ପାଣ୍ଡ୍ୟା ଓ ରାହୁଲ୍‌ଙ୍କ ଉପରୁ ନିଲମ୍ବନ ଉଠିଲା

ନୂଆଦିଲ୍ଲୀ: ଗତ ଅଷ୍ଟ୍ରେଲିଆ ଗସ୍ତ ବେଳେ ଏକ ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ ଭାରତୀୟ ଦଳର ଦୁଇ ତାରକା ହର୍ଦିକ୍‌ ପାଣ୍ଡ୍ୟା ଓ ଲୋକେଶ ରାହୁଲ୍‌। କରଣ ଜୋହର୍‌ଙ୍କ ଉପସ୍ଥାପନାରେ ‘କଫି ୱିଥ୍‌ କରଣ’ କାର୍ଯ୍ୟକ୍ରମରେ ଏହି ଦୁଇ ଜଣ ଭାଗ ନେଇ ମହିଳାଙ୍କ ଉପରେ ନିନ୍ଦନୀୟ ମନ୍ତବ୍ୟ ଦେଇଥିଲେ। ଯେଉଁଥିପାଇଁ ଉଭୟ ପାଣ୍ଡ୍ୟା ଓ ରାହୁଲ୍‌ଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଶେଷରେ ଉଭୟଙ୍କୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ନିଲମ୍ବିତ କରିଥିଲା ଏବଂ ତୁରନ୍ତ ଅଷ୍ଟ୍ରେଲିଆରୁ ସ୍ବଦେଶ ଫେରିଆସିବାକୁ ନିର୍ଦେଶ ଦେଇଥିଲା। ସେମାନଙ୍କ ବିରୋଧରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ଉଭୟ ଖେଳାଳି ନିଜ ନିଜର ପକ୍ଷ ରଖିବା ସହିତ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ତଦନ୍ତ ପ୍ରକ୍ରିୟା ଯୋଗୁଁ ଭାରତୀୟ ଦଳକୁ ଫେରିବା ମଧ୍ୟ ସେମାନଙ୍କ ପାଇଁ ବିଳମ୍ବ ହୋଇଥିଲା। ସେମାନଙ୍କ ଉପରେ ନିଲମ୍ବନକୁ ନେଇ ମଧ୍ୟ ପ୍ରଶାସକ ସମିତି (ସିଓଏ)ର ଅଧ୍ୟକ୍ଷ ବିନୋଦ ରାଏ ଓ ସଦସ୍ୟା ଡାଏନା ଏଡୁଲ୍‌ଜୀଙ୍କ ମଧ୍ୟରେ ପତ ପାର୍ଥକ୍ୟ ଦେଖାଦେଇଥିଲା। ଉଭୟ ଖେଳାଳିଙ୍କ ଭାଗ୍ୟ ନିର୍ଣ୍ଣୟ କରିବା ପାଇଁ ବିସିସିଆଇ ଅଧିକାରୀମାନେ ସଂପୃକ୍ତ ହୁଅନ୍ତୁ ବୋଲି ଡାଏନା ଚାହୁଁଥିଲା ବେଳେ ରାଏ କିନ୍ତୁ ଏହା ବୋର୍ଡ ସମ୍ବିଧାନର ଉଲଂଘନ କରିବ ବୋଲି କହି ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଥିଲେ। ତେବେ ଘଟଣାର ଦୁଇ ସପ୍ତାହ ପରେ ଗୁରୁବାର ଉଭୟଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇଛି। ନୂଆ ଆମିକସ୍‌ କ୍ୟୁରି ପିଏସ୍‌ ନରସିଂହାଙ୍କ ପରାମର୍ଶ ପରେ ସିଓଏ ଏହି ନିଲମ୍ବନ ଉଠାଇ ଦେଇଥିବା ଜଣାପଡ଼ିଛି। ନିଲମ୍ବନ ପ୍ରତ୍ୟାହାର ତୁରନ୍ତ ଲାଗୁ କରାଗଲା ବୋଲି ସିଓଏ କହିଛି। ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ କିଛି ସମୟ ପାଇଁ ଟାଳି ଦିଆଯାଇଛି। ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରା ଜଣେ ଅମ୍ବୁଡ୍‌ସ୍‌ମାନ୍‌ ନିଯୁକ୍ତ ହେବା ପର୍ଯ୍ୟନ୍ତ ତଦନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି। ତେବେ ଉଚ୍ଚତମ ନ୍ୟାୟାଳୟରେ ମାମଲାର ପରବର୍ତୀ ଶୁଣାଣି ଫେବ୍ରୁଆରି ୫ ତାରିଖରେ ହେବା ପାଇଁ ଧାର୍ଯ୍ୟ ହୋଇଛି। ଉଭୟଙ୍କ ଉପରୁ ନିଲମ୍ବନ ଉଠାଇ ସେମାନଙ୍କୁ ଖେଳିବାକୁ ସୁଯୋଗ ଦିଆଯାଉ ବୋଲି ବିସିସିଆଇ କାର୍ଯ୍ୟକାରୀ ସଭାପତି ସି କେ ଖାନ୍ନା ପୂର୍ବରୁ ପ୍ରସ୍ତାବ ଦେଇ ଆସୁଥିଲେ। ଶେଷରେ ତାହା ହିଁ କାର୍ଯ୍ୟକାରୀ ହୋଇଛି। ନିଲମ୍ବନ ପ୍ରତ୍ୟାହାର ହୋଇଯିବା ପରେ ଅଲ୍‌ରାଉଣ୍ଡର ପାଣ୍ଡ୍ୟା ଏବେ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଥିବା ଭାରତୀୟ ଦଳରେ ଯୋଗଦେବାର ଆଶା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ରାହୁଲ ଏବେ ଇଂଲଣ୍ଡ୍‌ ଲାୟନ୍‌ସ ବିପକ୍ଷ ଭାରତ-ଏର ଘରୋଇ ଶୃଙ୍ଖଳାରେ ଖେଳିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର