ଭୁବନେଶ୍ବର: ବିସିସିଆଇ ପକ୍ଷରୁ ୬ ବର୍ଷ ପରେ ମହିଳାଙ୍କ ପାଇଁ ବହୁଦିବସୀୟ କ୍ରିକେଟ୍‌ ଆରମ୍ଭ କରାଯିବ। ଆସନ୍ତା ୨୮ ତାରିଖରୁ ପୁଣେରେ ଅନ୍ତଃଜୋନ୍‌ ଫର୍ମାଟ୍‌ରେ ମ୍ୟାଚ୍‌ଗୁଡ଼ିକ ‌ଖେଳାଯିବ। କିନ୍ତୁ ‌ମହିଳାଙ୍କ ଏହି ନାଲି ବଲ୍‌ ପ୍ରଥମ ଶ୍ରେଣୀ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ବ କ’ଣ ରହିବ ତାହା ଉପରେ କ୍ରିକେଟ୍‌‌ ପ୍ରେମୀଙ୍କ ନଜର ରହିଛି। କାରଣ ପୂର୍ବରୁ ଯେପରି ଟ୍ବେଣ୍ଟି-୨୦ ଓ ଦିନିକିଆ ମ୍ୟାଚ୍‌ର ପ୍ରଦର୍ଶନକୁ ଆଧାର କରି ଅନ୍ତଃଜୋନ୍‌ ବହୁଦିବସୀୟ ମ୍ୟାଚ୍‌ ପାଇଁ ଖେଳାଳି ଚୟନ ହେଉଥିଲା, ଏଥର ମଧ୍ୟ ସେଭଳି ସମ୍ଭାବନା ରହିଛି। ନଚେତ୍‌ ୬ ବର୍ଷ ପରେ ଏହି ଫର୍ମାଟ୍‌ ଆସିଥିବାରୁ ଦିନିକିଆ ଅନ୍ତଃଜୋନ୍‌ ଦଳକୁ ବହୁଦିବସୀୟ ପାଇଁ ବିଚାରକୁ ନିଆଯାଇପାରେ। ଉଭୟ ସମ୍ଭାବନାକୁ ଦୃଷ୍ଟିରେ ରଖିଲେ ମଧ୍ୟ ଓଡ଼ିଶା ଖେଳାଳିଙ୍କୁ ସୁଯୋଗ ମିଳିବା ସମ୍ଭାବନା ନାହିଁ କହିଲେ ଚଳେ। କାରଣ ଅନ୍ତଃରାଜ୍ୟ ଦିନିକିଆରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଓଡ଼ିଶା ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଥିଲା ବେଳେ ୪ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ସେହିପରି ଟ୍ବେଣ୍ଟି-୨୦ରେ ଓଡ଼ିଶା ୬ ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଥିଲା। ପ୍ରଦର୍ଶନକୁ ଆଧାର କରି ପୂର୍ବାଞ୍ଚଳ ଟ୍ବେଣ୍ଟି-୨୦ ଓ ଦିନିକିଆ ଦଳରେ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ମାଧୁରୀ ମେହେଟ୍ଟା ସ୍ଥାନ ପାଇଥିଲେ।

Advertisment

୨୮ରୁ ବିସିସିଆଇ ଅନ୍ତଃଜୋନ୍‌ ମହିଳା ବହୁଦିବସୀୟ କ୍ରିକେଟ୍‌
ପୂର୍ବାଞ୍ଚଳ ଦଳ ପାଇଁ ଦାବିଦାର ସୁଶ୍ରୀ, ମାଧୁରୀ, ରାମେଶ୍ବରୀ, ପ୍ରିୟଙ୍କା, ପ୍ରଜ୍ଞା, ବର୍ଷା

