ହିମା ଦାସଙ୍କୁ ଖେଳରତ୍ନ ପାଇଁ ସୁପାରିସ

ନୂଆଦିଲ୍ଲୀ: ୨୦୧୮ ମସିହାର ଚମତ୍କାର ପ୍ରଦର୍ଶନ ଆଧାରରେ ଯୁବା ସ୍ପ୍ରିଣ୍ଟର୍‌ ହିମା ଦାସଙ୍କୁ ମର୍ଯ୍ୟଦାଜନକ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ଲାଗି ଆସାମ ସରକାର ମନୋନୀତ କରିଛନ୍ତି। ତାଙ୍କ ନାମକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ଆସାମ କ୍ରୀଡ଼ା ସଚିବ ଦୁଲାଲ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି। ଢିଙ୍ଗ୍‌ ଗାଁର ଏହି ୨୦ ବର୍ଷୀୟା ଧାବିକା ପ୍ରଥମ ଭାରତୀୟ ଟ୍ରାକ୍ ଆଥ୍‌ଲେଟ୍ ଭାବେ ୨୦୧୮ ମସିହାରେ ଫିନଲାଣ୍ଡ୍‌ର ତାମ୍ପିଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଯୁବ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ହିମାଙ୍କ ନାମ ମନୋନୟନ ପରେ ସେ ଏବେ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ଦୌଡ଼ରେ ଥିବା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା, କୁସ୍ତିବିତ୍‌ ଭିନେଶ ଫୋଗଟ, ଟିଟି ତାରକା ମନିକା ବାତ୍ରା, ହକି ଅଧିନାୟିକା ରାଣୀ ରାମପାଲ୍‌ ଓ କ୍ରିକେଟର୍‌ ରୋହିତ ଶର୍ମାଙ୍କ ସହ ସାମିଲ ହୋଇଛନ୍ତି। ୨୦୧୮ ବିଶ୍ବ ଯୁବ ପ୍ରତିଯୋଗିତା ସହିତ ସେହିବର୍ଷ ଜାକର୍ତା ଏସିଆଡ୍‌ରେ ମଧ୍ୟ ହିମା ୪୦୦ ମିଟର୍ ଦୌଡ଼ ରୌପ୍ୟ, ୪୦୦ ମିଟର ରିଲେ ଓ ମିଶ୍ରିତ ରିଲେରୁ ୨ ସ୍ବର୍ଣ୍ଣ ପଦକ ପାଇଥିଲେ। ୨୦୧୯ରେ ସେ ଏକାଧିକ ସଫଳତା ପାଇବା ସହିତ ଦୋହା ବିଶ୍ବ ପ୍ରତିଯୋଗିତାକୁ ଆମନ୍ତ୍ରିତ ହୋଇଥିଲେ। କିନ୍ତୁ ଆହତ କାରଣରୁ ଭାଗ ନେଇ ପାରିନଥିଲେ। ସୂଚନାଯୋଗ୍ୟ, ୨୦୧୮ରେ ହିମାଙ୍କୁ ଅର୍ଜୁନ ପୁରସ୍କାର ମିଳିସାରିଛି।

ସମ୍ବନ୍ଧିତ ଖବର