ଟି-୨୦: ବିରାଟଙ୍କ ଅପେକ୍ଷାରେ ବଡ଼ ରେକର୍ଡ, କ୍ୱିଓ୍ଵି ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ: ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଦିନିକିଆ ପରେ ଟି-୨୦ ଶୃଙ୍ଖଳା ଖେଳିବ। ୩ଟି ମ୍ୟାଚ୍‌ର ପ୍ରଥମ ମୁକାବିଲା ଫେବ୍ରୁଆରି ୧୮ରେ ହେବ। ଭଲ ଫର୍ମରେ ଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଶୃଙ୍ଖଳାରେ ବଡ଼ ରେକର୍ଡ ନିଜର ନାମରେ କରିପାରନ୍ତି। ବିରାଟ ଦିନିକିଆ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ରେ ୪୨୯ ରନ୍‌ ସଂଗ୍ରହ କରିଛନ୍ତି ଓ ତାଙ୍କର ହାରାହାରି ୧୩୪.୦୦ ଅଟେ।

କୋହଲି ଯଦି ଏହି ଶୃଙ୍ଖଳାରେ ୨୩୩ ରନ୍‌ ସଂଗ୍ରହ କରିନିଅନ୍ତି, ତା’ହେଲେ ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠାରୁ ଅଧିକ ରନ୍‌ ସଂଗ୍ରହକାରୀ ତାଲିକାର ଶୀର୍ଷସ୍ଥାନକୁ ପହଞ୍ଚିଯିବେ ଓ ନ୍ୟୁଜିଲାଣ୍ଡର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ମାର୍ଟିନ ଗପ୍ଟିଲଙ୍କୁ ପଛରେ ପକାଇ ଦେଇପାରିବେ, ଯିଏ କି ବ୍ରେଣ୍ଡନ ମ୍ୟାକୁଲମ୍‌ଙ୍କ ରେକର୍ଡ ଅତିକ୍ରମ କରିଥିଲେ। ଗପ୍ଟିଲଙ୍କୁ ଆଇପିଏଲ୍‌ର କୌଣସି ଦଳ କିଣି ନାହାଁନ୍ତି।

ଗପ୍ଟିଲ ଟି-୨୦ ତ୍ରିକୋଣୀୟ ଶୃଙ୍ଖଳାର ୫ଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ସବୁଠାରୁ ଅଧିକ ରନ୍‌ ସଂଗ୍ରହକାରୀ ଖେଳାଳି ଭାବରେ ପରିଚୟ ଦେଇ ପାରିଛନ୍ତି। ଗପ୍ଟିଲଙ୍କ ୧୦୫ ରନ୍‌ ବଳରେ ନ୍ୟୁଜିଲାଣ୍ଡ(୨୪୩ରନ୍‌) ମ୍ୟାଚ୍‌ ବିଜୟୀ ହୋଇ ପାରିଥିଲା।

ଗପ୍ଟିଲ ୪୯ଟି ବଲ ଖେଳି ଶତକ ହାସଲ କରିଥିଲେ, ଯାହାକି ନ୍ୟୁଜିଲାଣ୍ଡ ପକ୍ଷରୁ ସବୁଠାରୁ ଦ୍ରୁତତମ ଟି-୨୦ ଶତକ। ସେ ୫୪ଟି ବଲ୍‌ ସମ୍ମୁଖୀନ ହୋଇ ୯ଟି ଛକା ଓ ୬ଟି ଚୌକା ଦ୍ୱାରା ୧୦୫ ରନ୍‌ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ଏହି ଭଳି ଭାବରେ ଟି-୨୦ରେ ନିଜର ସର୍ବୋଚ୍ଚ ସ୍କୋର କରିଥିଲା। ଇନିଂସରେ ସମୁଦାୟ ୧୮ଟି ଛକା ଓ ୧୪ଟି ଚୌକାକୁ ଦର୍ଶକ ଦେଖିଥିଲେ।

ଏହିଭଳି ଭାବରେ ଗପ୍ଟିଲ ଟି-୨୦ କ୍ୟାରିୟରରେ ମୋଟ୍‌ ୨୧୮୮ ରନ୍‌ ସଂଗ୍ରହ କରିଛନ୍ତି। ମ୍ୟାକୁଲମ ୨୧୪୦ ରନ୍‌, ବିରାଟ କୋହଲି ୧୯୫୬ ରନ୍‌ ସଂଗ୍ରହ କରିଛନ୍ତି।

ଟି-୨୦: ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍‌ସମ୍ୟାନ୍‌

ମାର୍ଟିନ ଗପ୍ଟିଲ: ୭୧ ଇନିଂସ, ୨୧୮୮ ରନ୍‌
ବ୍ରେଣ୍ଡନ ମ୍ୟାକୁଲମ୍‌: ୭୦ ଇନିଂସ, ୨୧୪୦ ରନ୍‌
ବିରାଟ କୋହଲି: ୫୧ ଇନିଂସ, ୧୯୭୬ ରନ୍‌

ସମ୍ବନ୍ଧିତ ଖବର