କାନପୁର: ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ। ପରବର୍ତ୍ତୀ ଅଢ଼େଇ ଦିନ ପ୍ରତିକୂଳ ପାଗର ପ୍ରତିବଂଧକ। ତିନି ଦିନରେ ୮ ଅଧିବେଶନର ଖେଳ ବାତିଲ ହେବା ପରେ କାନପୁର ଟେଷ୍ଟ୍ର ଚତୁର୍ଥ ଦିନରେ ଅପ୍ରତ୍ୟାଶିତ ରୋମାଞ୍ଚ ଓ ଉତ୍କଣ୍ଠା ଭରିଛି ଭାରତୀୟ କ୍ରିକେଟ୍ ଦଳ। ଦ୍ରୁତ ଗତିରେ ଅମୀମାଂସିତ ଆଡ଼କୁ ଅଗ୍ରସର ହେଉଥିବା ଏହି ମ୍ୟାଚ୍ର ମୋଡ଼ ଅସାଧାରଣ ଢଙ୍ଗରେ ବଦଳାଇ ନିଜ ପାଇଁ ନାଟକୀୟ ବିଜୟ ସମ୍ଭାବନା ସୃଷ୍ଟି କରିଛି। ସୋମବାର ବାଂଲାଦେଶର ଅବଶିଷ୍ଟ ୭ ୱିକେଟ୍ ୩୯.୨ ଓଭରରେ ଝାଡ଼ିବା ପରେ ମାତ୍ର ୩୪.୪ ଓଭରରେ ଅଢ଼େଇ ଶହରୁ ଅଧିକ ରନ୍ କରି ଟେଷ୍ଟ୍ ଇତିହାସରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିଛି ଭାରତ। ପୁଣି ଆକ୍ରମଣାତ୍ମକ କ୍ରିକେଟ୍ର ଅତୁଳନୀୟ ନମୁନା ଦେଖାଇ ୮ରୁ ଅଧିକ ହାରରେ ରନ୍ ଯୋଡ଼ିବା ସହ ୨୮୫/୯ରେ ପାଳି ଘୋଷଣା କରି ଏକାଧିକ ବିରଳ ମାଇଲ୍ଖୁଣ୍ଟ ଛୁଇଁଛି। ୧୪୭ ବର୍ଷର ଟେଷ୍ଟ୍ ଇତିହାସରେ ଦ୍ରୁତତମ ୫୦ (୧୯ବଲ୍), ୧୦୦ (୬୨ ବଲ୍), ୧୫୦ (୧୧୨ ବଲ୍), ୨୦୦ (୧୪୮ ବଲ୍) ଓ ୨୫୦ (୧୮୩ ବଲ୍) ରନ୍ କରିଛି। ପ୍ରଥମ ପାଳିରେ ୫୨ ରନ୍ର ଅଗ୍ରଣୀ ଲାଭ କରିବା ପରେ ଆଜି ଷ୍ଟମ୍ପ୍ସ ବେଳକୁ ବାଂଲାଦେଶର ଦୁଇଟି ଦ୍ବିତୀୟ ପାଳି ୱିକେଟ୍ କରାୟତ୍ତ କରି ଐତିହାସିକ ସଫଳତାର ଦ୍ବାର ଦେଶରେ ରହିଛି। ୨୬ ରନ୍ରେ ୨ ୱିକେଟ୍ ହରାଇଥିବା ବାଂଲାଦେଶ ଏବେବି ଭାରତର ପ୍ରଥମ ପାଳି ଅଗ୍ରଣୀକୁ ଭରଣା କରିବାଠାରୁ ୨୬ ରନ୍ ଦୂରରେ ଅଛି। ଚତୁର୍ଥ ଦିନରେ ୧୮ ୱିକେଟ୍ର ପତନ ହେବା ପରେ ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନର ଖେଳ ଉଭୟ ଦଳ ପାଇଁ ଆଶା ଓ ଆଶଙ୍କାଭରା ହେବାକୁ ଯାଉଛି।
ସୋମବାର ବାଂଲାଦେଶ ୧୦୭/୩ରୁ ଖେଳ ଆରମ୍ଭ କରିଥିଲା। ମୋମିନୁଲ ହକ୍ (୧୦୭*)ଙ୍କ ଶତକ ସତ୍ତ୍ବେ ୨୩୩ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହା ପରେ ଭାରତୀୟ କ୍ରିକେଟ୍ ଦଳ ଯୋଜନାବଦ୍ଧ ଭାବେ ଆରମ୍ଭରୁ ଦ୍ରୁତ ଖେଳ ଖେଳିଥିଲା। ଅଧିନାୟକ ରୋହିତ ଶର୍ମା ୧୧ ବଲ୍ରୁ ୨୩ ଏବଂ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ୫୧ ବଲ୍ରୁ ୭୨ ରନ୍ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲେ। ପରେ କିଂବଦନ୍ତି ବିରାଟ କୋହଲି ୩୫ ବଲ୍ରୁ ୪୭ ଏବଂ କେଏଲ୍ ରାହୁଲ ୪୩ ବଲ୍ରୁ ୬୮ ରନ୍ କରି ବାଂଲାଦେଶ ଉପରେ ଚାପ ସୃଷ୍ଟି କରିବାକୁ ଭାରତୀୟ ବୋଲରଙ୍କୁ ପର୍ଯ୍ୟାପ୍ତ ରନ୍ ଦେଇଥିଲେ। ଏହା ପରେ ଖେଳ ବନ୍ଦ ହେବାର ମାତ୍ର କିଛି ମିନିଟ୍ ପୂର୍ବରୁ ଜାକିର ହାସନ ଓ ହାସନ ମହମଦଙ୍କୁ ଆଉଟ୍ କରି ବାଂଲାଦେଶକୁ ୧୫ ବଲ୍ ଭିତରେ ଦୁଇଟି ଝଟ୍କା ଦେଇଥିଲେ।
ସଂକ୍ଷିପ୍ତ ସ୍କୋର୍: ବାଂଲାଦେଶ ପ୍ରଥମ ପାଳି-୭୪.୨ ଓଭରରେ ୨୩୩/୧୦ (ମୋମିନୁଲ୍ ହକ୍ ୧୦୭*, ସଦମନ ଇସଲାମ୍ ୨୪, ଯଶପ୍ରୀତ୍ ବୁମ୍ରା ୩/୫୦, ଆକାଶ ଦୀପ ୨/୪୩, ଆର. ଅଶ୍ବିନ ୨/୫୦)। ଭାରତ ପ୍ରଥମ ପାଳି: ୩୪.୪ ଓଭରରେ ୨୮୫/୯, ଘୋଷଣା (ଯଶସ୍ବୀ ଜୟସ୍ବାଲ ୭୨, କେଏଲ୍ ରାହୁଲ ୬୮, ବିରାଟ କୋହଲି ୪୭, ଶୁବମନ ଗିଲ୍ ୩୯, ମେହିଦି ହାସନ ମିରାଜ ୪/୪୧, ସକିବ ଅଲ୍ ହାସନ ୪/୭୮)। ବାଂଲାଦେଶ ଦ୍ବିତୀୟ ପାଳି: ୧୧ ଓଭରରେ ୨୬/୨ (ଜାକିର ହାସନ ୧୦, ଆର ଅଶ୍ବିନ ୨/୧୪)।
ଜାଡ଼େଜାଙ୍କ ୩୦୦ ୱିକେଟ୍, ୩୦୦୦ ରନ୍
ଦଳଗତ ସଫଳତାର ସ୍ମରଣୀୟ ଦିନରେ ବାଂଲାଦେଶ ପ୍ରଥମ ପାଳିର ଶେଷ ୱିକେଟ୍ ଭାବେ ଖଲିଲ ଅହମଦଙ୍କୁ ଆଉଟ୍ କରି ଭାରତୀୟ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ୩୦୦୦ ରନ ଏବଂ ୩୦୦ ୱିକେଟ୍ ନେବାର ବ୍ୟକ୍ତିଗତ ମାଇଲ୍ଖୁଣ୍ଟ ଛୁଇଁଥିଲେ। ଏଭଳି ଯୁଗଳ ସଫଳତା ଲାଭ କରିବାରେ ବିଶ୍ବର ଏକାଦଶ ଏବଂ ମହାନ ତାରକା କପିଳ ଦେବ ତଥା ଆର ଅଶ୍ବିନଙ୍କ ପରେ ତୃତୀୟ ଭାରତୀୟ ହୋଇଥିଲେ। ତେବେ ଏହି ତାଲିକାରେ ଜାଡ଼େଜା (୭୪ ମ୍ୟାଚ୍) ଇଂଲଣ୍ଡର କିଂବଦନ୍ତି ଅଲରାଉଣ୍ଡର୍ ଇଆନ ବୋଥାମ (୭୨ ମ୍ୟାଚ୍)ଙ୍କ ପରେ ଦ୍ରୁତତମ ହୋଇଛନ୍ତି। ୩୦୦ ୱିକେଟ୍ ନେବାରେ କିନ୍ତୁ ଜାଡ଼େଜା ସପ୍ତମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ ୩୦୦ ୱିକେଟ୍ ନେଇଥିବା ଅନ୍ୟ ଭାରତୀୟ ବୋଲରମାନେ ହେଲେ ଅନିଲ କୁମ୍ବଲେ (୬୧୯), ଆର ଅଶ୍ବିନ (୫୨୪), କପିଳ ଦେବ (୪୩୪), ହରଭଜନ ସିଂହ (୪୧୭), ଈଶାନ୍ତ ଶର୍ମା (୩୧୧), ଜାହିର ଖାନ୍ (୩୧୧)।
