ବର୍ମିଂହାମ: ଅଧିନାୟକ ଭାବେ ଶୁବମନ ଗିଲ୍ଙ୍କ ରେକର୍ଡ ଭରା ମାରାଥନ୍ ଦ୍ବିଶତକ (୨୬୯ ରନ୍, ୫୦୯ ମିନିଟ୍, ୩୮୭ ବଲ୍, ୩୦ ଚୌକା, ୩ ଛକା) ପରେ ବୋଲର୍ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ରବୀନ୍ଦ୍ର ଜାଡ଼େଜା (୮୯)ଙ୍କ ସହ ମିଶି ଦ୍ବିଶତକୀୟ (୨୦୩) ଏବଂ ୱାସିଂଟନ୍ ସୁନ୍ଦର (୪୨)ଙ୍କ ସହ ମିଶି ଶତକୀୟ (୧୪୪) ଭାଗୀଦାରି କରି ଶୁବମନ ଗିଲ୍ ମଧ୍ୟ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଭାରତର ପ୍ରଥମ ପାଳି ୫୮୭ ରନ୍ରେ ଶେଷ ହୋଇଛି। ଜବାବରେ ଇଂଲଣ୍ଡ ୨୫ ରନ୍ ଭିତରେ ୩ ୱିକେଟ୍ ହରାଇ (ଡକେଟ୍, ପୋପ୍, କ୍ରଲି) ପ୍ରାରମ୍ଭିକ ସଙ୍କଟ (୭୭/୩)ରେ ପଡ଼ିଛି।
ଗୁରୁବାର ଭାରତ ୩୧୦/୫ରୁ ଖେଳିବା ପରେ ଦିନତମାମ ଇଂଲଣ୍ଡ ବୋଲର୍ଙ୍କୁ ନୟାନ୍ତ କରିଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ରବୀନ୍ଦ୍ର ଜାଡ଼େଜା ମାତ୍ର ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଟଙ୍ଗ୍ ବଡିଲାଇନ୍ ସର୍ଟ ପିଚ୍ ପରୀକ୍ଷାରେ ଶିକାର କରି ନେଇଥିଲେ। ସେହିଭଳି ଚା’ପାନ ବିରତି ପୂର୍ବରୁ ୱାସିଂଟନ୍ ସୁନ୍ଦରଙ୍କୁ ବି ଅର୍ଦ୍ଧଶତକ କରାଇ ଦେଇନଥିଲେ ଜୋ ରୁଟ୍। ବ୍ୟାଟିଂ କମାଲ ଉଦାହରଣ ସହ ଦଳର ନେତୃତ୍ବ ନେଇଥିବା ଗିଲ୍ ଏକାଧିକ ରେକର୍ଡ କରିଥିଲେ। ଉଭୟ ଟେଷ୍ଟ୍ ଓ ଦିନିକିଆରେ ଦ୍ବିଶତକ ଅର୍ଜନ କରିବାରେ ବିଶ୍ବର ପଞ୍ଚମ ଖେଳାଳି ହୋଇଥିଲେ। ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ରୋହିତ ଶର୍ମା ଓ କ୍ରିସ୍ ଗେଲ୍ ଏହି କ୍ଲବ୍ର ସଦସ୍ୟ ଥିଲେ। ସେହିଭଳି ଦେଶ ବାହାରେ ସର୍ବୋଚ୍ଚ ପାଳି ଖେଳିବାରେ ଗିଲ୍ (୨୬୯) କେବଳ ବୀରେନ୍ଦ୍ର ସେହବାଗ (୩୦୯, ମୁଲତାନ) ଓ ରାହୁଲ ଦ୍ରାବିଡ଼ (୨୭୦, ରାୱଲପିଣ୍ଡି)ଙ୍କ ପରେ ତୃତୀୟ ଭାରତୀୟ ହୋଇଛନ୍ତି। ସେହବାଗ ଓ ଦ୍ରାବିଡ଼ ୨୦୦୪ ପାକିସ୍ତାନ ଗସ୍ତରେ ଏହା କରିଥିଲେ। ପ୍ରଥମ ପାଳିରେ ଭାରତ ପ୍ରଥମ ୫ ୱିକେଟ୍ ହରାଇବା ପରେ ୩୭୬ ରନ୍ ଅଧିକ ଯୋଡ଼ିବା ଏକ ଭାରତୀୟ ରେକର୍ଡ ହୋଇଛି। ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍ରେ ଭାରତ ପୂର୍ବରୁ ସର୍ବାଧିକ ୩୭୦ ରନ୍ କରିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୫୧ ଓଭରରେ ୫୮୭ (ଶୁବମନ ଗିଲ୍-୨୬୯, ରବୀନ୍ଦ୍ର ଜାଡ଼େଜା-୮୯, ଯଶସ୍ବୀ ଜୟସ୍ବାଲ-୮୭, ୱାସିଂଟନ୍ ସୁନ୍ଦର-୪୨, ସୋଏବ ବଶିର-୩/୧୬୭, କ୍ରିସ୍ ୱକ୍ସ-୨/୮୧, ଜୋସ୍ ଟଙ୍ଗ୍-୨/୧୧୯, ଜୋ ରୁଟ୍-୧/୨୦, ବେନ୍ ଷ୍ଟୋକ୍ସ-୧/୭୪, ବ୍ରାଇଡେନ୍ କାର୍ସ-୧/୮୩)। ଇଂଲଣ୍ଡ ପ୍ରଥମ ପାଳି: ୨୦ ଓଭରରେ ୭୭/୩ (ଜୋ ରୁଟ୍-୧୮*, ହ୍ୟାରି ବ୍ରୁକ୍-୩୦*, ଆକାଶ ଦୀପ-୨/୩୬, ମହମ୍ମଦ ସିରାଜ-୧/୨୧)।
