ରିଲାଏନ୍ସ ଫାଉଣ୍ତେସନ୍‌ର ଦୌଡ଼କୁଦ: ଭାଗନେଲେ ୩୦୦ରୁ ଅଧିକ କ୍ରୀଡ଼ାବିତ୍‌

୧୨ ବର୍ଷ ପରେ ଓଡ଼ିଶା ରିଲେ ଦଳ ପଦକ ପାଇବ ବୋଲି ଆଶା ଅଛି: ହେଲର

ଭୁବନେଶ୍ବର: ଓଡ଼ିଶା ରିଲାଏନ୍ସ ଫାଉଣ୍ତେସନ୍‌ ଉଚ୍ଚ ଗୁଣାବତ୍ତା କେନ୍ଦ୍ର (ଏଚ୍‌ପିସି) ପକ୍ଷରୁ ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଦୌଡ଼କୁଦ ଗ୍ରେଡେଡ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶାର ବିିଭିନ୍ନ ଜିଲ୍ଲାରୁ ୩୦୦ରୁ ଅଧିକ କ୍ରୀଡ଼ାବିତ୍‌ ସାମିଲ ହୋଇଥିଲେ। ମୋଟ୍‌ ୧୬ଟି ବିଭାଗରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରୁ ପାଖାପାଖି ୧୦୦ ଜଣଙ୍କୁ ଏଚ୍‌ପିସି ପାଇଁ ମନୋନୀତ କରାଯିବ। ଏମାନଙ୍କୁ ରିଲାଏନ୍ସ ଫାଉଣ୍ତେସନ୍‌ ପକ୍ଷରୁ ଗୁଣାତ୍ମକ ତାଲିମ ପ୍ରଦାନ କରାଯିବା ସହ ସେମାନଙ୍କର ରହିବା, ଖାଇବା ଆଦିର ବ୍ୟବସ୍ଥା ହେବ। ଏଥିସହ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଅଣାଯାଇ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯିବ ବୋଲି କେନ୍ଦ୍ରର ଦୌଡ଼କୁଦ ନିର୍ଦ୍ଦେଶକ ଜେମ୍‌ସ ହେଲର ସୂଚନା ଦେଇଛନ୍ତି।

ଷ୍ଟାଡିୟମ୍‌ ପରିସରରେ ଅପରାହ୍ନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ହେଲର କହିଛନ୍ତି ଯେ ଓଡ଼ିଶାରେ ବହୁତ ପ୍ରତିଭା ଅଛନ୍ତି। କିନ୍ତୁ ସେମାନଙ୍କୁ ଉଚିତ୍‌ ମାର୍ଗଦର୍ଶନ ମିଳୁନଥିବାରୁ ଆଗକୁ ଆସିପାରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ ରିଲାଏନ୍ସ ଫାଉଣ୍ତେସନ୍‌ ଏକ ସୁଯୋଗ ଭାବେ ସାଙ୍ଗରେ ରହିବ। ପ୍ରତିଭାବାନ୍‌ ଖେଳାଳିମାନେ ଏଠାକୁ ଆସି ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରନ୍ତୁ ଓ ତାଙ୍କର ଭବିଷ୍ୟତ ଗଢିବା ଆମ ଦାୟିତ୍ବ ବୋଲି ହେଲର କହିଛନ୍ତି। ଶନିବାର ହୋଇଥିବା ପ୍ରତିଯୋଗିତାରେ ଅନେକ ଆଗ୍ରହୀ କ୍ରୀଡାବିତ୍‌ ସାମିଲ ଥିଲେ। ସେମାନଙ୍କ ପାଖରେ ଭିତ୍ତିଭୂମି ନଥିଲେ ବି ଦୌଡ଼କୁଦ ପ୍ରତି ରହିଥିବା ଆଗ୍ରହ ଆମକୁ ଆଶ୍ଚର୍ଯ୍ୟଚକିତ କରିଛି। ସେମାନେ ହିଁ ହେଉଛନ୍ତି ପ୍ରକୃତ କ୍ରୀଡ଼ାବିତ୍‌। ଭବିଷ୍ୟତରେ ଏମାନଙ୍କଠୁ ଆମେ ପଦକ ଆଶା ରଖିପାରିବା ବୋଲି ସେ କହିଛନ୍ତି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଜୟପୁର, କୋରାପୁଟ, କଟକ ଓ ରାଉରକେଲାରେ ୪ଟି ସିନ୍ଥେଟିକ୍‌ ଟ୍ରାକ୍‌ ନିର୍ମାଣ କରାଯାଉଛି। ସରକାରଙ୍କ ସହଯୋଗରେ ଆମେ ରାଜ୍ୟର ପ୍ରତିଟି କୋଣକୁ ଯାଇ ଖେଳାଳି ଚୟନ କରିବା ଓ ସେମାନଙ୍କୁ ଉଚ୍ଚମାନର ତାଲିମ ଦେବା ସମ୍ଭବ ହୋଇପାରିବ। ତିନିବର୍ଷ ତଳୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ଏଚ୍‌ପିସିରେ ସୀମିତ କ୍ରୀଡ଼ାବିତ୍‌ଙ୍କୁ ନେଇ ଜୈବ ବଳୟ ମଧ୍ୟରେ ପ୍ରଶିକ୍ଷଣ ଦିଆଯାଇଥିଲା। କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା ଏଚ୍‌ପିସିରେ ବର୍ତ୍ତମାନ ୨୧ ଜଣ କ୍ରୀଡ଼ାବିତ୍‌ଙ୍କୁ ତାଲିମ ଦିଆଯାଉଛି। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୧୭ ଜଣ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଏଠାକାର କ୍ରୀଡ଼ାବିତ୍‌ମାନେ ପାଖାପାଖି ୩୨ ଜାତୀୟ ଓ ଆନ୍ତର୍ଜାତିକ ପଦକ ଆଣିସାରିଲେଣି ଏବ˚ ୬ ଜାତୀୟ କୀର୍ତ୍ତିମାନ ହୋଇସାରିଲାଣି ବୋଲି ହେଲର ସୂଚନା ଦେଇଛନ୍ତି।