ସେହବାଗ ଓ ରାହାଣେଙ୍କୁ ଟପିଲେ ଜୟସ୍ବାଲ
ଯୁବ ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ୍ ସୋମବାର ୫୧ ବଲ୍ରୁ ୧୨ ଚୌକା ଓ ୨ ଛକା ବଳରେ ୭୨ ରନ୍ର ପାଳି ଖେଳି ଏକାଧିକ କୀର୍ତ୍ତିମାନ କରିଥିଲେ। ମାତ୍ର ୩୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରି ଟେଷ୍ଟ୍ କ୍ରିକେଟ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ବିସ୍ଫୋରକ ବୀରେନ୍ଦ୍ର ସେହବାଗ (୩୨ ବଲ୍)ଙ୍କୁ ଟପିଥିଲେ। ମୋଟ ଉପରେ ଏହା ଟେଷ୍ଟ୍ କ୍ରିକେଟ୍ରେ ଋଷଭ ପନ୍ତ (୨୮), କପିଳ ଦେବ (୩୦) ଓ ଶାର୍ଦୁଳ ଠାକୁର (୩୧)ଙ୍କ ପରେ ଭାରତର ଚତୁର୍ଥ ଦ୍ରୁତତମ ଟେଷ୍ଟ୍ ଅର୍ଦ୍ଧଶତକ ଥିଲା। ସେହିଭଳି ଜୟସ୍ବାଲ ମଧ୍ୟ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଗୋଟିଏ ଚକ୍ରରେ ଭାରତ ପାଇଁ ସର୍ବାଧିକ ରନ୍ କରିବାରେ ଅଜିଙ୍କ୍ୟ ରାହାଣେଙ୍କ ରେକର୍ଡ ଭାଙ୍ଗିଥିଲେ। ୨୨ ବର୍ଷୀୟ ଜୟସ୍ବାଲ୍ ଡବ୍ଲ୍ୟୁଟିସି ୨୦୨୩-୨୫ ଋତୁରେ ୧୧ ମ୍ୟାଚ୍ର ୧୯ ପାଳିରୁ ୧୧୬୬ ରନ୍ କରିଛନ୍ତି। ଅନ୍ୟପକ୍ଷରେ ରାହାଣେ ୨୦୧୯-୨୧ ଡବ୍ଲ୍ୟୁଟିସି ଋତୁରେ ୧୮ ମ୍ୟାଚ୍ରୁ ୧୧୫୯ ରନ୍ କରିଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ସେହି ଋତୁରେ ତୃତୀୟ ସର୍ବାଧିକ ୧୦୫୪ ରନ୍ କରିଥିଲେ। ଡବ୍ଲ୍ୟୁଟିସିରେ ସର୍ବାଧିକ ରନ୍ କରିବାର ରେକର୍ଡ ଇଂଲଣ୍ଡର ଜୋ ରୁଟ୍ଙ୍କ ନାଁରେ ରହିଛି। ସେ ୨୦୨୧-୨୩ ଚକ୍ରରେ ୨୨ ମ୍ୟାଚ୍ ଖେଳି ୧୯୧୫ ରନ୍ କରିଥିଲେ।
କୋହଲିଙ୍କ ୨୭,୦୦୦ ରନ୍ ମାଇଲ୍ଖୁଣ୍ଟ
କିବଂଦନ୍ତି ଭାରତୀୟ ବ୍ୟାଟର୍ ବିରାଟ କୋହଲି ମଧ୍ୟ ସୋମବାର ନିଜ ନାମକୁ ରେକର୍ଡ ବୁକ୍ରେ ସ୍ଥାନିତ କରିଥିଲେ। ୩୫ ବଲ୍ରୁ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୪୭ ରନ୍ କରିଥିବା କୋହଲି ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର (୩୪,୩୫୭)ଙ୍କ ପରେ ଦ୍ବିତୀୟ ଭାରତୀୟ ଏବଂ ବିଶ୍ବର ଚତୁର୍ଥ କ୍ରିକେଟର୍ ଭାବେ ୨୭,୦୦୦ ଅନ୍ତର୍ଜାତୀୟ ରନ୍ କ୍ଲବ୍ରେ ସାମିଲ ହୋଇଥିଲେ। ଏଥିନେଇ ବିସିସିଆଇ ସଂପାଦକ ଜୟ ଶାହ ତାଙ୍କୁ ‘ଏକ୍ସ’ରେ ଲେଖା ଲେଖି ଅଶେଷ ଅଶେଷ ଅଭିନନ୍ଦନ ଜଣାଇଥିଲେ। ସେହିଭଳି ସେ କୋଟିକୋଟି ଭାରତୀୟଙ୍କ ପ୍ରେରଣା ହୋଇ ରହିଛନ୍ତି ଓ ରହିବେ ବୋଲି ଲେଖିଥିଲେ। ଏହି ନିଆରା କ୍ଲବ୍ରେ ସାମିଲ ହୋଇସାରିଥିବା ଅନ୍ୟ ଦୁଇ କ୍ରିକେଟର୍ ହେଲେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୨୮,୦୧୬) ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୨୭, ୪୮୩)। କୋହଲି ନିଜ ଘଟଣା ବହୁଳ କ୍ରିକେଟ୍ କ୍ୟାରିୟର୍ରେ ୮,୯୧୮ ଟେଷ୍ଟ୍ ରନ୍, ୧୩,୯୦୬ ଦିନିକିଆ ରନ୍ ଏବଂ ୪,୧୮୮ ଟ୍ବେଣ୍ଟି-୨୦ ରନ୍ କରିଛନ୍ତି।
ସିରାଜ, ରୋହିତଙ୍କ ଅବିଶ୍ବସନୀୟ କ୍ୟାଚ୍
ବାଂଲାଦେଶ-ଭାରତ ଟେଷ୍ଟ୍ର ଚତୁର୍ଥ ଦିନରେ ରୋହିତ ଶର୍ମା ଓ ମହମ୍ମଦ ସିରାଜଙ୍କ ଏକହାତିଆ କ୍ୟାଚ୍ ଖୁବ୍ ଭାଇରାଲ୍ ହୋଇଛି। ଏହି ଦୁଇ କ୍ୟାଚ୍ ମଧ୍ୟ ଅବିଶ୍ବସନୀୟ ଭାବେ ଉଭୟ ଧରିଥିବାରୁ ଚର୍ଚ୍ଚାରେ ରହିଛନ୍ତି। ରବିଚନ୍ଦ୍ରନ ଅଶ୍ବିନଙ୍କ ବୋଲିଂ ବେଳେ ସାକିବ୍ ଅଲ୍ ହାସନ ଏକ ଲଫ୍ଟେଡ୍ ଡ୍ରାଇଭ୍ ଖେଳିଥିଲେ। ପଛ ହାତର ଗ୍ରିପ୍ ହରାଇଥିବାରୁ ଏହି ସଟ୍ ଉପରକୁ ଚାଲିଯିବାରୁ ମିଡ୍ ଅଫ୍ରେ ସିରାଜଙ୍କ ପାଇଁ ଏକ କଷ୍ଟକର ସୁଯୋଗ ଆସିଥିଲା। ବଲ୍ କିନ୍ତୁ ସିରାଜଙ୍କ ପଛ ପଟେ ପଡ଼ିବାକୁ ଯାଉଥିବାବେଳେ ସେ ଉପରକୁ ଲମ୍ଫ ମାରି ଗୋଟିଏ ହାତରେ ଏହାକୁ କାବୁ କରି ନେଇଥିଲେ। ନିଜେ ସାକିବ୍ ବି ଏହି କ୍ୟାଚ୍କୁ ବିଶ୍ବାସ କରିପାରିନଥିଲେ। ଏହାର କିଛି ଓଭର ପୂର୍ବରୁ ରୋହିତ ଶର୍ମା ମଧ୍ୟ ମିଡ୍ ଅଫ୍ରେ ଉପରକୁ ଡେଇଁ ଏକ ଏକହାତି କ୍ୟାଚ୍ ନେଇ ଲିଟନ ଦାସଙ୍କୁ ପ୍ୟାଭିଲିଅନ୍ ଫେରାଇବା ଭାରତୀୟ ଖେଳାଳିଙ୍କ କ୍ଷେତ୍ରରକ୍ଷଣ ସ୍ତର ଉର୍ଧ୍ବମୁଖା ହୋଇଥିବା ପ୍ରମାଣିତ କରିଥିଲା।