ବେଙ୍ଗାଲୁରୁ: ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ନିବିଡ଼ତା କାହାକୁ ଅଛପା ନାହିଁ। ଯଦିଓ ଆଇପିଏଲ୍‌ରେ ଉଭୟ ପରସ୍ପର ବିରୋଧରେ ଖେଳୁଛନ୍ତି, କିନ୍ତୁ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ସମ୍ମାନ ଦେଇଥା’ନ୍ତି। କୋହଲି ମଧ୍ୟ ଧୋନିଙ୍କୁ ବହୁତ ମାନିଥା’ନ୍ତି। କାରଣ ଯେତେବେଳେ ଖରାପ ସମୟରେ ସେ ପଡ଼ିଥିଲେ, କେବଳ ଧୋନି ହିଁ ତାଙ୍କୁ ମେସେଜ୍‌ କରିଥିଲେ। ଏବେ କୋହଲି ଆଉ ଏକ ବିଷୟକୁ ତାଙ୍କ ଟ୍ବିଟର ପେଜ୍‌ରେ ପୋଷ୍ଟ କରିଛନ୍ତି, ଯାହାକି ଅଧିକ ଚର୍ଚ୍ଚିତ ହୋଇଛି। କୋହଲି ତାଙ୍କ ଟ୍ବିଟର ପେଜ୍‌ରେ ଉଭୟଙ୍କ କୋଳାଗ୍ରତ ଫଟୋ ଛାଡ଼ିବା ସହ ଏଥିରେ ନାଲି ହାର୍ଟ ଓ ହଳଦିଆ ହାର୍ଟର ମିଶ୍ରଣରେ ଭାରତ ଗଠିତ ହେଉଥିବା ଦର୍ଶାଇଥିଲେ। ନାଲି ରଙ୍ଗ ଆର୍‌ସିବିକୁ ପ୍ରତିନିଧିତ୍ବ କରୁଥିଲା ବେଳେ ହଳଦିଆ ରଙ୍ଗ ସିଏସ୍‌କେକୁ ବୁଝାଉଛି। ଆଇପିଏଲ୍‌ ଟ୍ବିଟର ହ୍ୟାଣ୍ଡେଲ୍‌ ପକ୍ଷରୁ ମଧ୍ୟ କୋହଲି ଓ ଧୋନିଙ୍କ ମଧ୍ୟରେ ‌ମ୍ୟାଚ୍‌ ପରେ ହୋଇଥିବା ବାର୍ତ୍ତାଳାପର ଏକ ଭିଡିଓକୁ ପୋଷ୍ଟ କରାଯାଇଥିଲା।