ନିକଟରେ ଏହି କେନ୍ଦ୍ରର ସବିିତା ଟପ୍ପୋ ବିଶ୍ବସ୍ତରରେ ଆମକୁ ଗୌରବାନ୍ବିତ କରିଛନ୍ତି। କୁଏତ୍‌ରେ ହୋଇଥିବା କନିଷ୍ଠ ଏସୀୟ ଦୌଡ଼କୁଦର ବାଧାଦୌଡ଼ରେ ରୌପ୍ୟ ଓ ରିଲେରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତିନିବର୍ଷ ଧରି ଯେଉଁ ପରିଶ୍ରମ କରାଯାଇଛି ତା’ର ପରିଣାମ ଏବେ ଧିରେଧିରେ ପଦକ ରୂପରେ ଆସୁଛି। ଏଚ୍‌ପିସି ଆରମ୍ଭ ହେଲାବେଳେ ମାତ୍ର ୩ ଇଭେଣ୍ଟ ଉପରେ ଧ୍ୟାନ ଦିଆଯାଉଥିଲା। ଏବେ ଆଉ ୩ ଇଭେଣ୍ଟକୁ ଯୋଡ଼ାଯିବ। ପୋଲ୍‌ଭଲ୍ଟରେ ନୂଆ ବିଭାଗ ଆରମ୍ଭ କରାଯିବାକୁ ଚିନ୍ତା କରାଯାଇଛି। ଦେଶର ଶ୍ରେଷ୍ଠ ପ୍ରଶିକ୍ଷକମାନଙ୍କୁ ଏଠାକୁ ଆଣି ପ୍ରତିଭାର ବିକାଶ କରାଯିବ। ଏଥିସହିତ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ଗତ ୧୨ ବର୍ଷ ହେଲାଣି ରିଲେ ଦୌଡ଼ରେ ଅ˚ଶଗ୍ରହଣ କରିନାହାନ୍ତି। ଏବେ କିଛି କନିଷ୍ଠ ଖେଳାଳିଙ୍କୁ ନେଇ ରିଲେ ଟମ୍‌ ଗଠନ କରୁଛୁ। ଆସନ୍ତା ବର୍ଷ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ରିଲେ ଦଳ ଭାଗନେଇ ପଦକ ଆଣିପାରିବ ବୋଲି ହେଲର ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର