ବେଙ୍ଗାଲୁରୁ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର ଘରୋଇ ଗ୍ରାଉଣ୍ଡ୍ ପରାଜୟ ଜାରି ରହିଛି। ଶୁକ୍ରବାର ବର୍ଷା କାଣ୍ଟଛାଣ୍ଟ୍ ମ୍ୟାଚ୍ରେ ଆର୍ସିବିକୁ ଭ୍ରମଣକାରୀ ପଞ୍ଜାବ କିଙ୍ଗ୍ସ ୫ ୱିକେଟ୍ରେ ହରାଇ ଦେଇଛି। ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରୁଥିବା ଆର୍ସିବି ମାତ୍ର ୯୫ ରନ୍ କରିଥିଲା। ପଞ୍ଜାବ କିଙ୍ଗ୍ସ କିନ୍ତୁ ୧୧ ବଲ୍ ପୂର୍ବରୁ ମ୍ୟାଚ୍ ଜିତିଯାଇଥିଲା। ଜୋସ୍ ହାଜେଲଉଡ୍ ୩ ୱିକେଟ୍ ନେଇ ରୋମାଞ୍ଚ ଭରିଥିଲେ ମଧ୍ୟ ନେହାଲ୍ ୱାଧେରା (୧୯ ବଲ୍ରୁ ୩୩* ରନ୍) ମ୍ୟାଚ୍ ଛଡ଼ାଇ ନେଇଥିଲେ। ପଞ୍ଜାବ କିଙ୍ଗ୍ସ ୧୨.୧ ଓଭରରେ ୫ ୱିକେଟ୍ ହରାଇ ୯୮ ରନ୍ ସଂଗ୍ରହ କରି ନେଇଥିଲା। ଏଥି ସହ ଶ୍ରେୟସ ଆୟରଙ୍କ ଦଳ ସପ୍ତମ ମ୍ୟାଚ୍ରୁ ପଞ୍ଚମ ବିଜୟ ହାସଲ କରି ଦ୍ବିତୀୟ ଦଳ ଭାବେ ୧୦ ପଏଣ୍ଟ୍ ଅର୍ଜନ କରି ଦ୍ବିତୀୟକୁ ଉଠିଛି। ଆର୍ସିବି ଘରୋଇ ମାଟିରେ ଆଉ ଏକ ପରାଜୟ ସହ ସେହି ସପ୍ତମ ମ୍ୟାଚ୍ରୁ ତୃତୀୟ ପରାଜୟ ପାଇଛି। ସମସ୍ତ ୩ ପରାଜୟ ବେଙ୍ଗାଲୁରୁରେ ବରଣ କରି ଅଲୋଡ଼ା ହ୍ୟାଟ୍ରିକ୍ ଅର୍ଜନ କରିଛି।
ଏମ୍ଏ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଶୁକ୍ରବାର ରାତିରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଘରୋଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅବଶ୍ୟ ସର୍ବନିମ୍ନ ସ୍କୋର୍ ଅର୍ଜନର ଲଜ୍ଜାରୁ ବର୍ତ୍ତିଯାଇଥିଲା। ବର୍ଷା ପାଇଁ ମ୍ୟାଚ୍କୁ ୧୪ ଓଭର ବିଶିଷ୍ଟ କରାଯାଇଥିବା ବେଳେ ପଞ୍ଜାବ କିଙ୍ଗ୍ସର ବୋଲରମାନେ ରଜତ ପଟିଦାରଙ୍କ ଦଳକୁ ମାତ୍ର ୯୫ ରନ୍ରେ ରୋକି ଦେଇଥିଲେ। ପଞ୍ଜାବର ପେସ୍ ଓ ସ୍ପିନ୍ ଆକ୍ରମଣକୁ ଖେଳି ନପାରି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ରଖିଥିବା ଆର୍ସିବିକୁ ବିରାଟ କୋହଲି (୧), ଫିଲ୍ ସଲ୍ଟ (୪), ଲିଆମ୍ ଲିଭିଙ୍ଗଷ୍ଟୋନ୍ (୪), କ୍ରୁନାଲ ପାଣ୍ଡ୍ୟା (୧), ଜିତେଶ ଶର୍ମା (୨) ପ୍ରମୁଖ ତଳମୁହାଁ କରିଥିଲେ। କେବଳ ଅଧିନାୟକ ରଜତ ପଟିଦାର (୨୩) ଏବଂ ଶେଷ ଭାଗରେ ଟିମ୍ ଡେଭିଡ୍ (୨୬ ବଲ୍ରୁ ୫୦* ରନ୍) ଦଳର ସମ୍ମାନ ରଖିଥିଲେ। ଡେଭିଡ୍ଙ୍କ ପାଇଁ ଶେଷ ଓଭରରେ ଆର୍ସିବି ୨୧ ରନ୍ ଯୋଡ଼ି କିଛିଟା ସମ୍ମାନ ରଖିଥିଲା। ଦଳର ପରାଜୟ ସତ୍ତ୍ବେ ଅଷ୍ଟ୍ରେଲୀୟ ବ୍ୟାଟର୍ ଟିମ୍ ଡେଭିଡ୍ (୫୦* ଓ ୨ କ୍ୟାଚ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଆର୍ସିବି ୨୦ ଓଭରରେ ୯୫/୯ (ଟିମ୍ ଡେଭିଡ୍-୫୦*, ରଜତ ପଟିଦାର-୨୩, ମାର୍କୋ ୟାନସେନ୍-୨/୧୦, ୟୁଝବେନ୍ଦ୍ର ଚହଲ-୨/୧୧, ଅର୍ଶଦୀପ ସିଂହ-୨/୨୩, ହରପ୍ରୀତ୍ ବ୍ରାର-୨/୨୫, ଜାଭିଏର ବାର୍ଟଲେଟ୍-୧/୨୬)। ପଞ୍ଜାବ କିଙ୍ଗ୍ସ ୧୨.୧ ଓଭରରେ ୯୮/୫ (ନେହାଲ୍ ୱାଧେରା-୩୩*, ପ୍ରିୟାଂଶ ଆର୍ଯ୍ୟା-୧୬, ଜୋସ୍ ହାଜେଲଉଡ୍-୩/୧୪, ଭୁବନେଶ୍ବର କୁମାର-୨/୨୬)।