ବାର୍ସିଲୋନା ସହ ସଂପର୍କ ତୁଟିଲା: କାନ୍ଦି ପକାଇଲେ ମେସି

ବାର୍ସିଲୋନା: ଆର୍ଥିକ ସ୍ଥିତି ଖରାପ ଯୋଗୁଁ ମେସିଙ୍କ ଭଳି ମହାନ୍‌ ଓ ମୂଲ୍ୟବାନ ଖେଳାଳିଙ୍କୁ କ୍ଲବ୍‌ରେ ଆଉ ରଖିହେବନି ବୋଲି ଦୁଇ ଦିନ ତଳେ ବାର୍ସିଲୋନା କ୍ଲବ୍‌ ସଂକେତ ଦେଇଥିଲା। ଅଧିକ ମୂଲ୍ୟରେ ମେସିଙ୍କୁ କ୍ଲବ୍‌ରେ ଚୁକ୍ତି କରିବା ସମ୍ଭବ ନୁହେଁ ବୋଲି ଶୁକ୍ରବାର ଏଫ୍‌ସି ବାର୍ସିଲୋନାର ସଭାପତି ଜୋନ ଲାପୋର୍ତା କହିଥିଲେ। ଏହାର ଦୁଇ ଦିନ ପରେ ରବିବାର କ୍ଲବ୍‌ ସହ ସଂପର୍କ ତୁଟିଗଲା ବୋଲି ମେସି ସ୍ପଷ୍ଟ କରିଛନ୍ତି। ଏହି ସୂଚନା ଦେଲା ବେଳେ ଭାବବିହ୍ବଳ ମେସି କାନ୍ଦି ପକାଇଥିଲେ। ବାର୍କା କ୍ଲବ୍‌ ଛାଡ଼ିବା ସଂପର୍କରେ ବକ୍ତବ୍ୟ ରଖୁଥିଲା ବେଳେ ତାଙ୍କ ଆଖି ଲୋତକରେ ଭରିଯାଇଥିଲା।

ଏହି ସମୟରେ ବାର୍ସିଲୋନା ଶିବିର ନୋଉ ଷ୍ଟାଡିୟମ୍‌ ବାହାରେ ମେସିଙ୍କୁ ତାଙ୍କ ହଜାର ହଜାର ପ୍ରଶଂସକ ୧୦ ନଂ ଜର୍ସି ପିନ୍ଧି ବିଦାୟକାଳୀନ ସମ୍ବର୍ଧନା ଜଣାଇଥିଲେ। କିନ୍ତୁ ମୋର ଶରୀର ଚାହୁଥିବା ପର୍ଯ୍ୟନ୍ତ ଫୁଟ୍‌ବଲ ଖେଳିବା ଜାରି ରଖିବି ବୋଲି ମେସି କହିଛନ୍ତି। ଫଳରେ ବର୍ସିଲୋନା କ୍ଲବ୍‌ରୁ ସଂପର୍କ ତୁଟିଯାଇଥିଲା ବେଳେ ଏବେ ଫ୍ରେଞ୍ଚ୍‌ କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ ପକ୍ଷରୁ ଖେଳିବା ପାଇଁ କଥାବାର୍ତା ଚଳାଇଥିବା ମେସି କହିଛନ୍ତି। ଏଥିପାଇଁ ସମ୍ଭବତଃ ସୋମବାର ମେସି ଫ୍ରେଞ୍ଚ୍‌ ରାଜଧାନୀ ପ୍ୟାରିସ୍‌ ଯାତ୍ରା କରି କାତାର ସ୍ପୋର୍ଟସ ମାଲିକାନାରେ ପରିଚାଳିତ ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ କ୍ଲବ୍‌ ସହ କଥାବାର୍ତା ଚୂଡାନ୍ତ କରିବେ ବୋଲି ଜଣାପଡ଼ିଛି। ଅବଶ୍ୟ ପ୍ୟାରିସ୍‌ କ୍ଲବ୍‌ ସହ ଯୋଗଦେବା ସଂପର୍କରେ ମେସି ନିର୍ଦିଷ୍ଟ ସୂଚନା ଦେଇନଥିଲେ ମଧ୍ୟ ଯଥାସମ୍ଭବ ସମୟ ସେ ଖେଳ ଜାରିରଖିବେ ବୋଲି କହିଥିବାରୁ ଏନେଇ ଚର୍ଚ୍ଚା ଚାଲିଛି। ଏଠାରେ ସୂଚନାଯୋଗ୍ୟ, ୩୪ ବର୍ଷ ବୟସ୍କ ମେସି ୨୧ ବର୍ଷ ଧରି ବାର୍ସିଲୋନା କ୍ଲବ୍‌ ସହ ଯୋଡ଼ି ହୋଇ ରହିଥିଲେ। ସେ ମଧ୍ୟ କ୍ଲବ୍‌ ପକ୍ଷରୁ ସର୍ବକାଳୀନ ସର୍ବାଧିକ ଗୋଲ୍‌ (୬୮୨) ସ୍କୋରର୍‌ ରହିଥିଲେ।

ସମ୍ବନ୍ଧିତ ଖବର