ମେଲ୍‌ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଗୁରୁବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଣମାନ୍ୟତାପ୍ରାପ୍ତ ରୁଷିଆର ଆନ୍ନା ବ୍ଲିଙ୍କୋଭା ବିଶ୍ବର ୩ ନମ୍ବର ଏଲିନା ରିବାକିନାଙ୍କୁ ଟାଇ-ବ୍ରେକ୍‌ରେ ହରାଇ ବିଦାୟର ରାସ୍ତା ଦେଖାଇଛନ୍ତି। ଗ୍ରାଣ୍ଡସ୍ଲାମ୍‌ ଏକକ ଇତିହାସରେ ଏହି ମ୍ୟାଚ୍‌ ସବୁଠୁ ଲମ୍ବା ଟାଇ-ବ୍ରେକ୍‌ ହୋଇଛି। ମହିଳା ଏକକ ପ୍ରଥମ ସେଟ୍‌କୁ ୫୭ ମାନ୍ୟତା ବ୍ଲିଙ୍କୋଭା ୬-୪ରେ ଜିତିଥିଲେ। ଗତଥରର ଫାଇନାଲିଷ୍ଟ ରିବାକିନା ଦ୍ବିତୀୟ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ତୃତୀୟ ସେଟ୍‌ ସମାନ ୬-୬ ରହିବାରୁ ମ୍ୟାଚ୍‌ ଟାଇ-ବ୍ରେକକୁ ଯାଇଥିଲା। ଏହି ଟାଇ-ବ୍ରେକ୍‌ ୩୧ ମିନିଟ୍‌ ଧରି ଚାଲିବା ସହ ୨୨-୨୦ (୪୨)‌ରେ ବ୍ଲିଙ୍କୋଭା ଜିତିଥିଲେ। ଯାହା ପୂର୍ବରୁ ଥିବା ରେକର୍ଡ ୩୮ ପଏଣ୍ଟ ଟାଇ-ବ୍ରେକ୍‌କୁ ପଛରେ ପକାଇଥିଲା। ଅନ୍ୟ ତାରକା ମହିଳା ଖେଳାଳି ଭାବେ ପଞ୍ଚମ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ଓ ୨୦୨୧ ୟୁଏସ୍‌ ଓପନ୍‌ ବିଜୟିନୀ ଇମା ରାଡୁକାନୁଙ୍କ ଅଭିଯାନ ଦ୍ବିତୀୟ ରାଉଣ୍ଡରେ ଶେଷ ହୋଇଛି। ଆମେରିକାର ‌ପେଗୁଲାଙ୍କୁ ଅଣମାନ୍ୟତାପ୍ରାପ୍ତ ଫ୍ରାନ୍ସର କ୍ଲାରା ବୁରେଲ ୬-୪, ୬-୨ ‌ସେଟ୍‌ରେ ଏବଂ ବ୍ରିଟେନ୍‌ର ରାଡୁକାନୁଙ୍କୁ ଚୀନ୍‌ର ୟାଫାନ ୱାଙ୍ଗ ୬-୪, ୪-୬, ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ବିଶ୍ବର ଏକ ନମ୍ବର ଈଗା ସ୍ବିତେକ, ଲାତଭିଆର ଜେଲିନା ଓସ୍ତାପେଙ୍କୋ ଓ ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ୪ ଥରର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ପୋଲାଣ୍ଡର ସ୍ବିତେକ ୬-୪, ୩-୬, ୬-୪ ସେଟ୍‌ରେ ଆମେରିକାର ଡାନିଏଲି କଲିନ୍ସଙ୍କୁ, ଏକାଦଶ ମାନ୍ୟତାପ୍ରାପ୍ତ ଓସ୍ତାପେଙ୍କୋ ୭-୬, ୬-୧ ସେଟ୍‌ରେ ଅଷ୍ଟ୍ରେଲିଆର କିମ୍ବର୍ଲି ତୋମଲଜାନୋଭିକ୍‌ଙ୍କୁ ଏବଂ ୨୦୧୭ ୟୁଏସ୍‌ ଓପନ୍‌ ବିଜୟିନୀ ଷ୍ଟିଫେନ୍ସ ୬-୩ , ୬-୩ ସେଟ୍‌ରେ ୧୪ ମାନ୍ୟତାପ୍ରାପ୍ତ ରୁଷିଆର ଡାରିଆ କାସତ୍‌କିନାଙ୍କୁ ହରାଇଥିଲେ।

