ବେଙ୍ଗାଲୁରୁ: ଆଇପିଏଲ୍ ବିଜେତା ଆର୍‌ସିବିର ବିଜୟ ଉତ୍ସବ ସମୟରେ ଦଳାଚକଟାରେ ମୃତାହତ ବ୍ୟକ୍ତିଙ୍କ ପ୍ରତି ସମବେଦନା ନ ଜଣାଇ ବିରାଟ କୋହଲି ପରିବାର ସହ ଲଣ୍ଡନ୍ ପଳାୟନ କରିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ତାଙ୍କ ପ୍ରଶଂସକ। ଏଥି ପାଇଁ ‘କୋହଲିଙ୍କୁ ଗିରଫ କର’ ଦାବି ଏବେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ କରିଛି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ବିଜୟ ଉତ୍ସବରେ ସାମିଲ ହେବାକୁ ପ୍ରାୟ ୩,୦୦,୦୦୦ ଲୋକ ଏକାଠି ହୋଇଯିବାରୁ ଏହି ଦଳଚକଟା ହୋଇଥିଲା ଏବଂ ୧୧ ଜଣଙ୍କ ପ୍ରାଣହାନି ଘଟିବା ସହ ବହୁ ଆହତ ବି ହୋଇଛନ୍ତି। କର୍ଣ୍ଣାଟକ ପୁଲିସ ଏହି ଦଳଚକଟା ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସ୍‌ସିଏ) ପ୍ରଶାସନିକ ସମିତି, ଆର୍‌ସିବି ଏବଂ ଅନ୍ୟମାନଙ୍କ ନାମରେ ମାମଲା ଦାଏର କରିବା ପରେ ଆର୍‌ସିବି ଅଫିସିଆଲ୍‌ ଓ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍‌ ସଂସ୍ଥା ଡିଏନ୍‌ଏର ୪ ଜଣଙ୍କୁ ଗିରଫ କରାଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କିନ୍ତୁ ଆର୍‌ସିବି ଉପରେ ପ୍ରଶଂସକମାନେ ଖପା ହୋଇଛନ୍ତି। 

Advertisment

ଅନ୍ୟପକ୍ଷରେ ଶୁକ୍ରବାର ସକାଳେ କୋହଲି ଏବଂ ଅନୁଷ୍କା ଲଣ୍ଡନ୍ ଯାତ୍ରା ପାଇଁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛନ୍ତି। ମୃତ ପ୍ରଶଂସକଙ୍କ ପରିବାରକୁ କୋହଲି ଭେଟିଛନ୍ତି କି? ବୋଲି ପ୍ରଶଂସକମା‌ନେ ପ୍ରଶ୍ନ କରିଛନ୍ତି। ଏହା କରିବାକୁ ସେ ଲଣ୍ଡନ୍ ଗସ୍ତକୁ ବି ବିଳମ୍ବିତ କରିପାରିଥାନ୍ତେ ବୋଲି ମଧ୍ୟ ଅନେକ କହିଛନ୍ତି। ନିହାରିକା ଫ୍ରେଜର୍ ଷ୍ଟବ୍ସ ନାମକ ଜଣେ ‘ଏକ୍ସ’ରେ ଏହାକୁ ଅମାନବୀୟ ଉଲ୍ଲେଖ କରିଛନ୍ତି। ଆର୍‌ସିବି ପାଇଁ ଲଜ୍ଜିତ, କୋହଲିଙ୍କୁ ଗିରଫ କର ବୋଲି ଦାବି ଉଠାଇଛନ୍ତି। ମିନାକ୍ଷୀ ଯୋଶୀ ନାମ୍ନୀ ଅନ୍ୟ ଜଣେ ଲେଖିଛନ୍ତି ‘ପୁଷ୍ପା-୨ ପ୍ରିମିୟର୍ ସୋ’ ବେଳେ ଦଳାଚକଟାରେ ମାତ୍ର ଜଣେ ମହିଳାଙ୍କ ମୃତ୍ୟୁ ପାଇଁ ଅଭିନେତା ଆଲୁ ଅର୍ଜୁନ ଗିରଫ ହୋଇପାରିଲେ ତେବେ ଆର୍‌ସିବି ଉତ୍ସବରେ ମୃତ ୧୧ ଜଣଙ୍କ ପାଇଁ ବିରାଟ କୋହଲି କାହିଁକି ଗିରଫ ‌‌ହେ‌ବେ ନାହିଁ?’ ଭାରତରେ ପ୍ରଶଂସକଙ୍କ ପାଇଁ ପ୍ରସିଦ୍ଧ ଓ ପରିଚିତ ହେବା ପରେ ସେ ଏବେ ନିରୋଳାରେ ଲଣ୍ଡନ୍ ଯାତ୍ରା କରିବା ଜଣେ ତାରକାଙ୍କ ସ୍ବାର୍ଥପର ଗୁଣକୁ ଦର୍ଶାଉଛି’ ବୋଲି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି। କିଛି ପ୍ରଶଂସକ କିନ୍ତୁ କୋହଲିଙ୍କୁ କାହିଁକି ଗିରଫ କରାଯିବ ପ୍ରଶ୍ନ କରିଛନ୍ତି। ଖେଳାଳିଙ୍କୁ ନୁହେଁ, ବ୍ୟବସ୍ଥାକୁ ଦୋଷ ଦିଅ। ଆମେ ବିରାଟ କୋହଲିଙ୍କୁ ଭଲ ପାଉ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।