ପୁଣି ଖଣ୍ଡା ବୁଲାଇଲେ ଜାଡ଼େଜା
ଭାରତୀୟ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଗୁରୁବାର ନିଜ ୨୩ତମ ଟେଷ୍ଟ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ନିଜ ଚିରାଚରିତ ଖଣ୍ଡାବୁଲା ଶୈଳୀରେ ଉତ୍ସବ ପାଳନ କରି ଏହାର ଖୁସି ମନାଇଥିଲେ ସେ। ସେହିଭଳି ଅଧିନାୟକ ଶୁବମନ ଗିଲ୍ଙ୍କ ସହ ଦ୍ବିଶତକୀୟ ଭାଗୀଦାରି କରି ଭାରତର ସ୍ଥିତି ସୁଧାରି ନେଇଥିଲେ। ଜାଡ଼େଜାଙ୍କ ସାହସିକ ବ୍ୟାଟିଂକୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। ୨୦୨୨ ଗସ୍ତରେ ଜାଡ଼େଜା ମଧ୍ୟ ଏଜ୍ବାଷ୍ଟନ୍ଠାରେ ୧୦୪ ରନ୍ କରିଥିଲେ।
ଅଧିନାୟକ ହେବାର ତୃତୀୟ ପାଳିରେ ଦ୍ବିଶତକ ଅର୍ଜନ କରି ଶୁବମନ ଗିଲ୍ ଏକାଧିକ ରେକର୍ଡ ନିଜ ନାମରେ କରି ନେଇଛନ୍ତି। ସବୁ ଭାରତୀୟଙ୍କୁ ପଛରେ ପକାଇ ଇଂଲଣ୍ଡ ମାଟିରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରି ନେଇଛନ୍ତି। ତୃତୀୟ ଭାରତୀୟ ଭାବେ ଇଂଲଣ୍ଡରେ ଦ୍ବିଶତକ ହାସଲ କରିଛନ୍ତି। ମୋଟ ଉପରେ କିନ୍ତୁ ଷଷ୍ଠ ଭାରତୀୟ ଅଧିନାୟକ ଭାବେ ଦ୍ବିଶତକ ଅର୍ଜନ କରିଛନ୍ତି। ପୂର୍ବ ୫ ଜଣ ହେଉଛନ୍ତି ମନସୁର ଅଲୀ ଖାନ୍ ପଟୌଦୀ, ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର, ଏମ୍ଏସ୍ ଧୋନି ଓ ବିରାଟ କୋହଲି। ବିରାଟ କୋହଲି କିନ୍ତୁ ଏକମାତ୍ର ଖେଳାଳି ଭାବେ ତାଙ୍କ ଅଧିନାୟକତ୍ବ ସମୟରେ ୭ ଥର ଦ୍ବିଶତକ ଅର୍ଜନ କରିଥିଲେ। ଅନ୍ୟମାନେ ଥରେ ଲେଖାଏଁ କରିଥିଲେ। ବିଦେଶ ମାଟିରେ କିନ୍ତୁ ଦ୍ବିଶତକ ଅର୍ଜନ କରିବାରେ ସେ ଦ୍ବିତୀୟ ଭାରତୀୟ ଅଧିନାୟକ। ୨୦୧୬ରେ ବିରାଟ କୋହଲି ନର୍ଥ ସାଉଣ୍ଡ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୦ ରନ୍ କରିଥିଲେ। ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍, ଅଷ୍ଟ୍ରେଲିଆ) ଦେଶରେ ଦ୍ବିଶତକ ଅର୍ଜନ କରିବାରେ ଗିଲ୍ ପ୍ରଥମ ଏସୀୟ ହୋଇଛନ୍ତି। ୨୦୧୧ରେ ଲର୍ଡସରେ ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ ୧୯୩ ରନ୍ କରିବା ସର୍ବୋଚ୍ଚ ଥିଲା।