ତୃତୀୟ ରାଉଣ୍ଡରେ ଅଲ୍‌କାରାଜ

Advertisment

ପୁରୁଷ ଏକକରେ ୱିମ୍ବଲଡନ୍‌ ବିଜେତା ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜ, ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରେଭ, ହୁବର୍ଟ ହର୍କାଜ (ନବମ) ଓ କାସପର ରୁଡ୍‌ (ଏକାଦଶ) ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅଲ୍‌କାରାଜ ୬-୪, ୬-୭, ୬-୩, ୭-୬ ସେଟ୍‌ରେ ଇଟାଲିର ଲୋରେଞ୍ଜୋ ସୋନେଗୋଙ୍କୁ, ‌ଜର୍ମାନିର ଭେରେଭ ୭-୫, ୩-୬, ୪-୬, ୭-୬, ୭-୬ ସେଟ୍‌ରେ ସ୍ଲୋ‌ଭାକିଆର ଲୁକାସ କ୍ଲେନ୍‌ଙ୍କୁ, ପୋଲାଣ୍ଡର ହର୍କାଜ ୬-୭, ୬-୧, ୫-୭, ୬-୧, ୬-୩ ସେଟ୍‌ରେ ଚେକ୍‌ଗଣରାଜ୍ୟର ଜାକୁବ ମେନସିକ୍‌ଙ୍କୁ, ନରୱେର ରୁଡ୍‌ ୬-୩, ୬-୭, ୬-୩, ୩-୬, ୭-୬ ସେଟ୍‌ରେ ‌ସ୍ଥାନୀୟ ଖେଳାଳି ମାକ୍ସ ପୁର୍ସେଲଙ୍କୁ ପରାସ୍ତ କରିଛନ୍ତି।

ନଗଲଙ୍କ ଅଭିଯାନ ଶେ‌ଷ; ବୋପାନ୍ନା ଆଗେଇଲେ
ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାରୁ ଭାରତର ସୁମିତ ନଗଲଙ୍କ ଅଭିଯାନ ଶେଷ ହୋଇଛି। ଗୁରୁବ‌ାର ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ନଗଲ ୨ଘଣ୍ଟା ୫୦ ମିନିଟ୍‌ର କଡ଼ା ସଂଘର୍ଷ ପରେ ୬-୨, ୩-୬, ୫-୭, ୪-୬ ସେଟ୍‌ରେ ୱାଇଲ୍ଡ କାର୍ଡ ପାଇ ଆସିଥିବା ଚୀନ୍‌ର ୧୮ ବର୍ଷୀୟ ଜୁନଚେଙ୍ଗ ସାଙ୍ଗ୍‌ଙ୍କଠୁ ହାରି ଯାଇଥିଲେ। ଏହି ପରଜୟ ସହ ୨୬ ବର୍ଷୀୟ ନଗଲ ୧୮୦,୦୦୦ ଅଷ୍ଟ୍ରେଲୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୯୯ ଲକ୍ଷ ଟଙ୍କା) ସହ ସ୍ବଦେଶ ଫେରିଛନ୍ତି। ପୁରୁଷ ଯୁଗଳରେ ଭାରତୀୟ ଭେଟେରାନ ରୋହନ ବୋପାନ୍ନା ବିଜୟ ସହ ଆଗକୁ ବଢ଼ିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡନ ୭-୬, ୪-୬, ୭-୬ ସେଟ୍‌ରେ ସ୍ଥାନୀୟ ଯୋଡ଼ି ଜେମ୍ସ ଡକ୍‌ୱର୍ଥ ଓ ମାର୍କ ପୋଲମାନ୍ସଙ୍କୁ ହରାଇଥିଲେ। ଭାରତୀୟ ଯୋଡ଼ି ବିଜୟ ସୁନ୍ଦର ପ୍ରଶାନ୍ତ ଓ ଅନିରୁଦ୍ଧ ଚନ୍ଦ୍ରଶେଖର ୩-୬, ୪-୬ ସେଟ୍‌‌ରେ ହ‌େଙ୍ଗରୀର ମାର୍ଟନ ଫୁସୋଭିକ୍ସ ଓ ଫାବିନା ମା‌ରୋଜସାନଙ୍କଠୁ ହାରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।