ରିଅଲ୍‌ ମାଦ୍ରିଦକୁ ୩୪ତମ ଲା-ଲିଗା ମୁକୁଟ

ମାଦ୍ରିଦ: ରିଅଲ୍‌ ମାଦ୍ରିଦ୍‌ ଗୋଟିଏ ମ୍ୟାଚ୍‌ ପୂର୍ବରୁ ଚଳିତ ବର୍ଷର ଲା-ଲିଗା ମୁକୁଟ କରାୟତ୍ତ କରିନେଇଛି। ଏଥି ସହ ରିଅଲ୍‌ ମାଦ୍ରିଦ ୩୪ତମ ଥର ପାଇଁ ଲା-ଲିଗା ବିଜେତା ହୋଇଥିଲା ବେଳେ ଗତ ଦୁଇ ବର୍ଷ ଧରି ଟ୍ରଫି ଜିତି ଆସିଥିବା ବାର୍ସିଲୋନାର ଆଧିପତ୍ୟ ଶେଷ ହୋଇଛି। କରିମ ବେଞ୍ଜେମାଙ୍କ ଯୁଗଳ ଗୋଲ୍‌ ବଳରେ ଗୁରୁବାର ରିଅଲ୍‌ ମାଦ୍ରିଦ୍‌ ଦଳ ୨-୧ରେ ଭିଲାରିଅଲ୍‌କୁ ପରାସ୍ତ କରିଥିଲା। ବେଞ୍ଜେମାଙ୍କ ଦୁଇ ଗୋଲ୍‌ ମଧ୍ୟରୁ ଗୋଟିଏ ଦ୍ବିତୀୟାର୍ଧରେ ପେନାଲ୍‌ଟିରୁ ମିଳିଥିଲା। ଏହି ବିଜୟ ସହ ରିଅଲ୍‌ ମାଦ୍ରିଦ୍‌ ୩୭ ମ୍ୟାଚ୍‌ରୁ ୮୬ ପଏଣ୍ଟ୍‌ ପାଇ ଶୀର୍ଷ ରହି ଟ୍ରଫି ନିଶ୍ଚିତ କରିଛି। ଗତ ଦୁଇ ସଂସ୍କରଣର ବିଜେତା ବାର୍ସିଲୋନା (୭୯ ପଏଣ୍ଟ୍‌) ସମାନ ମ୍ୟାଚ୍‌ ଖେଳି ମାଦ୍ରିଦ୍‌ଠୁ ୭ ପଏଣ୍ଟ୍‌ କମ୍‌ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ସୋମବାର ରିଅଲ୍‌ ମାଦ୍ରିଦ ତା’ର ଶେଷ ମ୍ୟାଚ୍‌ ଲିଗାନସ୍‌ ସହ ଖେଳିବାକୁ ଥିଲା ବେଳେ ବାର୍ସିଲୋନା ରବିବାର ଆଲାଭେସ୍‌କୁ ଭେଟିବ। ତଥାପି ଉଭୟ ରିଅଲ୍‌ ମାଦ୍ରିଦ୍‌ ଓ ବାର୍ସିଲୋନାର ଅନ୍ତିମ ମ୍ୟାଚ୍‌ର ଫଳାଫଳ ବିଜେତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଲିଓନେଲ୍‌ ମେସିଙ୍କ ଗୋଲ୍‌ ସତ୍ତ୍ବେ ବାର୍ସିଲୋନା ୧-୨ରେ ଓସାସୁନାଠୁ ପରାସ୍ତ ହେବାରୁ ମାଦ୍ରିଦ୍‌ ପାଇଁ ଶୀର୍ଷକୁ ଉଠିବା ସହଜ ହୋଇଥିଲା। ଗତ ୧୨ ବର୍ଷ ମଧ୍ୟରେ ମାଦ୍ରିଦର ଏହା ତୃତୀୟ ଲା-ଲିଗା ଟ୍ରଫି ହୋଇଛି।

ମହାମାରୀ କରୋନା ଯୋଗୁଁ ବନ୍ଦ ଥିବା ଏହି ସ୍ପାନିସ ଫୁଟ୍‌ବଲ୍‌ ଲିଗ୍‌ ଜୁନ୍‌ ୧୧ ତାରିଖରୁ ପୁନଃ ଆରମ୍ଭ ହୋଇଥିଲା। ଏହି ପ୍ରତ୍ୟାବର୍ତ୍ତନରେ ଜିନେଦିନ୍‌ ଜିଦାନେଙ୍କ ଦଳ ୧୦ ମ୍ୟାଚ୍‌ରୁ ୧୦ ବିଜୟ ସହ ଶତପ୍ରତିଶତ ସଫଳତା ପାଇଥିଲା। ବୃତ୍ତିଗତ ଜୀବନର ଏହା ମୋ ପାଇଁ ସର୍ବଶ୍ରେଷ୍ଠ ମୁହୂର୍ତ୍ତ। କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ପରର ପ୍ରତ୍ୟାବର୍ତ୍ତନ ଆମ ପାଇଁ ଚମତ୍କାର ଥିଲା। ଲା-ଲିଗା ଜିତିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ୩୮ ମ୍ୟାଚ୍ ପରେ ଆମର ପଏଣ୍ଟ୍‌ ସଂଖ୍ୟା ଆହୁରି ବଢ଼ିଯିବ ବୋଲି ଜିଦାନେ କହିଛନ୍ତି। ରିଅଲ୍‌ ମାଦ୍ରିଦ୍‌ ଖେଳାଳିମାନେ ମଧ୍ୟ ଟ୍ରଫି ଜିତିବାର ଖୁସୀରେ ଜିଦାନେଙ୍କୁ ତୋଳି ଧରିଥିଲେ।

ସମ୍ବନ୍ଧିତ ଖବର