ରିଅଲ୍‌ କଶ୍ମୀର ସହ ପଏଣ୍ଟ୍‌ ବାଣ୍ଟିଲା: ସମ୍ମାନ ସହ ଘରୋଇ ଅଭିଯାନ ଶେଷ କଲା ଆରୋଜ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ‌ ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ କରିଥିବା ଇଣ୍ଡିଆନ୍‌ ଆରୋଜ ରବିବାର ଆଇ ଲିଗ୍‌ର ଏକ ମ୍ୟାଚ୍‌କୁ ଅମୀମାଂସିତ ରଖି ସମ୍ମାନରକ୍ଷା କରିଛି। ଆରୋଜ୍‌ ‌ଖେଳିଥିବା ନିଜର ଶେଷ ମ୍ୟାଚ୍‌କୁ ରିଅଲ୍‌ କଶ୍ମୀର ସହ ୨-୨ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଛି। ଅନ୍ୟପକ୍ଷରେ ପ୍ରଥମ ଥର ଲାଗି ଆଇ ଲିଗ୍‌ ପଦାର୍ପଣ କରିଥିବା ରିଅଲ୍‌ କଶ୍ମୀରର ବିଜୟ ସହ ପୁରା ପଏଣ୍ଟ୍‌ ପାଇବା ଆଶା ବିଫଳ ହୋଇଛି। ଏହି ମ୍ୟାଚ୍‌ରୁ ଉଭୟ ଦଳ ଏକ ପଏଣ୍ଟ୍‌ ଲେଖାଏଁ ବାଣ୍ଟି ନେଇଥିଲା ବେଳେ ଆରୋଜ (୧୮) ଓ ରିଅଲ୍‌ କଶ୍ମୀର (୩୩) ତାଲିକାର ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠି ଯଥାକ୍ରମେ ସପ୍ତମ ଓ ଦ୍ବିତୀୟରେ ରହିଛନ୍ତି। ରବିବାର ଘରୋଇ ଅଭିଯାନ ଶେଷ କରିଥିବା ଆରୋଜ ‌ତାର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଆସନ୍ତା ୨୮ ତାରିଖରେ ମୋହନ ବାଗନ ସହ କୋଲ୍‌କାତାରେ ଖେଳି ଅ‌ଭିଯାନ ‌ଶେଷ କରିବାକୁ ଥିଲା ବେଳ‌େ ରିଅଲ୍‌ ଦଳ ନିଜ ଘରୋଇ ପଡ଼ିଆରେ ଇଷ୍ଟ ବେଙ୍ଗଲକୁ ଭେଟିବ।

ରବିବାର ଆରମ୍ଭରୁ ଯୁବ ଦଳ ଆରୋଜ ଚମତ୍କାର ଖେଳିଥିଲା। ହେଲେ ଅଭିଜ୍ଞତା ଅଭାବରୁ ବହୁ ସୁଯୋଗ ହାତଛଡ଼ା କରିଥିଲା। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ଆରୋଜକୁ ‌ଏକ ପେନାଲ୍‌ଟି ମିଳିଥିଲା। ଏହାକୁ ଅମରଜିତ ସିଂହ ସିଧା ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଆରୋଜକୁ ୧-୦ରେ ଅଗ୍ରଣୀ ଦେଇଥିଲେ। ୮୨ତମ ମିନିଟ୍‌ରେ ରିଅଲ୍‌ କଶ୍ମୀରକୁ ଏକ କର୍ଣ୍ଣର ମିଳିଥିଲା। ବିକି ମେତେଇଙ୍କ ଏହି କର୍ଣ୍ଣର ସଟ୍‌କୁ ରିଅଲ୍‌ର ଘାନା ତାରକା ଆବେଦନେଦୋ ତିତେ ଆରୋଜ ଗୋଲ୍‌ ପୋଷ୍ଟ୍‌କୁ ସଫଳତାର ସହ ପଠାଇ ସ୍ଥିତି ବରାବର କରି ଦେଇଥିଲେ। ‌ଶେଷ ମିନିଟ୍‌ରେ ରିଅଲ୍‌ର ପ୍ରଥମ ଗୋଲ୍‌ରେ ସହଯୋଗ କରିଥିବା ବିକି ମେ‌ତେଇଙ୍କ ସୁନ୍ଦର ପାସ୍‌କୁ ମାସନ୍‌ ରୋବର୍ଟସନ୍‌ (୯୦ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଦେଇଥିଲେ। ଏହି ଗୋଲ୍‌ ଯୋଗୁଁ ବିଜୟ ସୁନିଶ୍ଚିତ ସମ୍ଭାବନା ‌ଦେଖି ରିଅଲ୍‌ ଖେଳାଳି ପଡ଼ିଆରେ ଖୁସିର ଉତ୍ସବ ପାଳିଥିଲେ। ହେଲେ ଏହି ଖୁସି ବେଶୀ ସମୟ ରହିନଥିଲା। ଇଂଜୁରି ସମୟରେ ଅନ୍‌ୱାର୍‌ ଅଲ୍ଲୀଙ୍କ ଏକ ପାସ୍‌କୁ ରାହୁଲ କେପି (୯୦+୧) ଗୋଲ୍‌ ପୋଷ୍ଟ୍‌କୁ ପଠାଇ ରିଅଲ୍‌ ଖୁସିରେ ପାଣି ଭରି ଦେଇଥିଲେ। ଏହି ଫିଲ୍ଡ ଗୋଲ୍‌ ଜରିଆରେ ଅରୋଜ ମ୍ୟାଚ୍‌ ଅମୀମାଂସିତ ରଖି ରିଅଲ୍‌ଠୁ ପଏଣ୍ଟ୍‌ ଛଡ଼ାଇ ଆଣିଥିଲା। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସୁରେଶ ସିଂହ ୱାଙ୍ଗଜାମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପଇଥିଲେ।

ସମ୍ବନ୍ଧିତ ଖବର