୨୦୨୬ ଫିଫା ବିଶ୍ବକପ୍‌ରେ ରେକର୍ଡ ସଂଖ୍ୟକ ମ୍ୟାଚ୍‌: ୪୮ ଦଳ ଖେଳିବେ ୧୦୪ ମ୍ୟାଚ୍‌

ନୂଆଦିଲ୍ଲୀ: ଗତବର୍ଷ କାତାରରେ ଶେଷ ହୋଇଥିବା ଫିଫା ବିଶ୍ବକପ୍‌ରେ ୩୨ ଦଳ ଅଂଶଗ୍ରହଣ କରିଥିଲେ। ଏମାନେ ୨୯ ଦିନ ମଧ୍ୟରେ ମୋଟ୍‌ ୬୪ ମ୍ୟାଚ୍‌‌ ଖେଳିଥିଲେ। କିନ୍ତୁ ୨୦୨୬ ବିଶ୍ବକପ୍‌ ସଂସ୍କରଣରେ ରେକର୍ଡ ସଂଖ୍ୟକ ମ୍ୟାଚ୍‌ ଖେଳାଯିବ। ଏହି ସଂସ୍କରଣରେ ୪୮ ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ୧୦୪ ମ୍ୟାଚ୍‌ ଖେଳାଯିବ ‌ବୋଲି ଫିଫା ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ବିଶ୍ବକପ୍‌ର ଏହି ପରବର୍ତ୍ତି ସଂସ୍କରଣକୁ ଆମେରିକା, କାନାଡ଼ା ଓ ମେକ୍ସିକୋ ମିଳିତ ଭାବେ ଆୟୋଜନ କରିବେ। ପ୍ରଥମ ଥର ପାଇଁ ବିଶ୍ବକପ୍‌ ଇତିହାସରେ ଏତେ ସଂଖ୍ୟକ ଦଳ ଅଂଶଗ୍ରହଣ କରିବାକୁ ଯାଉଥିବା କୁହାଯାଇଛି। ଫିଫା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପୂର୍ବରୁ ୪୮ ଦଳକୁ ୧୬ ଗ୍ରୁପ୍‌ରେ ବିଭକ୍ତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏବେ ଏଥିରେ ସଂଶୋଧନ କରାଯାଇ ଗ୍ରୁପ୍‌ ସଂଖ୍ୟା ୧୨କୁ ହ୍ରାସ କରାଯାଇଛି। ଏହାଫଳରେ ପ୍ରତି ଗ୍ରୁପ୍‌ରେ ୪ ଦଳ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳଙ୍କ ସହ ଶ୍ରେଷ୍ଠ ୮ ତୃତୀୟ ଦଳଙ୍କୁ ନେଇ ରାଉଣ୍ଡ ୩୨ ଖେଳାଯିବ।

ପୂର୍ବରୁ ମେକ୍ସିକୋ (୧୯୮୬) ଓ ଆମେରିକା (୧୯୯୪) ବିଶ୍ବକପ୍‌ ଆୟୋଜକ ହୋଇଥିଲା ବେଳେ ୨୪ ଦଳ ଅଂଶଗ୍ରହଣ କରୁଥିଲେ। କିନ୍ତୁ ୧୯୯୮ ସଂସ୍କରଣଠୁ ୩୨ ଦଳ ଅଂଶଗ୍ରହଣ କରିଆସୁଛନ୍ତି। ଏହି ସଂସ୍କରଣ ପରଠୁ ୮ଟି ଗ୍ରୁପ୍‌ରେ ଲିଗ୍‌ ପର୍ଯ୍ୟାୟ କରାଯାଉଥିଲା। ଯାହାଫଳରେ ଫାଇନାଲିଷ୍ଟମାନେ ୭ଟି ଲେଖାଏଁ ମ୍ୟାଚ୍‌ ଖେଳିପାରୁଥିଲେ। କିନ୍ତୁ ୨୦୨୬ ସଂସ୍କରଣରେ ଦୁଇ ଫାଇନାଲିଷ୍ଟ ୮ଟି ଲେଖାଏଁ ମ୍ୟାଚ୍‌ ଖେଳିବାକୁ ପାଇବେ। ପୂର୍ବରୁ ଏହି ସଂସ୍କରଣରେ ମ୍ୟାଚ୍‌ ସଂଖ୍ୟା ୮୦ରେ ସୀମିତ ରଖିବାକୁ ଯୋଜନା ହୋଇଥିଲା। କିନ୍ତୁ ମ୍ୟାଚ୍‌ ସଂଖ୍ୟା ବଢାଇବାକୁ ମଙ୍ଗଳବାର ଫିଫା କାଉନସିଲ୍‌ରେ ସ୍ଥିର ହୋଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର