ଆଇପିଏଲ : କୋହଲିଙ୍କ ଶତକ, ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କଲା ବାଙ୍ଗାଲୋର

ହାଇଦ୍ରାବାଦ: ହାଇଦ୍ରାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୫ତମ ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ବାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ୧୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯,୨ ଓଭରରେ ୨ ୱିକେଟ ହରାଇ ୧୮୭ ରନ୍‌ କରି ବିଜୟୀ ହୋଇଛି । ବାଙ୍ଗାଲୋର ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ କରିଥିଲା। ଦୁଇ ଓପନର ବିରାଟ ଓ ଡୁ ପ୍ଲେସିସ୍‌ଙ୍କ ଦମ୍‌ଦାର ୧୭୨ ରନ୍‌ର ଭାଗିଦାରି ଦେଖିବାକୁ ମିଳିଥିଲା, ଡୁ ପ୍ଲେସିସ୍ ୭୧ ରନ୍‌ କରିଥିବା ବେଳେ ବିରାଟ ୬୩ ବଲରେ ୧୦୦ ରନ୍‌ କରିଥିଲେ । ଫଳରେ ବାଙ୍ଗାଲୋର ଏହି ମ୍ୟାଚ୍‌କୁ ୮ ୱିକେଟରେ ଜିତି ନେଇଛି।

ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ଟି ନାଟରାଜନ୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୧୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୪ର୍ଥରେ ରହିଛି । ବାଙ୍ଗାଲୋର ତାର ଶେଷ ମ୍ୟାଚ୍‌ ଗୁଜୁରାଟ ସହ ଖେଳିବ ଯଦି ଏହି ମ୍ୟାଚ୍‌ରେ ସେ ବିଜୟ ହାସଲ କରେ ଓ ମୁମ୍ବାଇ ତାର ଶେଷ ମ୍ୟାଚ୍‌ ହାଇଦ୍ରାବାଦ ଠାରୁ ପରାସ୍ତ ହୁଏ ତାହାଲେ ବାଙ୍ଗାଲୋର ପ୍ଳେ ଅଫକୁ ଯାଇ ପାରିବ ।

ଏହି ମ୍ୟାଚରେ ପ୍ରଥମ ପାଳିରେ ବାଙ୍ଗାଲୋର ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳ ଆରମ୍ଭରୁ ଅଳ୍ପ ରନ ବ୍ୟବଧାନରେ ଦୁଇ ଓପନର ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠିଙ୍କୁ ହରାଇଥିଲା ।

ରାହୁଲ ୧୫ରନ ଓ ଅଭିଷେକ ୧୧ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଆସିଥିବା ଆଇଡେନ ମାର୍କରାମ ଓ ହେନରିକ୍ କ୍ଲାସେନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ୭୬ରନର ଭାଗିଦାରୀ ହୋଇଥିଲା । ମାର୍କରାମ ୧୮ ରନ କରି ଆଉଟ ହେବା ପରେ ବି କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ସେ ଓ ହ୍ୟାରି ବ୍ରୁକ୍ସ ୮୨ ରନର ପାର୍ଟନରସିପ କରିଥିଲେ । କ୍ଲାସେନ ୫୧ଟି ବଲ ଖେଳି ୧୦୪ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ ଛକା ଓ ୮ ଚୌକା ମାରିଥିଲେ । ବ୍ରୁକ ଅପରାଜିତ ୨୭ ରନ କରିଥିଲେ । ଏହା ଫଳରେ ହାଇଦ୍ରାବାଦ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ରନ କରିଥିଲା ।

ସମ୍ବନ୍ଧିତ ଖବର