ଆଇପିଏଲ ଏଲିମିନେଟର ମ୍ୟାଚ: ଲକ୍ଷ୍ନୌକୁ ୧୪ ରନ୍‌ରେ ପରାସ୍ତ କଲା ବାଙ୍ଗାଲୋର

କୋଲକାତା : ସ୍ଥାନୀୟ ଇଡେନ ଗାଡେନ୍‌ସଠାରେ ଚାଲିଥିବା ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ୧୪ ରନ୍‌ରେ ପରାସ୍ତ କରିଛି ବାଙ୍ଗାଲୋର । ଦ୍ବିତୀୟ ପାଳିରେ ଲକ୍ଷ୍ନୌ ୨୦୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୬ ୱିକେଟ ହରାଇ ୧୯୩ ରନ୍‌ କରି ପରାସ୍ତ ହୋଇଛି । ଲକ୍ଷ୍ନୌ ପକ୍ଷରୁ କେ.ଏଲ୍ ରାହୁଲ ୭୯ ରନ୍‌ କରିଥିବା ବେଳେ ଦୀପକ ହୁଡା ୪୫ ରନ୍‌ ଓ ମାର୍କସ୍ ଷ୍ଟୋଇନିସ୍ ୯ ରନ୍‌ କରିଥିଲେ ସୁଦ୍ଧା ଲକ୍ଷ୍ନୌକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ଜୋସ୍ ହାଜଲେଉଡ୍ ୩ ୱିକେଟ ନେଇଥିବା ବେଳେ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ୱାନିନ୍ଦୁ ହାସରାଙ୍ଗା ୧-୧ ୱିକେଟ ନେଇ ବାଙ୍ଗାଲୋରକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ଆସନ୍ତା ୨୭ ତାରିଖରେ ଖେଳାଯିବାକୁ ଥିବା ୨ୟ କ୍ବାଲିଫାୟାରରେ ରାଜସ୍ଥାନକୁ ଭେଟିବ ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ରଜତ ପଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୭ ରନ କରିଥିଲା । ସେ ମାତ୍ର ୫୪ ବଲରେ ୧୧୨ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୭ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଦିନେଶ କାର୍ତ୍ତିକ ୩୭ ରନ କରିଥିବାବେଳେ ବିରାଟ କୋହଲି ୨୫ରନ କରିଥିଲେ । କିନ୍ତୁ ଓପନର ତଥା ଅଧିନାୟକ ଫାଫ ଡୁପ୍ଲେସିସ ଖାତା ଖୋଲିପାରିନଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ, ଅଭେସ ଖାଁ, କ୍ରୁନାଲ ପାଣ୍ଡ୍ୟା ଓ ମହସିନ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । କିନ୍ତୁ ଦୁଷ୍ମନ୍ତ ଚମିରା ନିଜର ୪ ଓଭରରେ ୫୪ ରନ ଦେଇ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ବି ଗୋଟିଏ ବି ଓ୍ବିକେଟ ପାଇନଥିଲେ ।

ସମ୍ବନ୍ଧିତ ଖବର