କୋଲ୍‌କାତା: ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତ ଥରର ବ‌ିଜେତା କୋଲକାତା ନାଇଟ୍ ରାଇଡର୍ସକୁ ପରାଜୟରୁ ଅଭିଯାନ ଆରମ୍ଭ କରିବାକୁ ପଡ଼ିଛି। ଘରୋଇ ପଡିଆ ଇଡେନ୍ ଗାର୍ଡେନ୍ସରେ ଅଜିଙ୍କ୍ୟ ରାହାଣେଙ୍କ ଦଳକୁ ନବାଗତ ଅଧିନାୟକ ରଜତ ପଟିଦାରଙ୍କ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୭ ୱିକେଟ୍‌ରେ ହରାଇ ଦେଇଛି। ଅଷ୍ଟାଦଶ ସଂସ୍କରଣକୁ ଜର୍ସି ନମ୍ବର ୧୮ର ବିଖ୍ୟାତ ଖେଳାଳି ବିରାଟ କୋହଲି ମଧ୍ୟ ଚମତ୍କାର ଢ଼ଙ୍ଗରେ ଆରମ୍ଭ କରିଛନ୍ତି। ଫିଲ୍ ସଲ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ (୩୧ ବଲ୍‌ରୁ ୫୬ ରନ୍, ୯ ଚୌକା, ୨ ଛକା) ପରେ କିଙ୍ଗ୍‌ କୋହଲି (୩୬ ବଲ୍‌ରୁ ୫୯* ରନ, ୪ ଚୌକା, ୩ ଛକା) ଦଳକୁ ବିଜୟ ଦେଇଛନ୍ତି। ୧୭୫ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆର୍‌ସିବି ୨୨ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ପ୍ରଥମରୁ ଆତ୍ମବିଶ୍ବାସକୁ ସାଉଁଟି ନେଇଛି। ଫିଲ୍ ସଲ୍ଟ ୨୫ ବଲ୍‌ରୁ ଏବଂ ବିରାଟ କୋହଲି ୩୦ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ପରେ ରଜତ ପଟିଦାରଙ୍କ ୧୬ ବଲ୍‌ରୁ ୩୪ ରନ୍ (୫ ଚୌକା, ୧ ଛକା) ପାଳି ଦଳକୁ ସହଜ ବିଜୟ ଦେଇଛି। ଆର୍‌ସିବି ପଦାର୍ପଣରେ କ୍ରୁନାଲ ପାଣ୍ଡ୍ୟା ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Advertisment

ଆର୍‌ସିବିର ନୂଆ ଅଧିନାୟକ ରଜତ ପଟିଦାର ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରରେ କ୍ବିଣ୍ଟନ୍ ଡି’କକ୍ କ୍ୟାଚ୍‌ ଡ୍ରପରୁ ଜୀବନଦାନ ପାଇଥିଲେ ମଧ୍ୟ ଏଥିରୁ ଫାଇଦା ଉଠାଇପାରି ନଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେ କିନ୍ତୁ ମାତ୍ର ୨୫ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି କେକେଆର୍‌କୁ ବିସ୍ଫୋରକ ଆରମ୍ଭ ଦେଇଥିଲେ। ଅନ୍ୟପଟେ ସୁନୀଲ ନାରାୟଣ ୨୬ ବଲ୍‌ରୁ ୪୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ରାହାଣେ ମଧ୍ୟ ୩୧ ବଲ୍‌ରୁ ୫୬ ରନ୍ କରି ଫେରିଯାଇଥିଲେ। କ୍ରୁନାଲ୍ ପାଣ୍ଡ୍ୟା କ୍ରମାଗତ ଭାବେ ୩ ୱିକେଟ୍‌ ଅକ୍ତିଆର କରି କେକେଆର୍‌ର ୧୦+ ରନ୍‌ ହାର ଉପରେ ନିୟନ୍ତ୍ରଣ ଲଗାଇଥିଲେ। ମଧ୍ୟକ୍ରମରେ କେବଳ ଅଙ୍ଗକ୍ରିସ୍‌ ରଘୁବଂଶୀ (୨୨ ବଲ୍‌ରୁ ୩୦ ରନ୍) ଭଲ ବ୍ୟାଟିଂ କରିଥିଲେ ମଧ୍ୟ କେକେଆର୍‌ ଏହାର ଆଶା ମୁତାବକ ସ୍କୋର୍ କରିପାରିନଥିଲା। ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ ବିଫଳ ହେବାରୁ କେ‌କେଆର୍‌ ଶେଷ ୫ ଓଭରରେ ମାତ୍ର ୨୯ ରନ୍ ଯୋଡ଼ି ସମ୍ଭାବ୍ୟ ୨୦୦ ଟପି ପାରିନଥିଲା। କ୍ରୁନାଲ ପାଣ୍ଡ୍ୟା ୩ ଓ ଜୋସ୍ ହାଜେଲଉଡ୍ ୨ ୱିକେଟ୍ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୭୪/୮ (ଅଜିଙ୍କ୍ୟ ରାହାଣେ-୫୬, ସୁନୀଲ ନାରାୟଣ-୪୪, ଅଙ୍ଗକ୍ରିସ୍ ରଘୁବଂଶୀ-୩୦, ରିଙ୍କୁ ସିଂହ-୧୨, କ୍ରୁନାଲ୍ ପାଣ୍ଡ୍ୟା-୩/୨୯, ଜୋସ୍ ହାଜଲଉଡ୍‌-୨/୨୨, ୟଶ ଦୟାଲ-୧/୨୫, ରସିକ ସଲାମ-୧/୩୫, ସୂୟାଶ ଶର୍ମା-୧/୪୭)। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୬.୨ ଓଭରରେ ୧୭୭/୩ (ବିରାଟ କୋହଲି-୫୯*, ଫିଲ୍ ସଲ୍ଟ-୫୬, ରଜତ ପଟିଦାର-୩୪, ଲିଆମ ଲିଭିଙ୍ଗଷ୍ଟୋନ୍-୧୫*, ସୁନୀଲ ନାରାୟଣ-୧/୨୭, ବୈଭବ ଆରୋରା-୧/୪୨, ବରୁଣ ଚକ୍ରବର୍ତ୍ତୀ-୧/୪୩)।