ଅନ୍ତଃଜୋନ୍‌ ଟ୍ବେଣ୍ଟି-୨୦ରେ ଅଲରାଉଣ୍ଡର ସୁଶ୍ରୀ ୫ ମ୍ୟାଚ୍‌ ଖେଳି ୧୦୮ ରନ୍‌ ସଂଗ୍ରହ କରିଥିଲେ। ଯାହା ମଧ୍ୟରେ ତାଙ୍କର ସର୍ବୋଚ୍ଚ ରନ୍‌ ଥିଲା ୩୬। ବୋଲିଂରେ ୪ ୱିକେଟ୍‌ ନେଇଥିଲେ। ଦିନିକିଆ ଅନ୍ତଃଜୋନ୍‌ରେ ସୁଶ୍ରୀଙ୍କ ପ୍ରଦର୍ଶନ କିନ୍ତୁ ଆଶାନୁରୂପକ ହୋଇ ନଥିଲା। ୪ ମ୍ୟାଚ୍‌ରୁ ମାତ୍ର ଥରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିଲା ବେଳେ ୬ ରନ୍‌ ସଂଗ୍ରହ କରିଥିଲେ ଏବଂ ୨ ୱିକେଟ୍‌ ନେଇଥିଲେ। ମାଧୁରୀ ମଧ୍ୟ ୩ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ୨ ମ୍ୟାଚ୍‌ରେ ବ୍ୟାଟିଂ କରିଥିଲେ ଓ ୬ ରନ୍‌ ସଂଗ୍ରହ କରିଥିଲେ। ଏମାନଙ୍କ ବ୍ୟତୀତ ପୂର୍ବାଞ୍ଚଳ ଦଳ ପାଇଁ ଅନ୍ୟତମ ଦାବିଦାର ଭାବେ ଦ୍ରୁତ ବୋଲର ରାମେଶ୍ବରୀ ନାଏକ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ପ୍ରଜ୍ଞା ମହାନ୍ତି ଓ ବର୍ଷାରାଣୀ ସିଂହ ରହିଛନ୍ତି। ଅନ୍ତଃରାଜ୍ୟ ଦିନିକିଆରେ ରାମେଶ୍ବରୀ ୬ ମ୍ୟାଚ୍‌ରୁ ୭ ୱିକେଟ୍ ପାଇଥିଲା ବେଳେ ପ୍ରିୟଙ୍କା ୭ ମ୍ୟାଚ୍‌ରୁ ୭ ୱିକେଟ୍‌ ଓ ଟ୍ବେଣ୍ଟି-୨୦ରେ ୬ ମ୍ୟାଚ୍‌ରୁ ୬ ୱିକେଟ୍‌ ନେଇଥିଲେ। ସେହିପରି ପ୍ରଜ୍ଞା ଟ୍ବେଣ୍ଟି-୨୦ରେ ୫ ମ୍ୟାଚ୍‌ ଖେଳି ୧ ଅର୍ଦ୍ଧଶତକ (୫୩) ସହାୟତାରେ ୧୧୮ ରନ୍‌ ସଂଗ୍ରହ କରିଥିଲେ ଓ ବର୍ଷାରାଣୀ ୩ ମ୍ୟାଚ୍‌ରୁ ୬ ୱିକେଟ୍‌ ନେଇଥିଲେ।

ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ପ୍ରତିନିଧିତ୍ବ ଉପରେ ଆନ୍ତର୍ଜାତିକ କ୍ରିକେଟର୍‌ ତଥା ଓଡ଼ିଶା ଅଧିନାୟକ ମାଧୁରୀ କହିଛନ୍ତି ଯେ, ଆମେ ଏହି ଋତୁରେ ସେତେ ଭଲ ପ୍ରଦର୍ଶନ କରିନାହୁଁ। ତେଣୁ ପୂର୍ବାଞ୍ଚଳ ଦଳରେ ସ୍ଥାନ ପାଇଁ ଦାବି କରିପାରିବୁନି। କିନ୍ତୁ ସୁଶ୍ରୀ ଯେହେତୁ ଅନ୍ତଃଜୋନ୍‌ ଖେଳିଛନ୍ତି ଓ ଭଲ ପ୍ରଦର୍ଶନ ଦେଇଥିଲେ, ଓଡ଼ିଶାରୁ ସେ ବହୁଦିବସୀୟ ଖେଳିବା ସମ୍ଭାବନା ରହିଛି। ଆସନ୍ତା ଋତୁରେ ବହୁଦିବସୀୟ ଯୋଗହେଲେ ଜାତୀୟସ୍ତରରେ ଅଧିକ ଓଡ଼ିଆ ଝିଅ ଖେଳିପାରିବେ ବୋଲି ମାଧୁରୀ କହିଛନ୍ତି। ସେହିପରି ସୁଶ୍ରୀ କହିଛନ୍ତି ଯେ, ୨୦୧୮ରେ ଶେଷ ଥର ପାଇଁ ହୋଇଥିବା ୩ଦିନିଆ ମ୍ୟାଚ୍‌ରେ ଓଡ଼ିଶାରୁ ୬ଜଣ ପୂର୍ବାଞ୍ଚଳ ଦଳରେ ଥିଲେ। ୨୦୧୬ରେ ଓଡ଼ିଶା ବିଜେତା ଓ ୨୦୧୮ରେ ଉପବିଜେତା ହୋଇଥିବାରୁ ବହୁଦିବସୀୟ ଚୟନ ବେଳେ ଅଧିକ ଓଡ଼ିଆ ଝିଅ ଦଳରେ ସ୍ଥାନ ପାଉଥିଲେ। କିନ୍ତୁ ଗତ ଋତୁଠାରୁ ଆମେ ଭଲ ଖେଳିପାରିନୁ। ତଥାପି ଯଦି ସୁଯୋଗ ମିଳେ ଅନ୍ତଃଜୋନ୍‌ ବହୁଦିବସୀୟ‌ରେ ଭଲ ପ୍ରଦର୍ଶନ ଦେବାପାଇଁ ସୁଶ୍ରୀ ଆଶା ରଖିଛନ୍ତି।