ଦ୍ବିତୀୟ କ୍ବାଲିଫାୟରରେ ଆର୍‌ସିବି-ରାଜସ୍ଥାନ; ଏଲିମିନେଟର ହାରି ଲକ୍ଷ୍ନୌର ବିଦାୟ

ପଟିଦାରଙ୍କ ପରାକ୍ରମୀ ଶତକ

କୋଲକାତା: ରଜତ ପଟିଦାରଙ୍କ ପରାକ୍ରମୀ ଶତକ ବଳରେ ପଦାର୍ପଣକାରୀ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୧୪ ରନ୍‌ରେ ପରାସ୍ତ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଚଳିତ ଆଇପିଏଲ୍‌ର ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟରରେ ଆର୍‌ସିବି ପ୍ରଥମ କ୍ବାଲିଫାୟରରେ ଫାଇନାଲିଷ୍ଟ ଗୁଜରାଟ ଟାଇଟନ୍ସଠାରୁ ହାରିଥିବା ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହାର ବିଜେତା ଦଳ ମେଗା ଫାଇନାଲରେ ୨୯ ତାରିଖ ଦିନ ଗୁଜରାଟର ମୁକାବିଲ କରିବ। ଅନ୍ୟ ପକ୍ଷରେ ବୁଧବାରର ଏଲିମିନେଟର ମ୍ୟାଚ୍ ହାରିବା ପରେ ଲକ୍ଷ୍ନୌ ଅଭିଯାନ ‌ଶେଷ ହୋଇଯାଇଛି।

ଆର୍‌ସିବି ଆଜି ଲକ୍ଷ୍ନୌ ସମ୍ମୁଖରେ ୨୦୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଅଧିନାୟକ କେଏଲ୍ ରାହୁଲ (୭୯) ଓ ଦୀପକ ହୁଦା (୪୫) ଲଢ଼ୁଆ ବ୍ୟାଟିଂ କରିଥିଲେ। ତେବେ ଅନ୍ୟ ବ୍ୟାଟର୍‌ଙ୍କ ବିଫଳତା ପାଇଁ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୧୯୩ ରନ୍‌ରେ ଅଟକି ଯାଇ କ୍ବାଲିଫାୟର ଟିକେଟ ହାସଲ କରିବାରୁ ବଞ୍ଚିତ ହୋଇଥିଲା। ପଟିଦାର ତାଙ୍କ ମ୍ୟାଚ୍ ବିଜୟୀ ତଥା ଛକା ଚୌକା ଭରା ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପଟିଦାରଙ୍କ ପରାକ୍ରମୀ ଶତକ
ଚଳିତ ଆଇପିଏଲ୍‌ର ଏଲିମିନେଟର୍‌ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପଦାର୍ପଣକାରୀ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସମ୍ମୁଖରେ ୨୦୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଅଦିନିଆ ବର୍ଷା ପାଇଁ ମ୍ୟାଚ୍ ପାଖାପାଖି ୪୫ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ହେଲେ ବୁଧବାର ସଂଧ୍ୟାର କୋହଲା ପାଗରେ ଆର୍‌ସିବିର ଅଣଅନ୍ତର୍ଜାତୀୟ ତାରକା ରଜତ ପଟିଦାର (୧୧୨*) ନିଜ ବିସ୍ଫୋରକ ବ୍ୟାଟିଂରେ ଉଷ୍ମତା ଭରି ଦେଇଥିଲେ। ଦୀନେଶ କାର୍ତ୍ତିକ ଏବଂ ସେ ଛକା ଚୌକା ବର୍ଷା କରି ଇଡେନ୍ ଗାର୍ଡେନ୍ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଆର୍‌ସିବିର ଆରମ୍ଭ କିନ୍ତୁ ଆଶାଜନକ ଭାବେ ହୋଇ ନଥିଲା। ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ଯାଇଥିଲେ। ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣି ଥରେ ସଂଘର୍ଷକରି ୨୪ ବଲ୍‌ରୁ ୨୫ ରନ୍‌ର ମନ୍ଥର ପାଳି ଖେଳିଥିଲେ। ସେହିଭଳି ଗ୍ଲେନ୍ ମ୍ୟାକ୍ସ‌ୱେଲ୍ (୯) ଏବଂ ମହିପାଲ ଲୋମରର (୧୪) ମଧ୍ୟ ବିଫଳ ହୋଇଥିଲେ। ତେବେ ପଟିଦାର ନିଜ ଆଇପିଏଲ୍ ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳି ୨୮ ବଲ୍‌ରୁ ୫୦ ଏବଂ ମାତ୍ର ୪୯ ବଲ୍‌ରୁ ଶତକ ଅର୍ଜନ କରିଥିଲେ। ୱିକେଟ୍ ରକ୍ଷକ କାର୍ତ୍ତିକ (୩୭*) ମଧ୍ୟ ପୁଣି ଥରେ ନିଜ ଯାଦୁ ଦେଖାଇଥିଲେ। ପଟିଦାର ଓ କାର୍ତ୍ତିକ ବହୁ ଅଣପାରମ୍ପରିକ ସଟ୍ ଖେଳି ଅବିଭା‌ଜିତ ପଞ୍ଚମ ୱିକେଟ୍‌ରେ ମାତ୍ର ୩୫ ବଲ୍‌ରୁ ୯୨ ଏବଂ ଶେଷ ୫ ଓଭରରୁ ୮୪ ରନ୍ ଯୋଡ଼ିଥିଲେ। ମୋହସିନ ଖାନଙ୍କୁ ଦର୍ଶନୀୟ ଛକା ମାରି ପଟିଦାର ସନ୍ ମାର୍ସ, ମନୀଷ ପା‌ଣ୍ଡେ, ପଲ୍ ଭଲଥାଟ୍ଟୀ ଓ ଦେବିଦତ୍ତ ପଡ଼ିକଲ୍‌ଙ୍କ ପରେ ଆଇପିଏଲ୍‌ରେ ଶତକ ହାସଲ କରିବାରେ ପଞ୍ଚମ ଅଣଅନ୍ତର୍ଜାତୀୟ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର