ମାଦ୍ରିଦ୍: ରିଅଲ୍ ମାଦ୍ରିଦ୍ ଚଳିତ ଋତୁର ଲା-ଲିଗା ଟ୍ରଫି ଜିତିବାର ନିକଟତର ହୋଇଯାଇଛି। ସୋମବାର ରାତିରେ ଗ୍ରେନାଡାକୁ ୨-୧ ଗୋଲ୍ରେ ପରାସ୍ତ କରିବା ପରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବାର୍ସିଲୋନାଠାରୁ ୪ ପଏଣ୍ଟ୍ ବ୍ୟବଧାନରେ ଆଗରେ ରହିଛି। ଫଳରେ ଆଉ ଦୁଇଟି ମ୍ୟାଚ୍ ବାକିଥିଲା ବେଳେ ଟ୍ରଫି ଜିତିବା ପାଇଁ ରିଅଲ୍ ମାଦ୍ରିଦ୍କୁ ଆଉ ମାତ୍ର ଗୋଟିଏ ବିଜୟର ଦରକାର ରହିଛି। ଗୁରୁବାର ଘରୋଇ ପରିବେଶରେ ଯଦି ଭିଲ୍ଲାରିଅଲ୍ ଦଳକୁ ପରାସ୍ତ କରିଦିଏ ତାହାଲେ ରିଅଲ୍ ମାଦ୍ରିଦ୍ ଲା-ଲିଗା ବିଜେତା ହୋଇଯିବ।
ହେଲେ ଗ୍ରେନାଡା ବିପକ୍ଷରେ ବିଜୟ ପାଇଁ ନାକେଦମ ହୋଇଥିବା କାରଣରୁ ଗୁରୁବାର ମ୍ୟାଚ୍ରେ ଅଧିକ ଶକ୍ତି ଖଟାଇବାକୁ ପଡ଼ିବ। ଏହି ମ୍ୟାଚ୍ର ପ୍ରଥମାର୍ଧରେ ମାଦ୍ରିଦ୍ ଦୁଇଟି ଗୋଲ୍ କରି ଆଗୁଆ ରହିଥିଲା। ଫର୍ଲାଣ୍ଡ୍ ମେଣ୍ଡି ଓ କରିମ୍ ବେଞ୍ଜେମେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ହେଲେ ଦ୍ବିତୀୟାର୍ଧରେ ଗେନାଡା ଚମତ୍କାର ପ୍ରତ୍ୟାବର୍ତନ କରିଥିଲା। ୫୦ ମିନିଟ୍ରେ ଡାର୍ୱିନ୍ ମାର୍ଚିସ୍ ଗୋଲ୍ କରି ବ୍ୟବଧାନ ୧-୨ କରିଥିଲେ। ମାତ୍ର ଜିନେଦିନ୍ ଜିଦାନେଙ୍କ ମାଦ୍ରିଦ୍ ଶେଷରେ ବିଜୟୀ ହୋଇଥିଲା। ଶେଷ ହ୍ବିସଲ୍ ବାଜିଲାମାତ୍ରେ ଜିଦାନେ ଆଶ୍ବସ୍ତିର ସହ ଗର୍ଜିଥିଲେ। ଏଥି ସହିତ ଜିନେଦିନ୍ ଜିଦାନେଙ୍କ ଦଳ କ୍ରମାଗତ ନବମ ବିଜୟ ହାସଲ କରିନେଇଥିଲା।