ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ରେ ସବୁକିଛି ଠିକ୍ଠାକ୍ ନାହିଁ। ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ନିଯୁକ୍ତିକୁ ନେଇ ବଡ଼ ଧରଣର ବାଦ ବିବାଦ ସୃଷ୍ଟି ହେବା ସହ ଏହି କାରଣରୁ ସଭାପତି ତଥା ମହାନ ଧାବିକା ପିଟି ଉଷା ଏବଂ କିଛି କାର୍ଯ୍ୟକାରିଣୀ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। କାର୍ଯ୍ୟକାରିଣୀର ଅନ୍ୟୂନ ୧୨ଜଣ ସଦସ୍ୟ ଉଷାଙ୍କ ବିରୋଧରେ ବିଦ୍ରୋହ କରି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ପତ୍ର ଲେଖିଛନ୍ତି। ସ୍ଥିତି ଏମିତି ହୋଇଛି ଯେ ପରସ୍ପର ସର୍ବସାଧାରଣରେ ଖୋଲା ସମାଲୋଚନା କରିବାକୁ ପଛାଇ ନାହାନ୍ତି ଉଭୟ ପକ୍ଷ। ଏଥିପାଇଁ ସଂଘରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଘରୋଇ କ୍ରୀଡ଼ା ଜଗତରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି। ମାମଲାର ସମାଧାନ ପାଇଁ ସଂଘ ରବିବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟର ହସ୍ତକ୍ଷେପ ଲୋଡ଼ିଛି।
ସଭାପତି ପିଟି ଉଷାଙ୍କୁ ୧୨ ବରିଷ୍ଠ କର୍ମକର୍ତ୍ତାଙ୍କ ବିରୋଧ
ପରସ୍ପର ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ
କାର୍ଯ୍ୟକାରିଣୀର ଏହି ସଦସ୍ୟମାନେ ସଦସ୍ୟ ଉଷାଙ୍କ ବିରୋଧରେ ଏକଚ୍ଛତ୍ରବାଦ ଶାସନର ଅଭିଯୋଗ ଆଣିଥିଲେ। ଆଜି ଉଷା ଏହାର ଜବାବ ରଖି କାର୍ଯ୍ୟକାରିଣୀ ସଦସ୍ୟଙ୍କ ଅଭିମୁଖ୍ୟ ଓ ବ୍ୟବହାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ଅତୀତରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ଏବଂ ସେମାନେ କେବଳ ବ୍ୟକ୍ତିଗତ ଲାଭ କ୍ଷତିକୁ ଜୋର ଦେଉଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉଷା କହିଛନ୍ତି, ଭାରତକୁ ପ୍ରତିନିଧିତ୍ବ କରିବାର ୪୫ ବର୍ଷର ଲମ୍ବା କ୍ରୀଡ଼ା କ୍ୟାରିୟରରେ ଭାରତୀୟ ଖେଳାଳିଙ୍କ ଆଶା ଆକାଂକ୍ଷା ଏବଂ ଆମ ଦେଶର କ୍ରୀଡ଼ା ଭବିଷ୍ୟତ ସହ ଖେଳୁଥିବା ଏଭଳି ଲୋକ ମୁଁ କେବେବି ଦେଖିନି। ବ୍ୟକ୍ତି କୌନ୍ଦ୍ରୀକ କ୍ଷମତା ଖେଳରେ ଅଧିକ ମାତି ରହିବା ସହ ବ୍ୟକ୍ତିଗତ ଆର୍ଥିକ ଲାଭ ଉଠାଇ କ୍ରୀଡ଼ା ପରିଚାଳନାର କ୍ଷମତାକୁ ମାଡ଼ି ବସିବା ହେଉଛି ଏମାନଙ୍କ ଏକମାତ୍ର ଲକ୍ଷ୍ୟ। କିଛି କାର୍ଯ୍ୟକାରିଣୀ ସଦସ୍ୟଙ୍କ ଅତୀତ ରେକର୍ଡ ମଧ୍ୟ ଭଲ ନାହିଁ। ସେମାନଙ୍କ ବିରୋଧରେ ଶରୀରିକ ଶୋଷଣ ଏବଂ ଲିଙ୍ଗ ଅସମାନତା ଅଭିଯୋଗ ମଧ୍ୟ ଆସିଛି। ଅଡିଟ୍ ରିପୋର୍ଟରେ କେତେକ ସଂଘରୁ ଅର୍ଥ ହଡ଼ପ କରିଥିବାର ପ୍ରମାଣ ମଧ୍ୟ ମିଳିଛି। ଏମିତିକି ସଂଘର ସମ୍ବିଧାନକୁ ଖୋଲା ଉଲ୍ଲଂଘନ କରାଯାଇ କିଛି ରାଜ୍ୟ ସଂଘକୁ ସ୍ବୀକୃତି ଦିଆଯାଇଥିବା ଏବଂ ବିନା କାମରେ ବିଲ୍ ପାସ୍ ହୋଇଥିବାର ମଧ୍ୟ ପ୍ରମାଣ ମିଳିଛି।
ସୂଚନାଯୋଗ୍ୟ, ଆଇଓଏର ୧୨ଜଣ କାର୍ଯ୍ୟକାରିଣୀ ସଦସ୍ୟ ଉଷାଙ୍କ କାର୍ଯ୍ୟଶୈଳୀରେ ଘୋର ଅସନ୍ତୋଷ ଜାହିର କରି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଅଧିକାରୀ ଜେରମ ପୋଇଭିଙ୍କ ପାଖକୁ ପତ୍ର ଲେଖିଥିଲେ। ଆଇଓଏରେ ଉଷା ଏକଚ୍ଛତ୍ରବାଦ ଚଳାଇଛନ୍ତି। ଯାହା ପାଉଛନ୍ତି, ତାହା ମନ ଇଚ୍ଛା କରୁଛନ୍ତି ବୋଲି ଏଥିରେ ସେମାନେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଆଇଓଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ରଘୁରାମ ଆୟରଙ୍କ ନିଯୁକ୍ତିକୁ ସଦସ୍ୟମାନେ ଘୋର ବିରୋଧ କରିଥିଲେ। ଏପରିକି ତାଙ୍କ ନିଯୁକ୍ତିକୁ ବାତିଲ କରିବାକୁ ଦାବି କରିଥିଲେ। ଉଷା କିନ୍ତୁ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଦୁଇ ବର୍ଷ ସମୟ ଲାଗିଛି। ପୁନର୍ବାର ଏହି ପ୍ରକ୍ରିୟା ଆରମ୍ଭ କରିବା ଭାରତୀୟ କ୍ରୀଡ଼ା ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ସଫେଇ ଦେଇଥିଲେ। ସେହିଭଳି ତାଙ୍କ ସମ୍ମାନ ହାନୀ କରିବା ଲାଗି ସଦସ୍ୟମାନେ ଏଭଳି ମିଛ ଅଭିଯୋଗ ଆଣିଛନ୍ତି ବୋଲି କହିଥିଲେ। ଉଷାଙ୍କୁ ବିରୋଧ କରୁଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ରହିଛନ୍ତି ଉପସଭାପତି ଅଜୟ ଏଚ୍ ପଟେଲ, ରାଜଲକ୍ଷ୍ମୀ ଦେଓ ଓ ଗଗନ ନାରଙ୍ଗ, କୋଷାଧ୍ୟକ୍ଷ ସହଦେବ ଯାଦବ, ଯୁଗ୍ମ ସଂପାଦକ ଅଲକାନନ୍ଦା ଆଶୋକ ଓ କଲ୍ୟାଣ ଚୌବେ, ସଦସ୍ୟ ଅମିତାଭ ଶର୍ମା, ଭୂପିନ୍ଦର ସିଂହ ବାଜୱା, ରୋହିତ ରାଜପାଲ, ଡୋଲା ବାନାର୍ଜୀ, ହରପାଲ ସିଂହ, ଯୋଗେଶ୍ବର ଦତ୍ତ ପ୍ରମୁଖ।