ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବାଂଲାଦେଶ ଭଳି ଅଭିଜ୍ଞ ଦଳକୁ ହରାଇବା ପରେ ସ୍କଟ୍ଲାଣ୍ଡ କ୍ରିକେଟ୍ ଦଳ ଅଜସ୍ର ପ୍ରଶଂସା ସାଉଣ୍ଟି ଚାଲିଛି। ଦଳର ଜର୍ସି ମଧ୍ୟ ସ୍କଟଲାଣ୍ଡ୍ରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ବକପ୍ରେ ସ୍କଟଲାଣ୍ଡ୍ ଖେଳାଳିମାନେ ପିନ୍ଧୁଥିବା ଘନ ନୀଳ ଏବଂ ବାଇଗଣି ରଙ୍ଗର ଜର୍ସିକୁ ରେବେକା ଡାୱନି ନାମକ ଜଣେ ୧୨ ବର୍ଷୀୟା ବାଳିକା ଡିଜାଇନ୍ କରିଛନ୍ତି। ଶହ ଶହ ଡିଜାଇନରଙ୍କୁ ପଛରେ ପକାଇ ସେ ଏହି ସମ୍ମାନଜନକ କାର୍ଯ୍ୟ କରିବାର ସୌଭାଗ୍ୟ ଲାଭ କରିଛନ୍ତି।
ସ୍କଟଲାଣ୍ଡ୍ର ବିଶ୍ବକପ୍ ଜର୍ସି ଲାଗି ସେଠାକାର କ୍ରିକେଟ୍ ବୋର୍ଡ ଏକ ପ୍ରତିଯୋଗିତାର ଆୟୋଜନ କରିଥିଲା। ଏଥିରେ ୨୦୦ରୁ ଅଧିକ କୁନି ଓ ବିଦ୍ୟାଳୟସ୍ତରୀୟ ଡିଜାଇନରଙ୍କୁ ପଛରେ ପକାଇ ରେବେକା ବିଜୟୀ ହୋଇଥିଲେ। ତାଙ୍କ ଡିଜାଇନ ସର୍ବଶ୍ରେଷ୍ଠ ଡିଜାଇନର ପୁରସ୍କାର ଲାଭ କରିଥିଲା। ସ୍କଟଲାଣ୍ଡ୍ର ଜାତୀୟ ପ୍ରତୀକ ଥିସଲ ଫୁଲକୁ ଆଧାର କରି ସେ ଏହି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି। ଖେଳାଳିମାନେ ତାଙ୍କର ଏହି ଡିଜାଇନକୁ ବେଶ୍ ପସନ୍ଦ କରୁଛନ୍ତି। ସ୍କଟଲାଣ୍ଡ ଦଳ ବିଶ୍ବକପ୍ ଖେଳିବାକୁ ୟୁଏଇ ଯାତ୍ରା କରିବାର ଠିକ୍ ପୂର୍ବରୁ ନିଜେ ରେବେକା ଏହି ଜର୍ସିକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ। ଏଡିନବର୍ଗରେ ଜିମ୍ବାୱେ ବିପକ୍ଷରେ ସ୍କଟଲାଣ୍ଡ ଖେଳୁଥିବା ଏକ ମ୍ୟାଚ୍ ଅବସରରେ ତାଙ୍କ ପରିବାରକୁ ସ୍ବତନ୍ତ୍ର ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ରେବେକା ମଧ୍ୟ ଖେଳାଳିଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଏହି ଡିଜାଇନକୁ ନେଇ ଆମେ ବେଶ୍ ଗର୍ବିତ ବୋଲି ସ୍କଟଲାଣ୍ଡ ଅଧିନାୟକ କାଇଲ କୋଏଜର କହିଛନ୍ତି।