ଭୁବନେଶ୍ୱର: ଜର୍ମାନୀର ରାଇନ-ରୁର୍‌ଠାରେ ଚଳିତ ଜୁଲାଇ ୧୬ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାରୁ ରେକର୍ଡ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପୂର୍ବର ସବୁ କୀର୍ତ୍ତିମାନକୁ ଭାଙ୍ଗି ଏଥର ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିବା ୪୨ଜଣ ପିଲା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍‌ରୁ ସର୍ବାଧିକ ୪୦ ପ୍ରତିଯୋଗୀ ଥିଲା ବେଳେ ସମ୍ବଲପୁର ଓ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ଲେଖାଏଁ ଖେଳାଳି ରହିଛନ୍ତି। ବଡ଼ କଥା ହେଲା ଏହି ବହୁରାଷ୍ଟ୍ରୀୟ ତଥା ସମ୍ମାନଜନକ ବିଶ୍ବସ୍ତରୀୟ କ୍ରୀଡ଼ାରେ ପଞ୍ଜାବର ସର୍ବାଧିକ ୭୪ଜଣ ଖେଳାଳି ଅଛନ୍ତି। ଓଡ଼ିଶା କିନ୍ତୁ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ ଆଦି ରାଜ୍ୟକୁ ପଛରେ ପକାଇ ଦ୍ବିତୀୟ ସର୍ବାଧିକ ଖେଳାଳି ପଠାଉଛି। ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍ ପଛକୁ ପଞ୍ଜାବର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ ରହିଛି।

Advertisment

ଏହି ବିଶ୍ବବିଦ୍ୟାଳୟର ଦ୍ବିତୀୟ ସର୍ବାଧିକ ୨୮ଜଣ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ତୃତୀୟ ସର୍ବାଧିକ ୨୨ଜଣ ଖେଳାଳି ଅଛନ୍ତି। ଭାରତୀୟ ଦଳର ଚୟନ ପ୍ରକ୍ରିୟାରେ ଦେଶର ପାଖାପାଖି ୪୦୦ ବିଶ୍ବବିଦ୍ୟାଳୟ ସାମିଲ ଥିଲେ। ଶେଷରେ ୬୧ ବିଶ୍ବବିଦ୍ୟାଳୟର ୩୦୦ ପ୍ରତିଯୋଗୀ ଚୂଡ଼ାନ୍ତ ଦଳ ପାଇଁ ମନୋନୀତ ହୋଇଥିଲେ। ଏହି ଦଳରେ କିଟ୍‌ର ସର୍ବାଧିକ ଖେଳାଳି ସ୍ଥାନ ପାଇବା ଉଲ୍ଲେଖନୀୟ ରହିଛି। କିଟ୍‌ ଖେଳାଳିମାନେ ୭ଟି କ୍ରୀଡ଼ା ଶୃଙ୍ଖଳାରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାପଡ଼ିଛି। ଯାହା ଏହି ବିଶ୍ବବିଦ୍ୟାଳୟ କ୍ରୀଡ଼ା, କ୍ରୀଡ଼ାବିତ୍‌ ବିକାଶ ପାଇଁ ନିରନ୍ତର ଭାବେ କରିଆସୁଥିବା ପ୍ରୟାସକୁ ଦର୍ଶାଉଛି। ସୂଚନା ଅନୁସାରେ ୧୪ ତାରିଖରୁ ପର୍ଯ୍ୟାୟକ୍ରମେ ଭାରତୀୟ ଦଳ ଜର୍ମାନୀ ଯିବ। ଏହି ୪୦୭ଜଣିଆ ବଡ଼ ଦଳରେ ୧୦୭ଜଣ ପ୍ରଶିକ୍ଷକ ଓ ଅଫିସିଆଲ ବି ରହିଛନ୍ତି। ଦୌଡ଼କୁଦ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ, ଅନ୍ତର୍ଜାତୀୟ ଭଲିବଲ୍ ପ୍ରଶିକ୍ଷକ ଲୋତକବିନ୍ଦୁ ଦାଶ ଏବଂ ଅନ୍ତର୍ଜାତୀୟ ଟେନିସ୍ ପ୍ରଶିକ୍ଷକ ଟଡ୍ କ୍ଲାର୍କ ପ୍ରମୁଖ।

ଭାରତୀୟ ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍‌ରୁ ସର୍ବାଧିକ
ଚୀନରେ କରିଥିବା କୀର୍ତ୍ତିମାନକୁ ଜର୍ମାନୀରେ ଭାଙ୍ଗିବା ଲକ୍ଷ୍ୟ

ଏହି ପରିପ୍ରେକ୍ଷୀରେ ଗୁରୁବାର ଭାରତୀୟ ଦଳର ଯାତ୍ରା ପୂର୍ବ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଜର୍ମାନୀ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ଦଳ ତଥା କ୍ରୀଡ଼ାବିତ୍‍ଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି। ଏଥିସହ ସେ କହିଛନ୍ତି, କିଟ୍ ସର୍ବଦା ଶିକ୍ଷା ସହିତ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଆସିଛି। କିଟ୍‍ର କ୍ରୀଡ଼ାବିତ୍‍ ଯେଭଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳିବାର ସୁଯୋଗ ପାଇବା ସହ ସଫଳତା ହାସଲ କରିବେ ସେ ଦିଗରେ କିଟ୍‍ ସର୍ବଦା ଯତ୍ନଶୀଳ ରହିଆସିଛି। ଏପରିକି ୨୦୧୯ଠାରୁ ୨୦୨୫ ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗିତାରେ କିଟ୍‍ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସହ ପଞ୍ଜୀକରଣ ପାଇଁ ଆବଶ୍ୟକ ଦେୟ ମଧ୍ୟ କିଟ୍‍ ପକ୍ଷରୁ ଆଗୁଆ ପୈଠ କରାଯାଇଥାଏ। ୨୦୨୧ରେ ଚୀନର ଚେଙ୍ଗୁଡ଼ୁଠାରେ ଆୟୋଜିତ ଗତ ସଂସ୍କରଣରେ ଭାରତ ୨୬ ପଦକ ଜିତିଥିଲା। ଆଗକୁ ଏହି ସଂଖ୍ୟା ଦ୍ବିଗୁଣିତ ହେବ  ବୋଲି ଶ୍ରୀ ସାମନ୍ତ ଏହି ଅବସରରେ ଦୃଢ଼ ଆଶା ପୋଷଣ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ଓ କିସ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଅଲିମ୍ପିଆନ୍‍ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିବା ଦୂତି ନିଜ ଅଭିଜ୍ଞତା ବାଣ୍ଟିଥିଲେ। ଶ୍ରାବଣୀ ଏକାଗ୍ରତାର ସହ ନିଜନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଭାରତୀୟ ଖେଳାଳିଙ୍କୁ ଆହ୍ବାନ କରିଥିଲେ। ନିରନ୍ତର ସମର୍ଥନ ଓ ସହଯୋଗ ଲାଗି ଶ୍ରୀ ଦାସଙ୍କ ସହ ପ୍ରତିଯୋଗୀ ଓ ଅତିଥିମାନେ ପ୍ରଫେସର୍ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।