ମୁଲାନପୁର: ମାତ୍ର ୨୪.୧ ଓଭର ଭିତରେ ସରିଯାଇଛି ଆଇପିଏଲ୍‌ର ପ୍ରଥମ କ୍ବାଲିଫାୟାର୍‌। ଗୁରୁବାର ଲିଗ୍ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ ବର୍ଷ ପରେ ଫାଇନାଲ୍‌ରେ ପ୍ରବେଶ କରିଛି।‌ କେବେ ବି ଟ୍ରଫି ଜିତିନଥିବା ଏହି ଦଳ ମୋଟ ଉପରେ କିନ୍ତୁ ଚତୁର୍ଥ ଥର (୨୦୦୯, ୨୦୧୧, ୨୦୧୬, ୨୦୨୫) ଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ଶ୍ରେୟସ ଆୟରଙ୍କ ପଞ୍ଜାବ ଦଳକୁ ଫାଇନାଲ୍ ପ୍ରବେଶ ପାଇଁ ଦ୍ବିତୀୟ ସୁଯୋଗ ରହିଛି। ରବିବାର ଏହି ଦଳ କ୍ବାଲିଫାୟାର୍‌-୨ରେ ଦ୍ବିତୀୟ ଭାଗ୍ୟପରୀକ୍ଷା କରିବ। ଶୁକ୍ରବାର ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ-ଗୁଜରାଟ ଟାଇଟନ୍ସର ଏଲିମିନେଟର୍‌ ବିଜେତା ଦଳକୁ ଅହମଦାବାଦରେ ଭେଟିବ।

Advertisment

ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଆର୍‌ସିବି ପାଇଁ ପ୍ରତି ବୋଲର ଘାତକ ବୋଲିଂ କରିଥିଲେ। ମେଘୁଆ ପରିବେଶ ବି ସେମାନଙ୍କୁ ମୁଲାନପୁରର ମହାରାଜା ୟାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ ପିଚ୍‌ରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇବାକୁ ସହାୟକ ହୋଇଥିଲା। ପେସ୍‌ ବୋଲର ଭୁବନେଶ୍ବର କୁମାର, ୟଶ ଦୟାଲ, ଜୋସ୍ ହାଜେଲଉଡ୍‌, ରୋମାରିଓ ସେପର୍ଡ ମିଳିତ ଭାବେ ୭ ୱିକେଟ୍ ଅକ୍ତିଆର କରିଥିବାବେଳେ ସ୍ପିନର୍ ସୂୟାଶ ଶର୍ମା (୩-୦-୧୭-୩) ଅବଶିଷ୍ଟ କାର୍ଯ୍ୟ କରିଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ହାଜେଲଉଡ୍‌ ବି ପ୍ରଭାବୀ (୩.୧-୦-୨୧-୩) ରହିଥିଲେ। ଘରୋଇ ଶ୍ରେୟସ ଆୟରଙ୍କ ପାଇଁ କେବଳ ପ୍ରଭସିମରନ୍ ସିଂହ (୧୮), ମାର୍କସ ଷ୍ଟୋଇନିସ୍ (୨୬), ଅଜମାତୁଲ୍ଲା ଓମାରଜାଇ (୧୮) ଦୁଇ ଅଙ୍କ ଛୁଇଁ ପାରିଥିଲେ। ପଞ୍ଜାବ ପାଳି ମାତ୍ର ୧୪.୧ ଓଭରରେ ଶେଷ ହୋଇଯାଇଥିଲା। ଯାହାକି ଆଇପିଏଲ୍ ଇତିହାସରେ କୌଣସି ପ୍ଲେ ଅଫ୍ ‌ମ୍ୟାଚ୍‌ରେ ସର୍ବନିମ୍ନ ଓଭର ବିଶିଷ୍ଟ ପାଳି ହୋଇଥିଲା। ୨୦୦୮ ପ୍ରଥମ ସଂସ୍କରଣରେ ଦିଲ୍ଲୀ ଡେୟାର୍‌ଡେଭିଲ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୬.୧ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ଚଳିତ ସଂସ୍କରଣରେ ପଞ୍ଜାବ ମଧ୍ୟ ମୁଲାନପୁରରେ ଦୁଇ ଥର ଛୋଟ ସ୍କୋର୍‌ କରି ଲଜ୍ଜିତ ହୋଇଛି। କେକେଆର୍ ଏହି ଦଳକୁ ଚଳିତ ବର୍ଷ ୧୧୧ ରନ୍‌ରେ ଏଠାରେ ଅଲ୍ଆଉଟ୍ କରିଥିଲା।

