ବେଙ୍ଗାଲୁରୁ : ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଚଳିତ ଆଇପିଏଲ୍ରେ ପୁଣି ଥରେ ବିଜୟ ଧାରାକୁ ଫେରିଛି। ଶନିବାର ଡବଲ୍ ହେଡରର ପ୍ରଥମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନ୍ରେ ଆର୍ସିବି ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍ରେ ଆର୍ସିବି ବିଜୟୀ ହେବା ପରେ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ପରାଜୟର ସାମ୍ନା କରିଥିଲା। ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀର ଦୁର୍ବଳ କ୍ଷେତ୍ରରକ୍ଷଣରୁ ଫାଇଦା ଉଠାଇବା ସହ ୬ ୱିକେଟ୍ ବିନିମୟରେ ୧୭୪ ରନ୍ ସଂଗ୍ରହ କରିଥିଲା। ତେବେ ପୁଣି ଥରେ ଦିଲ୍ଲୀ ବ୍ୟାଟର ସମସ୍ତଙ୍କୁ ନିରାଶ କରି ୧୫୧/୯ରେ ସୀମିତ ରହିଥିଲ। ଅର୍ଦ୍ଧଶତକୀୟ ପାଳି ସାଙ୍ଗକୁ ୩ ଚମତ୍କାର କ୍ୟାଚ୍ ପାଇଁ କୋହଲିଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।
ବିବାହ କାର୍ଯ୍ୟ ସାରି ମିଚେଲ ମାର୍ସ ଦିଲ୍ଲୀକୁ ଫେରିଥିଲା ବେଳେ ଶ୍ରୀଲଙ୍କାର ଦାୟିତ୍ବ ଶେଷ କରି ୱାନିନ୍ଦୁ ହସରଙ୍ଗା ଆର୍ସିବିରେ ଯୋଗଦେଇଥିଲେ। ସେହିପରି ବିଜୟ କୁମାର ବୈଶାକ ଆର୍ସିବି ପକ୍ଷରୁ ଆଇପିଏଲ୍ ପଦାର୍ପଣ କରିଥିଲେ। ପ୍ରଥମରୁ ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ୧୦.୦୦ ହାରରେ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ପଞ୍ଚମ ଓଭରରେ ମାର୍ସଙ୍କ ଲେନ୍ଥ ବଲ୍କୁ ବଡ଼ ସଟ୍ ମାରିବାକୁ ଯାଇ ଡୁପ୍ଲେସିସ୍ ମିଡ୍ ୱିକେଟ୍ରେ ଅମନ ହାକିମ୍ଙ୍କ ହାତରେ ଧରାପଡ଼ିଥିଲେ। ୩୩ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିବା ପରେ ବିରାଟ କୋହଲି ମଧ୍ୟ ପରବର୍ତ୍ତୀ ବଲ୍ରେ ଆଉଟ୍ ହୋଇଯିବାରୁ ଆର୍ସିବିକୁ ଦ୍ବିତୀୟ କ୍ଷତି ହୋଇଥିଲା। କିନ୍ତୁ ମହିପାଲ୍ ଲୋମରର୍, ଗ୍ଲେନ୍ ମ୍ୟାକ୍ସୱେଲ୍, ହର୍ଷଲ ପଟେଲ ଦ୍ରୁତ ଖେଳିବାକୁ ଯାଇ ଦୁଇ ଓଭର ବ୍ୟବଧାନ ଭିତରେ ୱିକେଟ୍ ହରାଇଥିଲେ। ୧୫ତମ ଓଭରରେ କୁଲଦୀପ ଯାଦବ ଲଗାତାର ବଲ୍ରେ ମ୍ୟାକ୍ସୱେଲ୍ ଓ ଦୀନେଶ କାର୍ତ୍ତିକଙ୍କୁ ଆଉଟ୍ କରି ଆର୍ସିବିକୁ ଅଧିକ ଚାପରେ ରଖିଥିଲେ। କିନ୍ତୁ ଶାହବାଜ ଅହମ୍ମଦ ଓ ଇମ୍ପାକ୍ଟ ପ୍ଲେୟାର ଅନୁଜ ରାୱତ ଆଉ ଦିଲ୍ଲୀ ବୋଲରଙ୍କୁ ସୁଯୋଗ ନଦେଇ ଦ୍ରୁତ ରନ୍ ବାହାର କରିଥିଲେ। ଦୁହେଁ ଶେଷ ୫ ଓଭରରେ ପାଖାପାଖି ୪୦ ରନ୍ ଯୋଡ଼ିଥିଲେ।
ଦିଲ୍ଲୀ କିନ୍ତୁ ପ୍ରଥମ ଓଭରରୁ ଇମ୍ପାକ୍ଟ ପ୍ଲେୟାର ଭାବେ ପୃଥ୍ବୀ ସ’ଙ୍କୁ ଆଣି ଅଧିକ ରନ୍ ବାହାର କରିବାକୁ ଯୋଜନା କରିଥିଲା। କିନ୍ତୁ ପୁଣି ଥରେ ନିରାଶ କରି ପୃଥ୍ବୀ ଖାତା ଖୋଲିବା ଆଗରୁ ପ୍ରଥମ ଓଭରରେ ରନ୍ଆଉଟ୍ ହୋଇଥିଲେ। ପ୍ରତ୍ୟାବର୍ତ୍ତନକାରୀ ମାର୍ସ ମଧ୍ୟ ଖାତା ଖୋଲିପାରିନଥିଲେ। ଆରମ୍ଭରୁ ରକ୍ଷଣାତ୍ମକ ଖେଳୁଥିବା ୱାର୍ଣ୍ଣରଙ୍କୁ ପଦାର୍ପଣକାରୀ ବୈଶାକ ଆଉଟ୍ କରି ପ୍ରଥମ ସଫଳତା ପାଇଥିଲେ। ପାୱାରପ୍ଲେ ମଧ୍ୟରେ ଦଳ ମାତ୍ର ୩୨ ରନ୍ କରିଥିଲା ବେଳେ ୪ ୱିକେଟ୍ ହରାଇସାରିଥିଲା। ମନୀଷ ପାଣ୍ଡେ ଅର୍ଦ୍ଧଶତକ ହାସଲ କରି ଯଦିଓ ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ, ହେଲେ ଅନ୍ୟପଟରୁ ତାଙ୍କୁ କେହି ସହାୟତା ଦେଉନଥିଲେ। ଅକ୍ଷର ପଟେଲଙ୍କ ସହ ମିଶି ପାଣ୍ଡେ ଷଷ୍ଠ ୱିକେଟ୍ରେ ଗୁରୁତ୍ବପୂର୍ଣ୍ଣ ୨୭ ରନ୍ ଯୋଡ଼ିଥିଲେ। କିନ୍ତୁ ଅକ୍ଷରଙ୍କ ୱିକେଟ୍ ଯିବା ପରେ ପୁଣି ଥରେ ଦିଲ୍ଲୀ ବ୍ୟାଟରମାନେ ଜଣଙ୍କ ପରେ ଜଣେ ପାଭିଲିଅନ୍ ଫେରିଥିଲେ। ଏହି ପାଳିରେ ଆର୍ସିବି ୬ ଜଣ ବୋଲରଙ୍କୁ ବ୍ୟବହାର କରିଥିଲା ବେଳେ ଶାହବାଜଙ୍କୁ ଛାଡ଼ି ଅନ୍ୟସମସ୍ତେ ସଫଳତା ପାଇଥିଲେ। ଏପରିକି ପଦାର୍ପଣକାରୀ ବୈଶାକ ପୂର୍ଣ୍ଣ କୋଟାରୁ ୨୦ ରନ୍ ବ୍ୟୟ କରି ୩ ୱିକେଟ୍ ଅକ୍ତିଆର କରିଥିଲେ। ସଂପୂର୍ଣ୍ଣ ପାଳିରେ ବୋଲରମାନେ ମାତ୍ର ୩ ଅତିରିକ୍ତ ରନ୍ ବ୍ୟୟ କରିଥିଲେ। ଯାହାକି ଦଳର ବିଜୟରେ ଅନ୍ୟତମ କାରଣ ବୋଲି କୁହାଯାଇପାରେ।