ହକି ଦଳ ପାଇଁ ରିଡ୍‌ଙ୍କ ନୂଆ ଟାର୍ଗେଟ୍‌

ଅଷ୍ଟ୍ରେଲିଆଠୁ ୧-୭ ପରାଜୟ ପରେ ବାଲିରେ ଗାର ଟାଣି ବୁଝାଇଥିଲେ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଲିମ୍ପିକ୍ସ କାଂସ୍ୟ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳ ପାଇଁ ଏବେ ନୂଆ ନୂଆ ଟାର୍ଗେଟ୍‌ ଧାର୍ଯ୍ୟ କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌। ଆସନ୍ତା ମାସରୁ ଭାରତୀୟ ପୁରୁଷ ହକି ଦଳ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଥିବା ବେଳେ ପରବର୍ତୀ କିଛି ବର୍ଷ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାରେ ଏକାଧିକ ମାଇଲଖୁଣ୍ଟ୍ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି ରିଡ୍‌। ଚଳିତ ମାସରେ ଭାରତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା, ଏଥି ସହ ଭାରତର ୪୧ ବର୍ଷର ହକି ଅଲିମ୍ପିକ୍ସ ପଦକ ମରୁଡିର ଅନ୍ତ ଘଟିଥିଲା। ଆଗାମୀ ଖସଡା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ରିଡ୍‌ କହିଛନ୍ତି, ‘ବର୍ତମାନ ପାଇଁ ଆମେ ପରବର୍ତୀ କିଛି ପ୍ରତିଯୋଗିତା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିନେଇଛୁ। ଆଗକୁ ଏସୀୟ କ୍ରୀଡ଼ା, ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ହକି ବିଶ୍ବକପ୍‌ ୨୦୨୩ ଏବଂ ଏହାର ପରବର୍ତୀ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସ ରହିଛି’। ମାଇଲଖୁଣ୍ଟ୍‌ ଧାର୍ଯ୍ୟ ‌କରାଯାଇଛି। ଆମକୁ କିନ୍ତୁ ଏହି ସବୁ ପ୍ରତ‌ିଯୋଗିତା ମଝିରେ ଠିକଣା ପ୍ରସ୍ତୁତି କରିବାକୁ ପଡ଼ିବ।’’ ହକି ଇଣ୍ଡିଆର ‘ହକି ତେ ଚର୍ଚ୍ଚା’ ପୋଡକାଷ୍ଟ୍‌ ସିରିଜ୍‌ କାର୍ଯ୍ୟକ୍ରମ ଅବସରରେ ରିଡ୍‌ ଏଭଳି କଥା କହିଛନ୍ତି।

ଖେଳାଳିଙ୍କଠାରୁ ମତାମତ ନିଆଯିବ ଏବଂ ଏହ‌ାର ସମୀକ୍ଷା କରାଯିବ। ଅନ୍ୟ ଦଳଗୁଡିକ କିଭଳି ‌ଖେଳୁଛନ୍ତି ତାହା ମଧ୍ୟ ଆଲୋଚନା କରାଯିବ। ଅଲିମ୍ପିକ୍ସ ମ୍ୟାଚ୍‌ଗୁଡିକ ସମ୍ପର୍କରେ ଆମେ ବସି ଆଲୋଚନା କରିବୁ, କାରଣ ପ୍ରତିଯୋଗିତା ମଝିରେ ଆମେ ଏସବୁ କରିବାର ସୁଯୋଗ ପାଇନଥାଉ। ପରବର୍ତୀ ମ୍ୟାଚ୍‌କୁ ନଜରରେ ରଖିବାକୁ ପଡୁଥିବାରୁ ସମୟ କମ୍‌ ମିଳିଥାଏ। ବିଶ୍ବର ଅନ୍ୟ ଶ୍ରେଷ୍ଠ ଦଳଗୁଡିକ କିଭଳି ସ୍ଥିର ପ୍ରଦର୍ଶନ ଦେଉଛନ୍ତି ସେଥିରୁ ଶିଖିବାକୁ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଥିଲେ ଏହି ଅଷ୍ଟ୍ରେଲୀୟ ପ୍ରଶିକ୍ଷକ। ସୂଚନାଯୋଗ୍ୟେ, ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ରୌପ୍ୟ ପଦକ ଜିତିଥିବା ବେଳେ ରିଡ୍ ଅନ୍ୟତମ ସଦସ୍ୟ ଥିଲେ। ଏବେ ପ୍ରଶିକ୍ଷକ ଭାବେ କାଂସ୍ୟ ପଦକ ଜିତିବା ତାଙ୍କ କୃତିତ୍ବର ଅନ୍ୟତମ ମାଇଲଖୁଣ୍ଟ୍‌ ହୋଇଛି।

କୋଭିଡ୍‌ ପରିସ୍ଥିତି କାରଣରୁ ଗତବର୍ଷ ଭାରତୀୟ ହକି ଦଳର ପ୍ରସ୍ତୁତି ପ୍ରଭାବିତ ହୋଇଥିଲା। ଏକାଧିକ ଖେଳାଳି କୋଭିଡ୍ ପଜିଟିଭ୍ ଆସିଥିଲେ। ତଥାପି ଦଳ ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଥିବାରୁ ରିଡ୍ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଘୁଞ୍ଚିବା ପରେ ଭାରତୀୟ ଖେଳାଳିମାନେ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଲମ୍ବା ସମୟ ବିତାଇବା ସେମାନଙ୍କୁ ଏକତ୍ର କରିବା ସହ ଦଳଗତ ପ୍ରଦର୍ଶନକୁ ଶାଣିତ କରିଥିଲା ବୋଲି ରିଡ୍‌ ପ୍ରକାଶ କରିଥିଲେ। ପ୍ରତିକୂଳ ପରିସ୍ଥିତି ସେମାନଙ୍କୁ ଅଧିକ ସ୍ଥିରଚିତ୍ତ ଓ ପ୍ରତିଜ୍ଞା କରାଇଥିଲା। କାଂସ୍ୟ ପଦକ ମ୍ୟାଚ୍‌କୁ ନଜରରେ ପକାଇଲେ ଏହାର ପ୍ରତିଫଳନ ଦେଖିପାରିବେ। ୧-୩ରେ ପଛୁଆ ପଡ଼ିବା ପରେ ମ୍ୟାଚ୍‌କୁ ଛାଡ଼ିଦେବା ସହଜ କଥା ହୋଇଥା’ନ୍ତା, ସଭିଏ କହିଥା’ନ୍ତେ ଆମ ଦିନ ନଥିଲା। ଆମେ କିନ୍ତୁ ସେଭଳି କରିନଥିଲୁ। ନିଜକୁ ଏକାଠି କରିଥିଲୁ ଏବଂ ଉଦାହରଣ ସୃଷ୍ଟି କରିବା ଭଳି ପ୍ରଦର୍ଶନ ଦେଇ ପ୍ରତ୍ୟାବର୍ତନ କରିଥିଲୁ। ପ୍ରତିଟି ମୁହୂର୍ତରେ ପରବର୍ତୀ ସ୍ଥିତିକୁ ଯିବାର ମାନସିକତା ରଖି ସଫଳ ହେଲୁ ବୋଲି ରିଡ୍‌ କହିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ୧-୭ ପରାଜୟ ପରେ ଭାରତର ମନୋବଳ ଭାଙ୍ଗିଯିବ ବୋଲି ସଭିଏଁ ବିଚାର କରିଥିଲେ। ଅଲିମ୍ପିକ୍ସର ପ୍ରଥମ ଦିନରୁ ହିଁ ମୁଁ ଦଳ ଭିତରେ ଗୋଟିଏ ପ୍ରବୃତ୍ତି ଭରି ଦେଇଥିଲି ତା‌ହା ହେଉଛି ‘ପରବର୍ତୀ ମାନସିକତା’। ପରବର୍ତୀ କାମର ଆବଶ୍ୟକତା ହିଁ ଗୁରୁତ୍ବପୂର୍ଣ୍ଣ, ଏହା ଭବିଷ୍ୟତକୁ ବଦଳାଇ ଦେବ, ଅତୀତକୁ ନୁହେଁ। ତେଣୁ କରି ଅଷ୍ଟ୍ରେଲିଆ ବିପକ୍ଷ ନିରାଶାଜନକ ପ୍ରଦର୍ଶନ ପରେ ମୁଁ ଅଲିମ୍ପିକ୍ କ୍ରୀଡ଼ା ଗ୍ରାମରେ ବାଲି ଉପରେ ଗାର ଟାଣି ବୁଝାଇ ଦେଇଥିଲି ଏହା ଅସ୍ଥାୟୀ। ଏହି ଫଳାଫଳକୁ ନେଇ ଅଧିକ କିଛି ଭାବିବା ଉଚିତ୍ ନୁହେଁ। ଏଭଳି ଆଭିମୁଖ୍ୟକୁ ଖେଳାଳିମାନେ ଭଲ ଭାବେ ଗ୍ରହଣ କରିଥିଲେ। ସେହିଠାରୁ ଦଳକୁ ଭଲ ଫଳ ମିଳିବା ଆରମ୍ଭ କରିଥିଲା। ଏହାକୁ ଆମେ ଅଭ୍ୟାସରେ ପରିଣତ କରିଥିଲୁ ବୋଲି ଶେଷ‌ରେ ରିଡ୍ କହିଥିଲେ।

ସମ୍ବନ୍ଧିତ ଖବର