ଅଲୁର (କର୍ଣ୍ଣାଟକ): କରୁଣ ନାୟାରଙ୍କ ଚମତ୍କାର ବ୍ୟାଟିଂ ବଳରେ ଇଣ୍ଡିଆ ରେଡ୍ ଚଳିତ ଦଲିପ୍ ଟ୍ରଫି ପ୍ରତିଯୋଗିତାର ଫାଇନାଲ୍ ସ୍ଥାନ ପକ୍କା କରିନେଇଛି। ଇଣ୍ଡିଆ ବ୍ଲୁ ବିପକ୍ଷ ଏହି ମ୍ୟାଚ୍ରେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ରେଡ୍ ଦଳ ଆଗକୁ ବଢ଼ିଛି। ଇଣ୍ଡିଆ ଗ୍ରିନ୍ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ସହ ଉଭୟ ଦଳ ପଏଣ୍ଟ୍ ବାଣ୍ଟିନେଇଥିଲେ। ଫଳରେ ରେଡ୍ ଗୋଟିଏ ମ୍ୟାଚ୍ ଖେଳି ୩ ପଏଣ୍ଟ୍ ପାଇଥିଲା ବେଳେ ଅନ୍ୟ ଦୁଇ ଦଳ ବ୍ଲୁ ୨ ମ୍ୟାଚ୍ରୁ ୨ ଓ ଗ୍ରିନ୍ ୧ ମ୍ୟାଚ୍ରୁ ୧ ପଏଣ୍ଟ୍ ଲେଖାଏଁ ପାଇ ତାଲିକାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଗୁରୁବାରଠୁ ଖେଳାଯିବାକୁ ଥିବା ଶେଷ ମ୍ୟାଚ୍ (ରେଡ୍ ଓ ଗ୍ରିନ୍) ପରେ ଦ୍ବିତୀୟ ଫାଇନାଲିଷ୍ଟ୍ ପକ୍କା ହେବ।
ପ୍ରଥମ ପାଳିରେ ରେଡ୍ ଦଳ ଅଙ୍କିତ କାଲ୍ସି (୧୦୬)ଙ୍କ ଶତକ ଏବଂ ନାୟାର (୯୯) ଓ ଇଶାନ କିଷନ (୫୦)ଙ୍କ ଅର୍ଧଶତକ ବଳରେ ୨୮୫ ରନ୍ କରିଥିଲା। ଜବାବରେ ବ୍ଲୁ ଦଳ ୨୫୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଅଙ୍କିତ ବାୱେଁ (୧୨୧*) ଶତକ ଓ ଅଲମୋଲପ୍ରୀତ ସିଂହ (୫୦) ଅର୍ଧଶତକ ହାସଲ କରିଥିଲେ। ୩୦ ରନ୍ରେ ଆଗୁଆ ଥିବା ରେଡ୍ ଦଳ ଦ୍ବିତୀୟ ପାଳିରେ ୨୯୭/୬ରେ ପାଳି ଘୋଷଣା କରିଥିଲା ଏବଂ ସମୟ ସରି ଯାଇଥିବାରୁ ବ୍ଲୁ ଦଳ ଦ୍ବିତୀୟ ପାଳି ଖେଳିବାକୁ ଆଉ ସୁଯୋଗ ପାଇ ନଥିଲା। ପ୍ରଥମ ପାଳିରେ ଗୋଟିଏ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିବା ନାୟାର କିନ୍ତୁ ଦ୍ବିତୀୟ ପାଳିରେ ଅପରାଜିତ ୧୬୬ ରନ୍ ସଂଗ୍ରହ କରିଥିଲେ। ବ୍ଲୁ ପକ୍ଷରୁ ଜଲଜ ସକ୍ସେସେନା ୪ ୱିକେଟ୍ ଅକ୍ତିଆର କରିଥିଲେ। ଦୁଇଟି ପାଳିରୁ ୨୬୫ ରନ୍ ସଂଗ୍ରହ କରିଥିବା ନାୟାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/zdbsfhsrhrsbxsbsbsb.jpg)