ଜବାବରେ ଆର୍‌ସିବି ପାଇଁ ୧୦୨ ରନ୍ ଲକ୍ଷ୍ୟ ବିଶେଷ ଅସୁବିଧା ହୋଇନଥିଲା। ବିରାଟ କୋହଲି (୧୨) ଜାମିସନ୍‌ଙ୍କ ସୁଇଙ୍ଗ୍‌ର ଶିକାର ‌ହୋଇଥିଲେ। ଫିଲ୍ ସଲ୍ଟ କିନ୍ତୁ ୨୩ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ସଲ୍ଟ ମଧ୍ୟ ୫୭୫ ବଲ୍‌ରୁ ୧୦୦୦ ଆଇପିଏଲ୍ ରନ୍ ପୂରଣ କରି ଯୁଗ୍ମ ଦ୍ବିତୀୟ ଦ୍ରୁତତମ ହୋଇଛନ୍ତି। ଆନ୍ଦ୍ରେ ରସେଲ ୫୪୫ ବଲ୍‌ରୁ ଏବଂ ଟ୍ରାଭିସ୍ ହେଡ୍‌ ୫୭୫ ବଲ୍‌ରୁ ୧,୦୦୦ ଆଇପିଏଲ୍ ରନ୍ ପୂରଣ କରିଥିଲେ। କ୍ବାଲିଫାୟାର୍‌-୧ରେ ବିଜୟୀ ଦଳ, ବିଗତ କ୍ବାଲିଫାୟାର ବ୍ୟବସ୍ଥା ଆରମ୍ଭ (୨୦୧୧) ପରଠାରୁ ୧୧ ଥର ବିଜେତା ହୋଇଥିବାରୁ ଏବେ ସବୁକିଛି ଆର୍‌ସିବି ସପକ୍ଷରେ ଥିବାଭଳି ମନେ ହେଉଛି।
ସଂକ୍ଷିପ୍ତ ସ୍କୋର: ପଞ୍ଜାବ କିଙ୍ଗ୍ସ ୧୪.୧ ଓଭରରେ ୧୦୧/୧୦ (ମାର୍କସ ଷ୍ଟୋଇନିସ୍-୨୬, ପ୍ରଭସିମରନ୍ ସିଂହ-୧୮, ଆଜମାତୁଲ୍ଲା ଓମାରଜାଇ-୧୮, ସୂୟାଶ ଶର୍ମା-୩/୧୭, ଜୋସ୍ ହାଜେଲଉଡ୍‌-୩/୨୧, ୟଶ ଦୟାଲ-୨/୨୬, ରୋମାରିଓ ସେପାର୍ଡ-୧/୫, ଭୁବନେଶ୍ବର କୁମାର-୧/୧୭)। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦ ଓଭରରେ ୧୦୬/୨ (ଫିଲ୍ ସଲ୍ଟ-୫୬*, ମୟଙ୍କ ଅଗ୍ରୱାଲ-୧୯*, ରଜତ ପଟିଦାର-୧୫*, କାଇଲ୍ ଜାମିସନ୍‌-୧/୨୭, ମୁସିର୍ ଖାନ୍‌-୧/୨୭)।