ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ: ଓମାର

ଡିସେମ୍ବରରେ ଭୁବନେଶ୍ବରରେ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତା

ଭୁବନେଶ୍ବର: ଦୌଡ଼କୁଦ, ହକି, ଫୁଟ୍‌ବଲ୍‌, ଟେବୁଲ ଟେନିସ୍‌ ପରେ ବ୍ୟାଡମିଣ୍ଟନ୍‌ରେ ମଧ୍ୟ ବିଶ୍ବସ୍ତରୀୟ ପ୍ରତିଯୋଗିତା ଲାଗି ଓଡ଼ିଶା ପ୍ରସ୍ତୁତ ହେଉଛି। ଡିସେମ୍ବରରେ ଭୁବନେଶ୍ବରରେ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଏଥି ଲାଗି ବାଟ କଢ଼ାଇବ ବୋଲି ବିଶ୍ବାସ କରାଯାଉଛି। ଏଭଳି ବିଶ୍ବାସ ଦେଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ସଂଘ (ବାଇ)ଇଭେଣ୍ଟ୍‌ସ ‌ସମ୍ପାଦକ ଓମାର ରସିଦ୍‌। ‘‘ଓଡ଼ିଶାରେ ଏବେ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍ ଭିତ୍ତିଭୂମି ହୋଇଗଲାଣି। ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ମଧ୍ୟ ଏହା ପ୍ରସ୍ତୁତ ରହିଛି। ମୁଁ ବ୍ୟକ୍ତିଗତ ଭାବେ ଭୁବନେଶ୍ବରର ରେଳବାଇ ଷ୍ଟାଡିୟମ୍ ଏବଂ ସହିଦ୍ ନଗର ଇନ୍‌ଡୋର୍ ହଲ ବୁଲି ଦେଖିଛି। ସହରରେ ଥିବା ହୋ‌ଟେଲ୍ ସୁବିଧା ବି ଉଚ୍ଚମାନର। ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ଆଗ୍ରହ ବି‌ ସକାରାତ୍ମକ ରହିଛି। ବଡ଼ ପ୍ରତିଯୋଗିତା ଏଠାରେ ଆୟୋଜନ କରିବାରେ କିଛି ବି ଅସୁବିଧା‌ ହେବ ନାହିଁ’ ବୋଲି ଶୁକ୍ରବାର ଭୁବନେଶ୍ବରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓମାର। ଡିସେମ୍ବରରେ ହେବାକୁ ଥିବା ଜାତୀୟ ଉପକନିଷ୍ଠ ପ୍ରତିଯୋଗିତା ଲାଗି ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା ଆସିଥିବା ଓମାର କହିଥ‌ିଲେ, ଏହି ପ୍ରତ‌ିଯୋଗିତାକୁ ଦୁଇ ବର୍ଗର ସମ୍ପୂର୍ଣ୍ଣ ଭାରତୀୟ ଦଳ ଖେଳାଳିମାନେ ଆସିବେ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ପୂର୍ବରୁ ଏହା ମୁଖ୍ୟ ପ୍ରସ୍ତୁତି ପର୍ବ ହେବ ବୋଲି ବ୍ୟାଡମିଣ୍ଟନ୍ ଏସିଆର ବିକାଶାତ୍ମକ ଉପାଧ୍ୟକ୍ଷ ଥିବା ଓମାର ପ୍ରକାଶ କରିଥିଲେ।

ଭୁବନେଶ୍ବରକୁ କ୍ରୀଡ଼ା ରାଜଧାନୀ ଭାବେ ସରକାର ଗଢ଼ି ତୋଳୁଥିବା ବେଳେ ବ୍ୟାଡମିଣ୍ଟନ୍‌ ବି ନିଜ ଯୋଗଦାନ ରଖିବାକୁ ଯାଉଛି ବୋଲି କହିଥିଲେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ସଂଘର ସଭାପତି ବିଧାୟକ ରୋହିତ କୁମାର ପୂଜାରୀ। ସରକାରୀ ସହାୟତା ବିନା କିଛି ସମ୍ଭବ ନୁହେଁ। ଓଡ଼ିଶା ସରକାର ତ ବ୍ୟାଡମିଣ୍ଟନ୍‌ ପ୍ରତି ପୂର୍ବରୁ ଢେର ଆଗ୍ରହ ଦେଖାଇ ସାରିଛନ୍ତି। ଗୋପୀଚାନ୍ଦ ଏକାଡେମି ଏହାର ଉଦାହରଣ। କିନ୍ତୁ ଡିସେମ୍ବରରେ ହେବାକୁ ଥିବା ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାର ସଫଳ ସମାପନ କରି ଓଡ଼ିଶା ପରବର୍ତୀ ସମୟରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଦାବି ଉପସ୍ଥାପନ କରିବ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ଡିସେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ଭୁବନେଶ୍ବରର ରେଳବାଇ ଏବଂ ସହିଦ୍ ନଗର ଇନ୍‌ଡୋର୍ ହଲରେ ଅନୁଷ୍ଠିତ ହେବ। ଉଭୟ ବାଳକ ଓ ବାଳିକା ବର୍ଗରେ ୭୫୦ରୁ ଊର୍ଧ୍ବ ଖେଳାଳି ଓ ଅଧିକାରୀ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଥିଲେ। ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘରେ ଦେଖା ‌ଦେଇଥିବା ବିଦ୍ରୋହକୁ ଏଡ଼ାଇ ଦେଇ ଶ୍ରୀ ପୂଜାରୀ କହିଥିଲେ, ପୂର୍ବଦିନ ଆହୂତ ବୈଠକ ଅସାମ୍ବିଧାନିକ ଏବଂ ବେଆଇନ। ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ରାଜ୍ୟ ସଂଘ ନିର୍ବାଚନ ଜାତୀୟ ପ୍ରତିଯୋଗିତା ଆୟୋଜନକୁ ପ୍ରଭାବିତ କରିବାର ପ୍ରଶ୍ନ ଉଠୁନାହିଁ। ଓଡ଼ିଶାରେ ମାତ୍ର ୧୧ଟି ଜିଲ୍ଲା ରାଜ୍ୟ ସଂଘର ଅନୁବଂଧିତ ହୋଇଥିବା ସମ୍ପର୍କରେ ପ୍ରଶ୍ନ ହେବାରୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଉପ ସଭାପତି ମିହିର ରାୟ କହିଥିଲେ ସବୁ ଜିଲ୍ଲାରେ ଭିତ୍ତିଭୂମି ନ ଥିବାରୁ ଏହା ସମ୍ଭବ ହୋଇପାରିନାହିଁ। ତେବେ ରାଜ୍ୟ ସରକାର ସବୁ ଜିଲ୍ଲା ସଦର ମହକୁମାରେ ଷ୍ଟାଡିୟମ୍‌ କାର୍ଯ୍ୟ କରୁଥିବାରୁ ଖୁବ୍ ଶୀଘ୍ର ସମସ୍ତ ୩୦ ଜିଲ୍ଲାରେ ରାଜ୍ୟ ସଂଘର ଅନୁବଂଧିତ ସଂଘ କାର୍ଯ୍ୟକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର