ଆଉ ୭ ଦିନ:ଅଷ୍ଟ୍ରେଲିଆ ଶ୍ରେଷ୍ଠ

ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮୮ ବର୍ଷର ପୁରୁଣା ଇତିହାସରେ ସବୁଠୁ ସଫଳ ଦେଶ ହେଉଛି ଅଷ୍ଟ୍ରେଲିଆ। ସର୍ବକାଳୀନ ପଦକ ତାଲିକା ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ସବୁଠୁ ସଫଳ ତଥା ଶ୍ରେଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ସମସ୍ତ ପୂର୍ବ ୨୦ ସଂସ୍କରଣରେ ଭାଗ ନେଇଥିବା ଏହି ଦେଶ ୨୨୧୮ ପଦକ ଜିତି ଇଂଲଣ୍ଡକୁ ପଛରେ ପକାଇ ଦେଇଛି। ଇଂଲଣ୍ଡ ୨୦୦୮ ପଦକ ସହିତ ଦ୍ୱିତୀୟ ଶ୍ରେଷ୍ଠ ରହିଥିବାବେଳେ କାନାଡ଼ା (୧୪୭୩) ଏବଂ ଭାରତ (୪୩୮) ଯଥାକ୍ରମେ ପରବର୍ତୀ ଦୁଇ ସ୍ଥାନରେ ରହିଛି। ମୋଟ ପଦକ ଦୃଷ୍ଟିରୁ ଭାରତ ନ୍ୟୁଜିଲାଣ୍ଡ୍‌ (୬୧୦) ଠାରୁ ପଛରେ ରହିଥିଲେ ମଧ୍ୟ ଚତୁର୍ଥରେ ରହିଛି। କାରଣ ସ୍ୱର୍ଣ୍ଣ ପଦକ ଦୌଡ଼ରେ ଭାରତ (୧୫୫) ଠାରୁ ନ୍ୟୁଜିଲାଣ୍ଡ୍‌ (୧୪୪) ବହୁ ପଛରେ ରହିଛି। ଭାରତ ଗତ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୫ ସ୍ୱର୍ଣ୍ଣ, ୩୦ ରୌପ୍ୟ, ୧୯ କାଂସ୍ୟ ସହିତ ୬୪ ପଦକ ଜିତି ପଞ୍ଚମରେ ରହିଥିଲା।
ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସଂଘ (ଆଇଓସି), ଅନ୍ତର୍ଜାତୀୟ ଦୌଡ଼କୁଦ ସଂଘ (ଆଇଏଏଏଫ୍‌) ଏବଂ ବିବିସିର ବିଧି ଅନୁସାରେ ବିଭିନ୍ନ ଦେଶକୁ ମିଳୁଥିବା ପଦକକୁ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ କ୍ରମରେ ସ୍ଥାନିତ କରାଯାଉଛି। ଏହା ସତ୍ତ୍ୱେ ଯଦି ସ୍ଥିତି ସମାନ ରହେ ତେବେ ଇଂରାଜୀ ଅଲ୍‌ଫାବେଟ୍‌ କ୍ରମରେ ସ୍ଥାନିତ କରାଯାଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ଏହି ନିୟମକୁ ନେଇ ମଧ୍ୟ ପଦକ ତାଲିକା ପ୍ରସ୍ତୁତ ରଖିଛି। ୨୦୧୪ ଅଗଷ୍ଟ ୩ ତାରିଖରେ ପୂର୍ବ ସଂସ୍କରଣ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଶେଷ ହେବା ପରେ ପଦକ ତାଲିକା ପୂର୍ଣ୍ଣାଙ୍ଗ ହୋଇଥିଲା। ସେହି ଅନୁସାରେ ଅଷ୍ଟ୍ରେଲିଆ ୮୫୨ ସ୍ୱର୍ଣ୍ଣ, ୭୧୬ ରୌପ୍ୟ ଓ ୬୫୦ କାଂସ୍ୟ ସହିତ ମୋଟ ୨୨୧୮ ପଦକ ଜିତି ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଏହି ଖେଳର ଅଗ୍ରଜ କୁହାଯାଉଥିବା ଇଂଲଣ୍ଡ ୬୬୯ ସ୍ୱର୍ଣ୍ଣ, ୬୭୦ ରୌପ୍ୟ ଓ ୬୬୯ କାଂସ୍ୟ ସହ ମୋଟ ୨୦୦୮ ପଦକ ଜିତିଛି। କାନାଡା ୪୬୯ ସ୍ୱର୍ଣ୍ଣ, ୪୭୬ ରୌପ୍ୟ, ୫୨୮ କାଂସ୍ୟ ସହ ୧୪୭୩ ପଦକ ଜିତି ତୃତୀୟରେ ରହିଛି।

ସମ୍ବନ୍ଧିତ ଖବର