ଭୁବନେଶ୍ବର : ୧୯୭୧ର ମାତ୍ର ଦୁଇ ବର୍ଷ ପରେ ଅର୍ଥାତ୍ ୧୯୭୩ରେ ବିଶ୍ବକପ୍ ପୁଣି ଥରେ ଫେରିଥିଲା। ପ୍ରଥମ ଭଳି ହକି ବିଶ୍ବକପର ଦ୍ବିତୀୟ ସଂସ୍କରଣ ସେହି ୟୁରୋପ ମହାଦେଶରେ ଆୟୋଜିତ ହୋଇଥିଲା। ଦ୍ବିତୀୟ ପର୍ବ ପାଇଁ କିନ୍ତୁ ବିଶ୍ବକପ ସ୍ପେନରୁ ନେଦରଲାଣ୍ଡକୁ ଯାଇଥିଲା। ନେଦରଲାଣ୍ଡର ଆମଷ୍ଟେଲଭିନ୍ ସହରର ୱାଗେନର ଷ୍ଟାଡିୟମରେ ୧୨ ଦଳକୁ ନେଇ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଦ୍ବିତୀୟ ହକି ବିଶ୍ବଯୁଦ୍ଧ। ଆୟୋଜକ ନେଦରଲାଣ୍ଡ ଏଥର ବାଜି ମାରି ନେଇଥିଲା। ଫାଇନାଲରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ରେ ୪-୨ ଗୋଲ୍‌ରେ ହରାଇ ପ୍ରଥମ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ଏହି ମ୍ୟାଚ୍ କିନ୍ତୁ ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା। ନିର୍ଧାରିତ ସମୟରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ହେଲେ ପେନାଲ୍ଟି ଷ୍ଟ୍ରୋକ୍‌ରେ ପଛୁଆ ରହି ଭାରତ ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା। ପୁଲ-ଏ’ରେ ସ୍ଥାନ ପାଇଥିବା ଭାରତ ଲିଗ୍ ପର୍ଯ୍ୟାୟରେ ୧୧ ପଏଣ୍ଟ ସହ ପଶ୍ଚିମ ଜର୍ମାନ (୧୩) ତଳେ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲକୁ ଉନ୍ନୀତ ‌େହାଇଥିଲା। ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୧-୦ରେ ହରାଇ ପ୍ରଥମ ଥର ପାଇଁ ଫାଇନାଲ ଟିକେଟ ହାସଲ କରିଥିଲା। ସେପଟେ ନେଦରଲାଣ୍ଡ ପେନାଲ୍ଟି ଷ୍ଟ୍ରୋକ୍‌ରେ ପଶ୍ଚିମ ଜର୍ମାନକୁ ୪-୨ (୦-୦)ରେ ହରାଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ଖେଳା ଯାଇଥିବା ମ୍ୟାଚ୍‌ରେ ପଶ୍ଚିମ ଜର୍ମାନ ୧-୦ ଗୋଲରେ ପାକିସ୍ତାନକୁ ହରାଇ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା। ପ୍ରତିଯୋଗିତାରେ ମୋଟ ୪୨ ମ୍ୟାଚ୍ ଖେଳା ଯାଇଥିଲା। ସେଥିମଧ୍ୟରେ ୧୨୪ ଗୋଲ୍ ଦେଖିବାକୁ ମିଳିଥିଲା। ମ୍ୟାଚ୍ ପିଛା ସେହି ବିଶ୍ବକପର ହାରାହାରି ଗୋଲ୍ ୨.୯୫ ଥିଲା। ନେଦରଲାଣ୍ଡର ଟାଇସ୍‌ କ୍ରୁଜ୍ ପ୍ରତିଯୋଗିତାରେ ସର୍ବାଧିକ ୧୧ ଗୋଲ୍ ଦେଇଥିଲେ।

Advertisment

ହକି ବିଶ୍ବକପ୍ ଲାଗି ସ୍ବତନ୍ତ୍ର ଭାବେ ନବୀକରଣ ହୋଇଥିବା କଳିଙ୍ଗ ‌ଷ୍ଟାଡିୟମ ହକି କଂପ୍ଲେକ୍ସ ବୁଧବାର ଉଦଘାଟିତ ହେବ। ବୁଧବାର ସଂଧ୍ୟାରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘା‌ଟନ କରିବେ। ଏହି ଅବସରରେ ଦିଲୀପ ତିର୍କି ଏକାଦଶ ଏବଂ ଧନରାଜ ପିଲ୍ଲେ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଲାଗି ପାସ୍ ବ୍ୟବସ୍ଥା କରାଯାଇଛି। କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍ ପାଖରେ ମଙ୍ଗଳବାର ପୂର୍ବାହ୍ନ ୯ଟାରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ପାସ୍ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ଦୁଇଟି ପାସ୍ ମିଳିବ। ଏହା ‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭ’ ପଦ୍ଧତିରେ ବଣ୍ଟାଯିବ। କେବଳ ପାସ୍ ଏବଂ ନିମନ୍ତ୍ରଣ ପତ୍ର ମାଧ୍ୟମରେ ହିଁ ପ୍ରବେଶ ବ୍ୟବସ୍ଥା କରାଯାଇଛି।