ଦ୍ବିତୀୟ ସର୍ବକନିଷ୍ଠ ଅଧିନାୟକ: ଦ୍ବିଶତକ ଅର୍ଜନ କରିବାରେ ଗିଲ୍ ମଧ୍ୟ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ଅଧିନାୟକ ହୋଇଛନ୍ତି। ଏମ୍ଏକେ ପଟୌଦୀ ୧୯୬୪ ମସିହାରେ ଦିଲ୍ଲୀରେ ଇଂଲଣ୍ଡ ବିପକ୍ଷରେ ୨୩ ବର୍ଷ ୩୯ ଦିନରେ ଦ୍ବିଶତକ ହାସଲ କରି ସର୍ବକନିଷ୍ଠ ଅଛନ୍ତି। ଗିଲ୍ ୨୫ ବର୍ଷ ୨୯୮ ଦିନରେ ଏହି ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ସଚିନ ତେନ୍ଦୁଲକର ୧୯୯୯ରେ ଅହମଦାବାଦରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୨୬ ବର୍ଷ ୧୮୯ ଦିନରେ ଏବଂ ବିରାଟ କୋହଲି ୨୦୧୬ରେ ନର୍ଥ ସାଉଣ୍ଡ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୭ ବର୍ଷ ୨୬୦ ଦିନରେ ଦ୍ବିଶତକ ଅର୍ଜନ କରିଥିଲେ। ଅଧିନାୟକ ଭାବେ ମାତ୍ର ତୃତୀୟ ପାଳିରେ ଦ୍ବିଶତକ ଅର୍ଜନ କରିବା ମଧ୍ୟ ଗିଲ୍ଙ୍କ ପାଇଁ ଯୁଗ୍ମ ଦ୍ରୁତତମ। ୧୯୭୮ ମସିହାରେ ସୁନିଲ ଗାଭାସ୍କର ୱାଙ୍ଖ୍ଡ଼େରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୫ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟ ତାଙ୍କ ନେତୃତ୍ବର ତୃତୀୟ ପାଳିରେ ଆସିଥିଲା।
ଇଂଲଣ୍ଡରେ ଅଧିନାୟକଙ୍କ ଦ୍ବିଶତକ: ଇଂଲଣ୍ଡ ମାଟିରେ ଅଧିନାୟକ ଭାବେ ଦ୍ବିଶତକ ଅର୍ଜନ କରିବାରେ ଗୁରୁବାର ଏକାଦଶ ଉଦାହରଣ ଦେଖିବାକୁ ମିଳିଛି। ତେବେ ଘରୋଇ ଦଳର ବ୍ୟାଟର୍ ୪ଟି ଏବଂ ଭ୍ରମଣକାରୀ ଦଳର ଖେଳାଳି ୧୧ଟି ମାରିଛନ୍ତି। ଗିଲଙ୍କଠାରୁ କେବଳ ଗ୍ରେମ୍ ସ୍ମିଥ୍ କମ୍ ବୟସରେ ଏହା କରିଛନ୍ତି। ୨୦୦୩ ଗସ୍ତରେ ସ୍ମିଥ୍ ଏଜ୍ବାଷ୍ଟନ୍ରେ ୨୭୭ ଏବଂ ଲର୍ଡସରେ ୨୫୯ ରନ୍ର ପାଳି ଖେଳିଥିଲେ। ପ୍ରଥମଟି ମାତ୍ର ୨୨ ବର୍ଷ ୧୭୫ ଦିନରେ ଆସିଥିଲା।
ଭାରତ ପାଇଁ ୨୫୦+: ଷଷ୍ଠ ଭାରତୀୟ ଅଧିନାୟକ ଭାବେ ଦ୍ବିଶତକ ଅର୍ଜନ କରିଥିବା ଗିଲ୍ ମଧ୍ୟ ଷଷ୍ଠ ଭାରତୀୟ ଭାବେ ୨୫୦+ ସ୍କୋର୍ କରିଛନ୍ତି ଟେଷ୍ଟ୍ କ୍ରିକେଟ୍ରେ। ବୀରେନ୍ଦ୍ର ସେହବାଗ, ଭିଭିଏସ୍ ଲକ୍ଷ୍ମଣ, ରାହୁଲ ଦ୍ରାବିଡ଼, କରୁଣ ନାୟର, ବିରାଟ କୋହଲି ପୂର୍ବରୁ ଏହି କ୍ଲବ୍ରେ ଥିଲେ। ଉପମହାଦେଶ ବାହାରେ କିନ୍ତୁ ୨୫୦+ ସ୍କୋର୍ କରିବାରେ ଗିଲ୍ ପ୍ରଥମ ଭାରତୀୟ ହୋଇଛନ୍ତି। ପୂର୍ବ ସର୍ବାଧିକ ୨୪୧* ରନ୍ ସଚିନ ତେନ୍ଦୁଲକର (ବନାମ ଅଷ୍ଟ୍ରେଲିଆ, ସିଡ୍ନି, ୨୦୦୪)ଙ୍କ ନାମରେ ଥିଲା। ବୀରେନ୍ଦ୍ର ସେହବାଗ କିନ୍ତୁ ଏକମାତ୍ର ଭାରତୀୟ ଯିଏ ସର୍ବାଧିକ ୪ ଥର ୨୫୦+ ରନ୍ ଟେଷ୍ଟ୍ ପାଳି ଖେଳିଛନ୍ତି।