ବାଲ-୪୯, ଧୃବ ଜୁରେଲ-୪୭, ନୀତୀଶ ରାଣା-୨୮, ଜୋସ୍ ହାଜେଲଉଡ୍-୪/୩୩, କ୍ରୁନାଲ୍ ପାଣ୍ଡ୍ୟା-୨/୩୧, ୟାସ ଦୟାଲ-୧/୩୩, ଭୁବନେଶ୍ବର କୁମାର-୧/୫୦)।