ହୁଲୁନବୁଇର (ଚୀନ୍‌): ଭାରତୀୟ ପୁରୁଷ ହକି ଦଳ ରେକର୍ଡ ପଞ୍ଚମ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି କରାୟତ୍ତ କରିଛି। ମଙ୍ଗଳବାର ଫାଇନାଲ୍‌ରେ ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତ ୧-୦ ଗୋଲ୍‌ରେ ଆୟୋଜକ ଚୀନ୍‌କୁ ମାତ୍‌ ଦେଇ ଟ୍ରଫି ବଜାୟ ରଖିବାରେ ସକ୍ଷମ ହୋଇଛି। ଡିଫେଣ୍ଡର ଯୁଗରାଜ ସିଂହଙ୍କ ଫିଲ୍ଡ ଗୋଲ୍‌ରେ ବିଜେତା ଭାରତ ଆୟୋଜକ ଦଳକୁ ପଛରେ ପକାଇବାକୁ ସକ୍ଷମ ହୋଇଥିଲା। ଚୀନ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅପରାଜେୟ ଥିବା ହର୍ମନ୍‌ପ୍ରୀତ ସିଂହଙ୍କ ଦଳକୁ ଫାଇନାଲ୍‌ ମ୍ୟାଚ୍‌ର ପ୍ରଥମ ୩ କ୍ବାର୍ଟର ଆୟୋଜକ ଦଳର ରକ୍ଷଣଭାଗ ଭେଦ କରିବାରେ ବିଫଳ ହୋଇଥିଲା। ୫୧ତମ ମିନିଟ୍‌ରେ ହର୍ମନ୍‌ପ୍ରୀତଙ୍କ ସୁନ୍ଦର ପାସ୍‌କୁ ଯୁଗରାଜ ଗୋଲ୍‌ରେ ପରିଣତ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ ଅନ୍ତର୍ଜାତୀୟ ଫାଇନାଲ୍‌ ଖେଳୁଥିବା ଚୀନ୍‌ ଏହି ଗୋଲ୍‌ ଶୁଝିବାକୁ ବହୁ ଚେଷ୍ଟା କରି ବିଫଳ ହେବାରୁ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା। ଚୀନ୍‌ ଶେ‌ଷ ଥର ଲାଗି ୨୦୦୬ ଏସୀୟ କ୍ରୀଡ଼ା ଫାଇନାଲ୍‌ ଖେଳିଥିଲା। 

Advertisment

ଥିରେ ଦଳ କୋରିଆଠୁ ୧-୩ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷରେ କାଂସ୍ୟ ମୁକାବିଲାରେ ପାକିସ୍ତାନ ୫-୨ ଗୋଲ୍‌ରେ କୋରିଆକୁ ହରାଇ ୬ ଦଳୀୟ ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛି। ଚୀନ୍‌ର ଲିନ୍‌ ଚାଙ୍ଗଲାଇଙ୍ଗ ଫାଇନାଲ୍‌ର ଏବଂ ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ପୁଅ ଭାବେ ଅମିତ ରୋହିଦାସ ଖେଳିଥିଲେ। ଗତ ସଂସ୍କରଣରେ ସେ ଭାରତୀୟ ଦଳରେ ଥିଲେ। ଫଳରେ ସେ ଲଗାତାର ଦ୍ବିତୀୟ ଥର ଏସିଟି ବିଜେତା ଦଳର ‌ସଦସ୍ୟ ହେବାର ଗୌରବ ପାଇଛନ୍ତି।

ମଙ୍ଗଳବାର ମ୍ୟାଚ୍‌ ପୂର୍ବରୁ ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଚୀନ୍‌କୁ ୩-୦ରେ ହରାଇଥିବାରୁ ଭାରତ ଟ୍ରଫି ଦାବିଦାର ଥିଲା। କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ ଜିତିବା ଲାଗି ଏହି ଦଳକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଥମ ଦୁଇ କ୍ବାର୍ଟର ଦୁଇ ଦଳ କଡ଼ା ସଂଘର୍ଷ କରିଥିଲା ବେଳେ ଭାରତ କିନ୍ତୁ ଅଧିକ ଗୋଲ୍‌ ସୁଯୋଗ ପାଇଥିଲା। ତେବେ ଚୀନ୍‌ର ଡିଫେନ୍ସ ଓ ଗୋଲି ୱାଙ୍ଗ ୱେଇହାଓଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ଗୋଲ୍‌ କରିପାରି ନଥିଲା। ଭାରତ ଏହି ଦୁଇ କ୍ବାର୍ଟରରେ ୪ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌ କରିପାରି ନଥିଲା। ତୃତୀୟ କ୍ବାର୍ଟରରେ ଚୀନ୍‌ ଆକ୍ରମଣାତ୍ମକ ଖେଳି ୪ ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହି ସବୁକୁ ଭାରତୀୟ ଗୋଲି କ୍ରିଷ୍ଣା ବାହାଦୁର ପାଠକ ବିଫଳ କରି ଚୀନ୍‌କୁ ଅଗ୍ରଣୀ ସୁଯୋଗ ଦେଇ ନଥିଲେ।

ଚୀନକୁ ସମର୍ଥନ କରି ଟ୍ରୋଲ୍ ହେଲେ ପାକିସ୍ତାନ ଖେଳାଳି

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ସେମିଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଚୀନ ଫାଇନାଲ୍‌କୁ ଯାଇଥିଲା। ହେଲେ ଲଜ୍ଜାହୀନ ପାକିସ୍ତାନୀ ଖେଳାଳିମାନେ ମଙ୍ଗଳବାରର ଭାରତ-ଚୀନ ଫାଇନାଲ୍‌ ମ୍ୟାଚ୍ ବେଳେ ଦର୍ଶକ ଗ୍ୟାଲେରିରେ ରହି ଚୀନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି କିଛି ପାକିସ୍ତାନୀ ଖେଳାଳି ମ୍ୟାଚ୍ ବେଳେ ଚୀନ ପତାକା ହଲାଇ ସେହି ଦେଶର ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ। ଏହି ଫଟୋ ପଦାକୁ ଆସିବା ପରେ ପାକିସ୍ତାନ ହକି ଦଳକୁ ହକିପ୍ରେମୀମାନେ ଭୀଷଣ ଟ୍ରୋଲ୍ କରିଛନ୍ତି। ସେମାନଙ୍କ ଆଚରଣକୁ କଟାକ୍ଷ କରି ଏମାନେ ଚୀନଠୁ ହାରିଥିଲେ ବୋଲି କେତେକ ହକିପ୍ରେମୀ ଲେଖିଛନ୍ତି। କିଛି ପାକିସ୍ତାନୀ ହକିପ୍ରେମୀ ମଧ୍ୟ ନିଜ ଦଳର ଆଚରଣ ନେଇ ଲଜ୍ଜିତ ହୋଇଥିବା ଲେଖିଛନ୍ତି।