ପୁନେ: ଭାରତୀୟ ଯୁବ ବନ୍ଧୁକ ଚାଳକ ସାହଜର୍ ରିଜ୍ଭି ବିଶ୍ୱକପ୍ ପଦାର୍ପଣରେ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ନିଜର ପ୍ରଥମ ବିଶ୍ୱକପ୍ରେ ରିଜ୍ଭି ସ୍ୱର୍ଣ୍ଣ ପଦକ ହାସଲ କରି ଏହି କୀର୍ତିମାନ ପାଇଛନ୍ତି। ମେକ୍ସିକୋର ଗୁଆଡାଲଜାରାଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ରେ ଶନିବାର ରିଜ୍ଭି ୧୦ ମିଟର ଏୟାର ପିସ୍ତଲ ପୁରୁଷ ବର୍ଗରେ ସ୍ୱର୍ଣ୍ଣିମ ସଫଳତା ହାତେଇଛନ୍ତି। ପୁଣି ରିଓ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା କ୍ରିଷ୍ଟିଆନ୍ ରିଜ୍ ଏବଂ ନିଜ ଦେଶର ସାଥୀ ଜିତୁ ରାଏଙ୍କୁ ଫାଇନାଲ୍ରେ ପଛରେ ପକାଇ ରିଜ୍ଭି ୨୪୨.୩ ସ୍କୋର୍ ସହ ସ୍ୱର୍ଣ୍ଣ ପଦକ ଉପରେ କବ୍ଜା କରିନେଇଥିଲେ। ଏଥି ସହିତ ସେ ମଧ୍ୟ ଗତବର୍ଷ ଅକ୍ଟୋବରରେ ଜାପାନୀ କିମ୍ବଦନ୍ତୀ ତୋମୋୟୁକି ମାସୁଦାଙ୍କ ୨୪୧.୮ ସ୍କୋର୍ର କୀର୍ତିମାନକୁ ଭାଙ୍ଗି ଦେଇଛନ୍ତି। ଫାଇନାଲ୍ରେ ରିଜ୍ (୨୩୯.୭) ଦ୍ୱିତୀୟ ଓ ଜିତୁ ରାଏ (୨୧୯) ତୃତୀୟ ସ୍ଥାନ ଅକ୍ତିଆର କରି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ। ଅନ୍ୟପକ୍ଷରେ ଅନ୍ୟତମ ଭାରତୀୟ ଓମ୍ ପ୍ରକାଶ ମିଥାର୍ଭାଲ୍ ପ୍ରଥମ ଥର ଲାଗି ବରିଷ୍ଠ ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିଲା ବେଳେ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ସେ (୧୯୮.୪) ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ତଥାପି ଏକ ବିଶ୍ୱକପ୍ର ଫାଇନାଲ୍ରେ ତିନି ଜଣ ଭାରତୀୟ ପ୍ରବେଶ କରିବା ପ୍ରଥମ ଥର ଦେଖାଯାଇଥିଲା। ଅନ୍ୟପକ୍ଷରେ ୧୦ ମିଟର ଏୟାର ରାଇଫଲ୍ ମହିଳା ବର୍ଗରେ ମେହୁଲି ଘୋଷ, ଅପୂର୍ବୀ ଚାନ୍ଦିଲା ଓ ଅଞ୍ଜୁମ୍ ମୁଦ୍ଗିଲ୍ ଫାଇନାଲ୍ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଏକା ମେହୁଲି ହିଁ ପଦକ ଜିତିପାରିଥିଲେ। ପ୍ରଥମ ଥର ଲାଗି ମଧ୍ୟ ବିଶ୍ୱକପ୍ରେ ଭାଗ ନେଇଥିବା ମେହୁଲି ଭାରତ ପାଇଁ କାଂସ୍ୟ ପାଇଛନ୍ତି। ମେହୁଲି ୨୨୮.୪ ସ୍କୋର୍ ସହ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ କନିଷ୍ଠ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ବର୍ଗରେ ଅଞ୍ଜୁମ୍ (୨୦୮.୬) ଚତୁର୍ଥ ସ୍ଥାନ ପାଇଥିଲା ବେଳେ ଚାନ୍ଦିଲା (୧୪୪.୧) ସପ୍ତମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଏହାସତ୍ତ୍ୱେ ଭାରତ ଏହି ବିଶ୍ୱକପ୍ର ପ୍ରଥମ ଦିନ ୩ ପଦକ (୧ ସ୍ୱର୍ଣ୍ଣ ଓ ୨ କାଂସ୍ୟ) ହାତେଇବାର ସଫଳତା ପାଇଯାଇଛି।
ବିଶ୍ୱକପ୍ ପଦାର୍ପଣରେ କୀର୍ତିମାନ
ରିଜ୍ଭି ଜିତିଲେ ଏୟାର ପିସ୍ତଲ ସ୍ୱର୍ଣ୍ଣ
/sambad/media/post_attachments/wp-content/uploads/2018/03/1-Shahzar-Rizvi-celebrates-after-winning-the-gold-medal-in-the-10m-air-pistol-event..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)